ବ୍ରହ୍ମଗିରି ଏବଂ ପୁରୀ ସଦର ଏକ କୃଷି ପ୍ରଧାନ ଅଞ୍ଚଳ
ବ୍ରହ୍ମଗିରି ଏବଂ ପୁରୀ ସଦର ଏକ କୃଷି ପ୍ରଧାନ ଅଞ୍ଚଳ । ଏଥିରେ ପ୍ରାୟ ୭୦ ପ୍ରତିଶତ ଲୋକ ଧାନ ଚାଷ ଉପରେ ନର୍ଭର କରନ୍ତି । ଏଥିରେ ଚାଷୀ ତାର ସଂସାରକୁ ନେଇ ସ୍ୱପ୍ନ ଦେଖେ ଏବଂ ପରିବାର ପ୍ରତିପୋଷଣ କରେ । ଗତ ରବି ଋତୁରେ ଚାଷୀମାନଙ୍କର ସମସ୍ତ ଧାନ କିଣିବା ପାଇଁ ସରକାରଙ୍କ ତରଫରୁ ଘୋଷଣା କରାଯାଇଥିଲା । ଚାଷୀମାନେ ସେହି ଅନୁସାରେ ସମସ୍ତ ସେବା ସମବାୟ ସମିତିରେ ସରକାରୀ ନିୟମ ମୁତାବକ ପଞ୍ଜିକରଣ କରିଥିଲେ ।ପଞ୍ଜିକରଣ ଅନୁସାରେ ଚାଷୀମାନଙ୍କ ପାଇଁ ଟାର୍ଗେଟ ଫିକ୍ସ ହୋଇଥିଲା ଏବଂ ଟାର୍ଗେଟ ଅନୁଯାୟୀ ଚାଷୀମାନଙ୍କୁ ଟୋକନ ମଧ୍ୟ ପ୍ରଦାନ କରାଯାଇଥିଲା । କିନ୍ତୁ ସରକାର ଟାଳଟୁଳ ନୀତି ଅବଲମ୍ବନ କରି ସେବା ସମବାୟ ସମିତି ଗୁଡ଼ିକୁ ନିର୍ଦ୍ଧାରିତ ସମୟରେ ଟାର୍ଗେଟ ନଦେଇ ଚାଷୀମାନଙ୍କ ସହ ଖେଳ ଖେଳିଲେ ଏବଂ ଯାହା ଟାର୍ଗେଟ ଦିଆଯାଇଥୁଲା ତାହା ବିଭିନ୍ନ ପର୍ଯ୍ୟାୟରେ ଦିଆଗଲା ଏବଂ ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ଏବଂ ଚିନ୍ତାଜନକ ବିଷୟ ଧାନ ସଂଗ୍ରହର ଅବଧି ଜୁନ ମାସ ୩୦ ତାରିଖ ରାତି ୧୨ ଘଟିକା ସମୟରେ ଶେଷ ହେଉଥିବାବେଳେ ରାତି ୯.୪୫ ମିନିଟ ସମୟରେ ବ୍ରହ୍ମଗିରି ଏବଂ ପୁରୀ ସଦର ବ୍ଲକର ସମସ୍ତ ପ୍ରାଥମିକ ସେବା ସମବାୟ ସମିତି ଗୁଡିକୁ ଟାର୍ଗେଟ ପ୍ରଦାନ କରାଗଲା । ଯାହା ଫଳରେ ସମସ୍ତ ପଞ୍ଜିକୃତ ହୋଇଥିବା ଚାଷୀମାନଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇବା ସହିତ ଏକ ବିଷମ ପରିସ୍ଥିତି ସୃଷ୍ଟି ହୋଇଥିଲା । ବର୍ତ୍ତମାନ ସୁଦ୍ଧା ପଞ୍ଜିକୃତ କରିଥିବା ପ୍ରାୟ ୫୦ ପ୍ରତିଶତ ଚାଷୀ ନିଜର ଉତ୍ପାଦିତ ଧାନ ସରକାରୀ ବ୍ୟବସ୍ଥାରେ ବିକ୍ରି କରିବାରୁ ବଞ୍ଚିତ ହୋଇଛନ୍ତି । ଚାଷୀମାନେ ମନ୍ତ୍ରୀଙ୍କର ପ୍ରତିଶ୍ରୁତି ପାଇ ମଣ୍ଡିରେ ଧାନ ଥୋଇ ଏପର୍ଯ୍ୟନ୍ତ ଅପେକ୍ଷା କରିଥିଲେ ମଧ୍ୟ ସମ୍ବେଦନହୀନ ସରକାର ପ୍ରତିଶ୍ରୁତି ମୁତାବକ ଧାନ କିଣିଲେ ନାହିଁ । ଯାହା ଫଳରେ ବ୍ରହ୍ମଗିରିର ହଜାର ହଜାର ଚାଷୀକୂଳ କ୍ଷତିଗ୍ରସ୍ତ ହେବା ସହ ମଣ୍ଡିରେ ଧାନ ରଖୁ କାନ୍ଦୁଛନ୍ତି । ଚାଷୀମାନଙ୍କର ସମସ୍ତ ସ୍ୱପ୍ନ ଧୂଳିସାତ ହୋଇଛି, ତାଙ୍କ ଗଚ୍ଛିତ ଧାନକୁ କ’ଣ କରିବେ ସେ ନେଇ ଗଭୀର ଚିନ୍ତାରେ ପଡିଛନ୍ତି । ଏନେଇ ଆଜି ବ୍ରହ୍ମଗିରି ବିଜୁ ଜନତା ଦଳ ପକ୍ଷରୁ ଏକ ବିରାଟ ରାଳି ସହ ଟାକ୍ଟର ସାହାଯ୍ୟରେ ମଣ୍ଡିରେ ପଡ଼ିଥିବା ଧାନ କୁ ଆଣି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇ ଜିଲ୍ଲପାଳଙ୍କୁ ଦାବି ପ୍ରଦାନ କରିଛନ୍ତି ଏବଂ ଜିଲ୍ଲାପାଳ ମଧ୍ୟ ଏହାକୁ ଗୁରୁତର ସହ ନେଇ ସରକାରଙ୍କ ନିକଟଙ୍କୁ ପହଞ୍ଚାଇବେ ବୋଲି ପ୍ରତିଶୃତି ପ୍ରଦାନ କରିଛନ୍ତି
