ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରୀଙ୍କ ମୃତ୍ୟୁ ଘଟଣା

ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରୀଙ୍କ ମୃତ୍ୟୁ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରି ସମସ୍ତ ଦୋଷୀଙ୍କୁ ଦୃଷ୍ଟାନ୍ତମୂଳକ ଶାସ୍ତି ପ୍ରଦାନ ଦାବିରେ ଏଆଇଡିଏସ୍ଓ ଡାକରାରେ ସାରା ଓଡ଼ିଶା ଛାତ୍ର ଧର୍ମଘଟ ସଫଳ ହେଲା
ବ୍ରହ୍ମପୁର, ତା-୧୭/୦୭/୨୦୨୫; ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରୀଙ୍କ ଦୁଃଖଦ ମୃତ୍ୟୁ ଘଟଣାରେ ସଂପୃକ୍ତ ଅଭିଯୁକ୍ତ ତଥା ଛାତ୍ରୀଙ୍କ ଅଭିଯୋଗ ପରେ କୈାଣସି ପଦକ୍ଷେପ ନେଇନଥିବା ‌‌ ବ୍ୟକ୍ତି ମାନଙ୍କୁ ଦୃଷ୍ଟାନ୍ତମୂଳକ ଶାସ୍ତି ପ୍ରଦାନ କରିବା ଓ ଶିକ୍ଷାନୁଷ୍ଠାନ ସମେତ ସମସ୍ତ ସ୍ଥାନରେ ଛାତ୍ରୀମାନଙ୍କ ନିରାପତ୍ତା ସୁନିଶ୍ଚିତ କରିବା ଦାବିରେ ଏଆଇଡିଏସ୍ଓ ଡାକରାରେ ସାରା ଓଡ଼ିଶା ଛାତ୍ର ଧର୍ମଘଟ ଅବସରରେ ଏଆଇଡିଏସ୍ଓ ଗଞ୍ଜାମ ଜିଲ୍ଲା କମିଟି ତରଫରୁ ପ୍ରଥମେ ଖଲ୍ଲିକୋଟ ବିଶ୍ଵବିଦ୍ୟାଳୟ ସମ୍ମୁଖରେ ପିକେଟିଂ ଆରମ୍ଭ ହୋଇଥିଲା । ତାପରେ ଶଶିଭୂଷଣ ରଥ ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟ, ମହାମୟୀ ମହିଳା ମହାବିଦ୍ୟାଳୟ, ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟ, ସିଟି କଲେଜ ସମେତ ବ୍ରହ୍ମପୁରର ବିଭିନ୍ନ ସ୍କୁଲ ସମ୍ମୁଖରେ ପିକେଟିଂ କରାଯାଇଥିଲା। ଆଜିକାର ଏହି ବନ୍ଦ ଡାକରାରେ ସ୍କୁଲ, କଲେଜ,ଦୋକାନ ବଜାର, ଅଫିସ ଦପ୍ତର ବନ୍ଦ ଥିଲା।
ସୂଚନା ଥାଉକି, ଗତ ଶନିବାର ବାଲେଶ୍ୱର ଫକୀର ମୋହନ କଲେଜରେ ଶିକ୍ଷା ବିଭାଗର ଜନୈକ ଛାତ୍ରୀ ଯେଭଳି ଭାବରେ କଲେଜ କର୍ତ୍ତୃପକ୍ଷ ବିଶେଷ କରି ବିଭାଗୀୟ ମୁଖ୍ୟଙ୍କ ଦ୍ଵାରା ବିଭିନ୍ନ ଭାବେ ନିର୍ଯ୍ୟାତିତ ହେବା ପରେ ମଧ୍ୟ ଅଭିଯୋଗକୁ କର୍ତ୍ତୃପକ୍ଷ ଏବଂ ସ୍ଥାନୀୟ ପ୍ରଶାସନ ଗୁରୁତ୍ଵ ନଦେବାରୁ ଆତ୍ମାହୁତି ଦେଲେ ଏବଂ ଗତ କାଲି ୧୪ ତାରିଖ ଦିନ ତାଙ୍କର ଦୁଃଖଦ ମୃତ୍ୟୁ ଘଟିଛି । ଏହି ଘଟଣା ଶୁଭବୁଦ୍ଧି ସମ୍ପନ୍ନ ଜନଗଣଙ୍କ ହୃଦୟତନ୍ତ୍ରୀକୁ ଦୋହଲାଇ ଦେଇଛି। ଏହି ଘଟଣାରେ ପ୍ରତ୍ୟକ୍ଷ ଓ ପରୋକ୍ଷରେ ସମ୍ପୃକ୍ତ ଦୋଷୀ ମାନଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡ ଏବଂ ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ସହ ମଦ ମାଦକ ଦ୍ରବ୍ୟ ଓ ଅଶ୍ଳିଲତା ନାଗ୍ନତାର ପ୍ରଚାର ପ୍ରସାର ବନ୍ଦ କରିବା ଦାବି କରାଯାଇଛି। ଉକ୍ତ ଦାବିରେ ଆସନ୍ତା ଜୁଲାଇ ୨୩ ତାରିଖ ଦିନ ଭୁବନେଶ୍ଵରରେ ରାଜ୍ୟ ସ୍ତରୀୟ ଛାତ୍ର ବିଖ୍ୟୋଭ ରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଯୋଗ ଦେବା ପାଇଁ ଆହ୍ଵାନ ଦିଆ ଯାଇଛି।
ଆଜିକାର କାର୍ଯ୍ୟକ୍ରମରେ ଏଆଇଡିଏସ୍ ଓ ଗଂଜାମ ଜିଲ୍ଲା ସଭାପତି ନିମାଇଁ ଚରଣ ସାହୁ, ସମ୍ପାଦକ ନାରାୟଣ ସାହୁ, କୋଷାଧ୍ୟକ୍ଷ କିସାନ କୁମାର ସାହୁ, ଜିଲ୍ଲା କମିଟି ସଭ୍ୟା ଶୁଭସ୍ମିତା ପାଣିଗ୍ରାହୀ, ସଭ୍ୟ ବାମିଆ ଉଗ୍ରସେଣ୍ଡିଙ୍କ ସମେତ ସଂଗଠନର ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *