ସେ ସବୁ ଛାଡ଼ ଆଗକୁ ଭାବ
ସେ ସବୁ ଛାଡ଼ ଆଗକୁ ଭାବ
🖋️କବିରତ୍ନ ନୂତନ କୁମାର ବେହେରା
କ୍ଷୋଭ ପ୍ରକାଶ କରି କ୍ଷତାକ୍ତ ହୃଦୟରୁ
ମନକୁ ମନ ବାହୁନି ହେଉଥିଲା ସେ
ଦୀର୍ଘ ନିଃଶ୍ବାସ ପକାଉଥିଲା ଅତୀତକୁ ମନ୍ଥି
ଟପ୍ ଟପ୍ ଆଖିରୁ ଝରୁଥିଲା ଲୁହ
କୋହରେ ନୀରବ ପ୍ରତିବାଦରେ ତାର
ନ ଥିଲା ଆଉ ଟିକିଏ ବି ଧୈର୍ଯ୍ୟ
ସୁଖରେ ତ ଥିଲେ ସମସ୍ତେ
ଏ ଦୁଃଖରେ ବେଳେ କାହିଁ ନାହିଁ ତ କେହି
ପାଖରେ ହେବାକୁ ଠିଆ
କି ଜଟିଳ କୁଟିଳ ତାଙ୍କ ଚରିତ୍ର
ତା’ ଜୀବନକୁ କରି ଦେଲେ ଖିନ୍ ଭିନ୍
କେଉଁ ନର ପିଶାଚ ଠାରୁ ସେମାନେ କମ୍ କି
ତା’ ସରଳ ବିଶ୍ଵାସରେ ଭରି ଦେଲେ ଗରଳ
ଓଃ…ସବୁ ଭାବିଲା ବେଳକୁ
ମୁଣ୍ଡ ଚକର୍ କାଟୁଛି
ତାଙ୍କ ପ୍ରତି ଘୃଣାରେ ଲାଲ୍ ହେଉଛି ଆଖି
ଛାତିରେ ଜଳୁଛି ବିଦ୍ରୋହର ବହ୍ନି
ବିପ୍ଳବ କରିବାକୁ ମନରେ ଆସୁଛି ଉତ୍ତେଜନା
ନେଇ ପାରନ୍ତା କି ପ୍ରତିଶୋଧ
ତାଙ୍କର ଲୋଭ ମୋହ ମାୟା ଯେତେ
ଯେମିତି ଏକ ପାହାଡ଼ି ନଈର ବନ୍ୟା ସ୍ରୋତ
ତାକୁ ଏକ ପତ୍ର ପରି ଭସାଇ ଆଣିଛି
ଗୋଲକଧନ୍ଦାର ଭଉଁରୀରେ ଭ୍ରମୁଛି ସେ
ଶତ୍ରୁମାନେ ବିଦ୍ରୁପ କରୁଛନ୍ତି
ହଟ ହଟ ହସୁଛନ୍ତି ସ୍ଵାର୍ଥ ପୂରଣ କରି
କ’ଣ ବା କରି ପାରିବ ତାଙ୍କର
ନିଜକୁ ନିଜେ ଧିକ୍କାର୍ କରିବା ବ୍ୟତୀତ
ଅନ୍ତରାତ୍ମା ତାର ଶୂନ୍ୟରୁ ଦିଏ ଚେତାବନୀ
ସେ ସବୁ ଛାଡ଼ ଆଗକୁ ଭାବ
ବଞ୍ଚି ରହିବାର ବାଟ ଖୋଜ ଦୂରଦୃଷ୍ଟିରେ
ନିଜକୁ ଦୁର୍ବଳ କରୁଛ ନିଜେ
ଯଦିଓ କୌଣସି ଶକ୍ତିରେ ତ ନୁହଁ ଦୁର୍ବଳ
ସରିନାହିଁ ଜୀବନ କ୍ଷେତ୍ରର ସଂଗ୍ରାମ
ପୁଣି ଲଢ଼ ଶତ୍ରୁକୁ ପରାଜିତ କରିବା ପାଇଁ
କରନା ମନସ୍ତାପ ଅବା ଭାଙ୍ଗି ପଡ଼ନା
ତୁମ ଭିତରେ ଧର୍ମର ଅଶେଷ ବଳ
ଜାଗ୍ରତ କର ନିଜ ନିଷ୍ଠାରେ ପରାକାଷ୍ଠାରେ
ତୁମେ ମଧ୍ୟ ଅମୃତର ସନ୍ତାନ
ଓହୋରି ଆସ ସେ ଦୁଶ୍ଚିନ୍ତା କୁଚିନ୍ତାରୁ
ଆତ୍ମଜ୍ଞାନରେ କର ସ୍ଵତନ୍ତ୍ର ନିରପେକ୍ଷ ବିଚାର
ଅନ୍ୟକୁ କେବେ ପାରିବ ନାହିଁ ସୁଧାରି
ସୁଧୁରିବାର ଅଛି ତ ସୁଧାରି ନିଅ ନିଜେ ନିଜକୁ
ହୁଅ ସଚେତନ ସମାଧାନର ସୂତ୍ର ପାଇବ
ଆସିବ ଏକ ନୂଆ ସକାଳ ପୁଣି ଉଇଁବ ସୂର୍ଯ୍ୟ
ସେ ସବୁ ଛାଡ଼ ଆଗକୁ ଭାବ…।
କୋହି,ବାରିପଦା,ମୟୂରଭଞ୍ଜ।
