କଂଗ୍ରେସର ବନ୍ଦ ପାଳନ
କଂଗ୍ରେସର ବନ୍ଦ ପାଳନ
ଗଣିଆ – ବାଲେଶ୍ଵର ଏଫଏମ କଲେଜ ଛାତ୍ରୀ ସୈମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁ ପ୍ରତିବାଦରେ ସାରା ରାଜ୍ୟରେ ଆନ୍ଦୋଳନର ନିଆଁ ତେଜିବାରେ ଲାଗିଛି । ବୁଧବାର ବିଜେଡି ତରଫରୁ ବାଲେଶ୍ବର ବନ୍ଦ କରିବା ସହିତ ଲୋକସେବା ଭବନ ଘେରାଉ ହୋଇଥିଲା । କଂଗ୍ରେସ ତରଫରୁ ଓଡ଼ିଶା ବନ୍ଦ ଡ଼ାକରା ଦିଆଯାଇଥିବା ବେଳେ ଗଣିଆ ବ୍ଳକର ବରିଷ୍ଠ କଂଗ୍ରେସ କର୍ମୀଙ୍କ ନେତୃତ୍ବରେ ବନ୍ଦ ପାଳନ ସଫଳ ହୋଇଥିଲା । ଜନସାଧାରଣ ସ୍ବତଃ ପ୍ରବୃତ୍ତ ଭାବେ ଦୋକାନ ବଜାର ବନ୍ଦ କରିଥିବା ବେଳେ ସରକାରୀ ଅଫିସ୍, ତହସିଲ,ବ୍ଳକ,ସ୍କୁଲ,କଲେଜରେ କଂଗ୍ରେସ କର୍ମୀ ପହଞ୍ଚି ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ କରିବାକୁ ନିବେଦନ କରିଥିଲେ । ଗଣିଆ ବଜାର ଉପରେ ଟାୟାର ଜାଳି ପ୍ରତିବାଦ କରିବା ସହିତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ କୁଶ ପୁତ୍ତଳିକା ଦାହ କରି ନାରାବାଜି କରିଥିଲେ । ବିଜେପି ସରକାରରେ ୧ ବର୍ଷ ଭିତରେ ମହିଳାଙ୍କ ପ୍ରତି ଅନ୍ୟାୟ, ଅତ୍ୟାଚାର ବୃଦ୍ଧି ପାଇଥିବାରୁ ସରକାର ଗାଦି ଛାଡ଼ନ୍ତୁ ବୋଲି ସେମାନେ ଦାବି କରିଥିଲେ । ଗଣିଆ ବ୍ଳକ କଂଗ୍ରେସର ବରିଷ୍ଠ କର୍ମୀ ସୁକାନ୍ତ ଶତପଥୀ,ଅବଦୁଲ୍ ହଲିମ୍ ଖାଁ,ରବିନ୍ଦ୍ର ରାଉତ, ପ୍ରଦୀପ୍ତ କୁମାର ମହାପାତ୍ର, ତ୍ରିନାଥ ବେହେରା,ଯୋଗୀ ସାହୁ,ଭାବୁନି ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ । ଗଣିଆ ଥାନା ଅଧିକାରୀ ଲକ୍ଷ୍ମଣ ଦଣ୍ଡସେନା, ଏସଆଇ ଶ୍ୟାମସୁନ୍ଦର ପ୍ରଧାନ, ଏଏସଆଇ ମନୋରଞ୍ଜନ ପ୍ରଧାନ ପ୍ରମୁଖ ବ୍ଳକର ପ୍ରମୁଖ ଛକ ଗୁଡିକରେ ରହି ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ । ଗଣିଆ ରୁ ଜ୍ଞାନୀ ପ୍ରକାଶ ସେନାପତିଙ୍କ ରିପୋର୍ଟ
