ପ୍ରଧାନ ଶିକ୍ଷକଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ
କାକଟପୁର,୦୬.୦୭ – କାକଟପୁର ବ୍ଲକ ଅନ୍ତର୍ଗତ ଅବଦାନ ପଞ୍ଚାୟତ ସୁଆର ଗ୍ରାମର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ଅବସର କାଳୀନ ସମ୍ୱର୍ଦ୍ଧନା ଉତ୍ସବ ରବିବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ପରିଚାଳନା କମିଟି, ଅଭିଭାବକ, ଛାତ୍ରଛାତ୍ରୀ , ଗ୍ରାମବାସୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଦ୍ଵାରା ଦୀର୍ଘ ୨୮ବର୍ଷ ଧରି ଶିକ୍ଷାଦାନ କରିଥିବା ବିଦାୟୀ ପ୍ରଧାନ ଶିକ୍ଷକ ଯୋଗେଶ ଚନ୍ଦ୍ର ନାୟକଙ୍କ ଅବସର ନିମନ୍ତେ ସମ୍ୱର୍ଦ୍ଧନା ଉତ୍ସବ ଆୟୋଜିତ କରାଯାଇଥିଲା। ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଗୀତାଞ୍ଜଳି କରଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆମନ୍ତ୍ରିତ ଅତିଥି ଭାବେ ଅବସରପ୍ରାପ୍ତ ସହ ଶିକ୍ଷା ଅଧିକାରୀ ପଙ୍କଜିନୀ ଦେଇ, ସମାଜସେବୀ ନକୁଳ ଚନ୍ଦ୍ର ସେଣ, ବ୍ଲକ ସହ ଶିକ୍ଷା ଅଧିକାରୀ ବ୍ରହ୍ମାନନ୍ଦ କାଣ୍ଡି, ଚିତ୍ରେଶ୍ୱରୀ କ୍ଲଷ୍ଟର ସଂଯୋଜକ ଜଟାଧାରୀ ଦାସ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଲିଜା ରାଣୀ ନାୟକ, ଗ୍ରାମ୍ୟ କମିଟି ମୂଖ୍ୟ ମହେଶ୍ୱର ସାହୁ, ଅବସରପ୍ରାପ୍ତ ଶିକ୍ଷକ ପ୍ରତାପ ଚନ୍ଦ୍ର ମହାରଣା, ରବୀନ୍ଦ୍ର ନାଥ ଦାସ, ଶିକ୍ଷକ ସୁଶାନ୍ତ କୁମାର ବେହେରା ପ୍ରମୁଖ ଯୋଗ ଦେଇଥିଲେ।

ପ୍ରାରମ୍ଭରେ ଶ୍ରୀ ଜଗନ୍ନାଥଙ୍କ ଚରଣରେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉତ୍ସବ ଆରମ୍ଭ ହୋଇଥଲା। ବିଦ୍ୟାଳୟ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସ୍ବାଗତ ସଙ୍ଗୀତ ସହ ଅତିଥି ମାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ବିଦାୟୀ ସମ୍ବର୍ଦ୍ଧନା ଉତ୍ସବରେ ଅତିଥି, ଅଭିଭାବକ ଓ ଛାତ୍ରଛାତ୍ରୀ ମାନେ ବିଦୟୀ ପ୍ରଧାନ ଶିକ୍ଷକ ଯୋଗେଶ ଚନ୍ଦ୍ର ନାୟକଙ୍କ ଆଦର୍ଶ ଶିକ୍ଷକତା ଓ ତାଙ୍କ ଛାତ୍ରବତ୍ସଲ ଗୁଣ ଗୁଡ଼ିକ ଗାନ କରି ଭାବ ବିହ୍ବଳ ହୋଈ ପଡ଼ିଥିଲେ। ପରିଶେଷରେ ଶିକ୍ଷକ ଶିକ୍ଷୟିତ୍ରୀ, ଅଭିଭାବକ ଓ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ବିପୁଳ ସମ୍ବର୍ଦ୍ଧନା କରାଯାଇଥିଲା। ଗୁହାଳପୁର ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଅରୁଣ କୁମାର ମହାନ୍ତି ଉତ୍ସବରେ ମଞ୍ଚ ସଂଯୋଜନା ଓ ପରିଚାଳନା କରିଥିଲା ବେଳେ ଶିକ୍ଷୟତ୍ରୀ ମନୋରମା ଦେଇ, ଶାନ୍ତନୁ ଖଡ଼ିଆଙ୍କ ସହ ସମସ୍ତ ସହଯୋଗୀ ମାନେ ପରିଚାଳନାରେ ସହଯୋଗ କରିଥିଲେ।
