ଗୋଡ଼ ଦୁଇଟି

                  ଗୋଡ଼ ଦୁଇଟି

  🖋️କବିରତ୍ନ ନୂତନ କୁମାର ବେହେରା

ସୁସ୍ଥ ଏକ ଶରୀରର ସମୁଦାୟ ଓଜନକୁ ବୋହି
ଭାରସାମ୍ୟ ରଖି ଚାଲିଥାନ୍ତି ଗୋଡ଼ ଦୁଇଟି
କେବେ କେବେ ମୁଣ୍ଡରେ ଅବା କାନ୍ଧ କି ପିଠିରେ
ସାମର୍ଥ୍ୟ ନେଇ ବୋଝ ଉଠାଇ ବି ଚାଲିଥାନ୍ତି
ଡାହାଣ ଗୋଡ଼ ପାହୁଣ୍ଡେ ଆଗରେ ପଡ଼ିଲା ବେଳକୁ
ବାମ ଗୋଡ଼ ପ୍ରସ୍ତୁତ ହୋଇ ଯାଏ ଉଠିବାକୁ
ତାଳ ମେଳ ରଖିବାରେ ଏତେ ଅଭ୍ୟସ୍ତ ଦୁହେଁ
ଯିବା ଆସିବାରେ ହୁଏନା କିଛି ବି ଅସୁବିଧା
ଯଦି ଆକସ୍ମିକ ଭାବେ ଗୋଡ଼ରେ ଗୋଡ଼ ହୁଏ ଛନ୍ଦି
କଚଡ଼ା ଖାଇ ବା ଆଣ୍ଠୁମାଡ଼ି ପଡ଼ି ଯିବା ନିଶ୍ଚିତ
ତେଣିକି ଦେହର ଅବସ୍ଥା ହୁଏ କଷ୍ଟଦାୟକ
ଏ ଗୋଡ଼ ଦୁଇଟିରୁ ବୁଝିବାର ଅଛି ବହୁତ କିଛି
ଚାଲୁ ଚାଲୁ ଯେବେ ଉଠି ନ ଥାଏ ଗୋଟିଏ ଗୋଡ଼
ସେଇଠି ପଥିକ ବିଚରା ରହିଯାଏ ଅଟକି
ସମୟାନୁସାରେ ପହଞ୍ଚି ହୁଏନାହିଁ ଲକ୍ଷ୍ୟସ୍ଥଳରେ
ସମସ୍ୟା ବଢ଼ି ସୃଷ୍ଟି ହୁଏ ଜଟିଳ ପରିସ୍ଥିତି
ଗୋଡ଼’ର ତାଳ ମେଳ ପରି ଚାଲିଛି ସାରା ଦୁନିଆଁ
ଗୋଟିଏ’ର ଅଭାବରେ ଜଣା ପଡ଼େ ତାର ମୂଲ୍ୟ 
ଦିନରାତି ଆଲୁଅ ଅନ୍ଧାର ବା ଖରାଛାଇ ଯା’ ହେଉ
କି ହସଲୁହ ସୁଖଦୁଃଖ ଅବା ଭଲମନ୍ଦ କିଛି ବି
ଦୁଇଟି ଏକ କ୍ରମଧାରାରେ ଚାଲିଲେ ସବୁ ହୁଏ ଠିକ୍
ପ୍ରକୃତି ନିୟମ କହେ ସମତାରେ ରହେ ସୁସମ୍ପର୍କ
ଯେଉଁଠି ହୁଏ ବ୍ୟତିକ୍ରମ ବା ଦେଖାଦିଏ ତାରତମ୍ୟ
ସମ ହୋଇ ବିଷମ ଘଟିଥାଏ କିଛି ବି ଅନର୍ଥ
ଭାବର ସୁସଂପର୍କ ମଧ୍ୟ ବିଗିଡ଼ି ଯାଇ ବନ୍ଧୁ ହୁଏ ଶତ୍ରୁ
ଭାଇ ହୁଏ ଭଗାରି ପତିପତ୍ନୀ ମଧ୍ୟରେ ଉଠେ ଝଡ଼
ସେମିତି କଥା ଆଉ କାମ ଦାୟିତ୍ଵ ଓ କର୍ତ୍ତବ୍ୟ ମଧ୍ୟରେ
ନ ରହିଲେ ତାଳ ମେଳ ହୋଇଥାଏ ଭୁଲ୍ ବୁଝାମଣା 
ଏକ ଉପରେ ଆଉ ଏକ ସର୍ବଦା ରହେ ନିର୍ଭରଶୀଳ
ସହଯୋଗରେ ଓ ସହଭାଗିତାରେ ଚାଲେ ସବୁ ନୀତି
ମନର ଭାବ ନ ବୁଝିଲେ ଠିକ୍ ମନରେ ଆସେ ଦ୍ବନ୍ଦ୍ଵ
ହୃଦୟର କଥା ଜାଣି ନ ପାରିଲେ ହୁଏ ବାଦ ବିବାଦ
ଜୀବନର ମର୍ମ ବୁଝାଇ ଦିଅନ୍ତି ଗୋଡ଼ ଦୁଇଟି…।

        କୋହି,ବାରିପଦା,ମୟୂରଭଞ୍ଜ,
ଦୂରଭାଷା — ୮୦୧୮୩୫୩୩୨୨

Leave a Reply

Your email address will not be published. Required fields are marked *