ଗୀତ ଗାଏ ଚଷା ଦେଖି ବରଷା

        ଗୀତ ଗାଏ ଚଷା ଦେଖି ବରଷା
               ( ରାଗ — ଆନନ୍ଦ )
     
 ✍🏼କବିରତ୍ନ ନୂତନ କୁମାର ବେହେରା

ଆସିଛି ଆଷାଢ଼’ ନେଇ ବରଷା’
        ମନେ ପ୍ରାଣେ ଭରି’ ଦିଏ ଭରସା’,
ଆନନ୍ଦେ ନାଚି’ ଉଠଇ ଧରା’
        ଆକାଶରୁ ଖସେ’ ବାରିର ଧାରା’।
ଛାଇ ଆଉ ଖରା ଦିବସ ସାରା
         ତମସା ଗଗନେ ଦିଶେନା ତାରା,
ଦୂରେଇ ଯାଏ ତପ୍ତ ନିଦାଘ
      ଭାସି ବୁଲେ ସଦା ଉର୍ଦ୍ଧ୍ଵରେ ମେଘ।
ମୌସୁମୀ ଆସିଛି ଉଡ଼େ ତା’ କାନି
            ଜଗତେ ସହାର୍ଦ୍ଦ ଦିଅଇ ଆଣି,
ବର୍ଷା ବରଷେ ଝରଇ ପାଣି
          ଅଭିନବ ବେଶ ଧରେ ଧରଣୀ।
ପ୍ରକୃତିର ଶିରୀ ଉଠଇ ହସି
           ନବ ପଲ୍ଲବରେ ପ୍ରଭା ପ୍ରକାଶି,
ଆଶାର ଦୀପ ହୃଦୟେ ଜାଳି
        କୃଷକ ଦିଅଇ ହସ୍ତେ ପୁଷ୍ପାଞ୍ଜଳି।
ମୁଖରୁ ଝରାଇ ମଧୁର ଭାଷା
         ଗୀତ ଗାଏ ଚଷା ଦେଖି ବରଷା,
ସୁଫଳା ହେଉ ସାରା ଅବନି
        ସୁଖରେ ଶାନ୍ତିରେ ରୁହନ୍ତୁ ପ୍ରାଣୀ।
ସଜବାଜ ହୋଇ ଚଷା ତତ୍ପରେ
        ଶ୍ରମ କରେ ଯାଇ ତାର ବିଲରେ,
ମାନେନା ବାଧା ଭିଜେ ବର୍ଷାରେ
      ବ୍ରତ ପାଳି ରହେ ଜନ ସେବାରେ।
ମାନବ ଜାତିର ସେ ମେରୁଦଣ୍ଡ
        ସଂସାରେ ସଂପର୍କ ରଖେ ଅଖଣ୍ଡ,
ସୁବୁରି ତୁଣ୍ଡେ ଦିଅଇ ଦାନା
        ଜନ ହିତେ କରେ କର୍ମ ସାଧନା।
ଆଷାଢ଼ ଶ୍ରାବଣ ବରଷା ଋତୁ
         ସମ୍ବର୍ଦ୍ଧନା ପା’ନ୍ତି ତାହାରି ହେତୁ,
ଶସ୍ୟ ଶ୍ୟାମଳେ ସବୁଜ ମହୀ
          କରି ଦିଏ ସିଏ ସଂକଳ୍ପେ ରହି।
ଗୀତ ଗାଏ ଚଷା ଦେଖି ବରଷା
       ଜଗତ କରଇ ତା’ଠାରେ ଭରସା,
ଚାଷ ବିହୁନେ ପ୍ରାଣର ହାନୀ,
     ଚାଷେ ଚଷା କରେ ଦେଶକୁ ଧନୀ।

      କୋହି,ବାରିପଦା,ମୟୂରଭଞ୍ଜ।

Leave a Reply

Your email address will not be published. Required fields are marked *