ବାପାଙ୍କ ଶବଦାହ କରିବାକୁ ଆସୁଥିବା ପୁଅବୋହୁ ନିଜେ ଶବ ପାଲଟି ଗଲେ ।

ଗଣିଆ – ଗଣିଆରେ ଅତ୍ୟନ୍ତ ଦୁଃଖଦାୟକ ତଥା ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି। ବାପାଙ୍କ ମୃତ୍ୟୁ ଖବର ପାଇ ତାଙ୍କୁ ମୁଖାଗ୍ନି ଦେବାକୁ ଘରକୁ ଆସୁଥିବା ବେଳେ ବାଟରେ ଗାଡି ଦୁର୍ଘଟଣାରେ ପୁଅ ବୋହୁଙ୍କର ମୃତ୍ୟୁ ଘଟିଛି । ଗଣିଆ ପାଟଣା ସାହିର ଅବସରପ୍ରାପ୍ତ ଶିକ୍ଷକ ବଲ୍ଲଭ ସାହୁଙ୍କର ବୁଧବାର ବିଳମ୍ବିତ ରାତିରେ ମୃତ୍ୟୁ ଘଟିଥିଲା । ଏ ଖବର ପାଇ ତାଙ୍କର ବଡ଼ପୁଅ ରାଜକିଶୋର ସାହୁ ଏବଂ ବୋହୁ ମିନାରାଣୀ ସାହୁ ଘରକୁ ଆସୁଥିବା ବେଳେ ଖୋର୍ଦ୍ଧା -ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ବୈଦ୍ଧ ଥାନା ରାମ୍ଭିକଟା ଟୋଲ୍ ଗେଟ୍ ନିକଟରେ ଛିଡା ହୋଇଥିବା ଏକ ଟ୍ରକ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା । କାରଟି ଏତେ ଜୋରରେ ଧକ୍କା ହୋଇଥିଲା ଯେ ତାର ସମ୍ମୁଖ ଭାଗ ଭାଙ୍ଗିରୁଜି ଚୁରମାର ହୋଇଯାଇଥିଲା । ତାଙ୍କୁ ସଙ୍ଗେସଙ୍ଗେ ବଉଦ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା ।

ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ବାପାଙ୍କ ଶବଦାହ କରିବାକୁ ଆସିଥିବା ପୁଅବୋହୁ ନିଜେ ଶବ ପାଲଟି ଯାଇଥିଲେ । ଏ ସମ୍ପର୍କରେ ମୃତକଙ୍କ ପରିବାର ଲୋକଙ୍କୁ ଖବର ଦିଆଯାଇଥିଲା । ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ଶବ ବ୍ୟବଚ୍ଛେଦ କରି ଗଣିଆରେ ପହଞ୍ଚିବା ପରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ମୃତ ଶ୍ରୀ ସାହୁଙ୍କ ବାପାଙ୍କୁ ଗଣିଆ ଶ୍ମଶାନରେ ତାଙ୍କ ନାତି ମୁଖାଗ୍ନି ଦେଇଥିବା ବେଳେ ଉଭୟ ପତୀପତ୍ନୀଙ୍କୁ ପୁରୀ ସ୍ଵର୍ଗଦ୍ଵାର ନିଆଯାଇଥିଲା । ମୃତ ଶ୍ରୀ ସାହୁ ନୂଆପଡା ଜିଲ୍ଲା କୁରୁମପୂରୀ ହାଇସ୍କୁଲରେ ବିଜ୍ଞାନ ଶିକ୍ଷକ ଭାବେ କାର୍ଯ୍ୟରତ ଥିଲେ । ଏଭଳି ଦୁର୍ଘଟଣାରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିବା ବେଳେ ସ୍ତବ୍ଧ ପାଲଟିଯାଇଛନ୍ତି ପରିବାର ଲୋକେ ।

ଗଣିଆ ରୁ ଜ୍ଞାନୀ ପ୍ରକାଶ ସେନାପତିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *