ବିଦ୍ୟୁତ୍ ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ

ବିଦ୍ୟୁତ୍ ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ,
୩ବଖରା ଘର ସହ ଲକ୍ଷାଧିକ ଟଙ୍କାର ଆସବାବପତ୍ର ପୋଡ଼ି ନଷ୍ଟ

ଅସ୍ତରଙ୍ଗ – ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ୍ ଅନ୍ତର୍ଗତ ଶିଶୁଅ ପଞ୍ଚାୟତ ଉଦୟକଣି ଗ୍ରାମରେ ଅଗ୍ନିକାଣ୍ଡ ଘଟି ୩ ବଖରା ଘର ସହ ଲକ୍ଷାଧିକ ଟଙ୍କାର ଆସବାବାପତ୍ର ପୋଡ଼ି ନଷ୍ଟ ହୋଇ ଯାଇଛି। ଶୁକ୍ରବାର ରାତ୍ର ୧୧ଘଟିକା ସମୟରେ ହଠାତ୍ ବିଦୁତ୍ ସର୍ଟ ସର୍କିଟ କାରଣରୁ ଅଗ୍ନିକାଣ୍ଡ ଘଟିଥିଲା ବୋଲି ଅନୁମାନ କରାଯାଉଅଛି । ଉଦୟକଣି ଗ୍ରାମର କପିଳେନ୍ଦ୍ର କାଣ୍ଡି ତାଙ୍କ ପରିବାର ସହ ଘରେ ଶୋଇଥିବା ବେଳେ ନିଆଁ ହୁତୁହୂତୁ ହୋଇ ଜଳୁଥିବା ଦେଖିବାକୁ ପାଇଲେ, ତୁରନ୍ତ ସେ ନିଜ ସ୍ତ୍ରୀ ଓ ଝିଅଙ୍କ ସହ ଗୃହପାଳିତ ପଶୁ ମାନଙ୍କୁ ଉଦ୍ଧାର କରି ଘରୁ ଜୀବନ ବିକଳରେ ବହାରି ଆସିଥିଲେ । ଭୟାଭୟ ଅଗ୍ନିକାଣ୍ଡ କାରଣରୁ ୩ବଖରା ଚାଳ ଘର ସଂପୂର୍ଣ୍ଣ ପୋଡ଼ି ଯାଇଥିଲା । ଘର ଭିତରେ ଥିବା ସମସ୍ତ ଆସବାବପତ୍ର, ଲୁଗାପଟା, ବାସନ କୁସନ, ଖାତାବହି, ଅତ୍ୟାବଶ୍ୟକ କାଗଜପତ୍ର, ଧାନ ଚାଉଳ ସହ ଏକ ସ୍କୁଟି ଗାଡ଼ି, ସଇକେଲ ଏବଂ ୩ଟି ମୋବାଇଲ ମଧ୍ୟ ପୋଡ଼ି ପାଉଁଶ ହୋଇଯାଇଛି। ଏଥି ସହିତ ନିଜ ଝିଅ ବାହାଘର କରିବା ପାଇଁ ରଖିଥିବା ନଗଦ ୫୦ ହଜାର ଟଙ୍କା ସହ ସୁନା ରୂପା ଅଳଙ୍କାର ସବୁ ପୋଡ଼ି ପାଉଁଶ ହୋଇଯାଇଛି । ଯାହାକୁ ସହି ନପାରି କାନ୍ଦି କାନ୍ଦି କହୁଥାନ୍ତି କପିଳେନ୍ଦ୍ର କାଣ୍ଡିଙ୍କ ସ୍ତ୍ରୀ କନକ। ଖବରପାଇ ଘଟଣା ସ୍ଥଳରେ ଚମ୍ପାହର ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିବା ପୂର୍ବରୁ ଘର ସହ ଲକ୍ଷାଧିକ ଟଙ୍କାର ସମସ୍ତ ଆସବାବପତ୍ର ସମ୍ପୂର୍ଣ ପୋଡ଼ି ପାଉଁଶ ହୋଇ ଯାଇଥିଲା । ଉକ୍ତ ପରିବାର ଗରିବ ଦିନ ମଜୁରୀଆ ଦଳିତ ଶ୍ରେଣୀରେ ହୋଇଥିବା ବେଳେ ଏପରି କ୍ଷୟକ୍ଷତି ତାଙ୍କ ପରିବାରକୁ ସମ୍ପୂର୍ଣ୍ଣ ବାସହରା କରିଦେଇଛି । ଯାହା ଗ୍ରାମବାସୀଙ୍କ ମହଲରେ ଦୁଃଖର ଛାୟା ଖେଳି ଯାଇଛି । ଏଣୁ ତାଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଜରୁରୀ କାଳୀନ ଭିତ୍ତିରେ ଆବାସ ଗୃହ ପ୍ରଦାନ ଓ ତହସିଲ୍ ପ୍ରସାସନ ପକ୍ଷରୁ ତୁରନ୍ତ ଆବଶ୍ୟକ ସହାୟତା ଯୋଗାଇ ଦେବାକୁ ଯୁବନେତା ରମାବଲ୍ଲଭ ପ୍ରଧାନ ପୁରୀ ଜିଲ୍ଲାପାଳ, ଅସ୍ତରଙ୍ଗ ବିଡ଼ିଓ ଓ ଅସ୍ତରଙ୍ଗ ତହସିଲଦାରଙ୍କୁ ନିବେଦନ କରିଛନ୍ତି । ସାମାଜିକ କର୍ମୀ ଜ୍ଞାନ ରଞ୍ଜନ ବିଶ୍ଵାଳ ପହଞ୍ଚି ପୀଡିତ ପରିବାରକୁ ଶୁଖିଲା ଖାଦ୍ୟ ଓ ବସ୍ତ୍ର ପ୍ରଦାନ କରିଛନ୍ତି।

Leave a Reply

Your email address will not be published. Required fields are marked *