ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ୨୦ତମ କିସ୍ତି ବଣ୍ଟନ

ଛତ୍ରପୁର ତା. ୦୨.୦୮.୨୫ ପ୍ରଧାନ ମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ୨୦ତମ କିସ୍ତି ବଣ୍ଟନନିମନ୍ତେ ଜିଲ୍ଲା ପରିଷଦର ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଗଞ୍ଜାମ ଜିଲ୍ଲାପାଳ ଓ୍ବି. କୀର୍ତ୍ତି ଭାସନ୍ ଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ମୁଖ୍ୟ କାର୍ଯ୍ୟକ୍ରମ ଉତ୍ତର ପ୍ରଦେଶର ବାରଣାସୀଠାରେ ଅନୁଷ୍ଠିତ ହୋଇଥିଲା । ଏହାକୁ ଆଭାସୀ ମାଧ୍ୟମରେ ପ୍ରଦର୍ଶନ କରାଯାଇଥିଲା । ପ୍ରାରମ୍ଭରେ ଜିଲ୍ଲାପାଳ କୀର୍ତ୍ତି ଭାସନ୍ ସମସ୍ତଙ୍କୁ ସ୍ବାଗତ କରିବା ସହ ଗଞ୍ଜାମ ଜିଲ୍ଲାର ପ୍ରାୟ ୧ଲକ୍ଷ ୭୦ହଜାର କୃଷିଜୀବୀଙ୍କୁ ୨୦ତମ କିସ୍ତି ପ୍ରଦାନ କରାଯାଇଛି ଏବଂ ଏହା ଆସନ୍ତା ଖରିଫ୍ ଋତୁରେ ଚାଷୀ ମାନଙ୍କୁ ଏହି ଅର୍ଥ ସାହାଯ୍ୟ କରିବ ବୋଲି କହିଥିଲେ । ଚାଷୀ ଭାଇ ମାନଙ୍କ ସୁବିଧା ଅସୁବିଧାରେ ପ୍ରଶାସନ ସଦାସର୍ବଦା ସହାୟତା କରିବ । ସମସ୍ତେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ । ମାନନୀୟା ଆସ୍କା ସାଂସଦ ଅନୀତା ଶୁଭଦର୍ଶିନୀ ତାଙ୍କ ବକ୍ତବ୍ୟରେ କହିଥିଲେଯେ, କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗ କ୍ରମେ ସମସ୍ତ ଅନ୍ନଦାତା କୃଷିଜୀବୀଙ୍କ ସମସ୍ତ ସମସ୍ୟା ଦୂର ହୋଇପାରିବ । ମାନ୍ୟବର ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ ତାଙ୍କ ବକ୍ତବ୍ୟରେ ଜଣାଇଥିଲେଯେ, କିଷାନ ହେଉଛି ସବୁଠାରୁ ବଳିଷ୍ଠ ବ୍ୟକ୍ତିତ୍ବ । ଦିନରାତି କଷ୍ଟ ସହି ଜଗତକୁ ଆହାର ଯୋଗାଉଛନ୍ତି । ୩ ଲକ୍ଷ ୭୫ହଜାର କୋଟି ଟଙ୍କା ଏ ପର୍ଯ୍ୟନ୍ତ ଚାଷୀ ଭାଇ ମାନଙ୍କୁ ଦିଆ ସରିଛି । ପ୍ରଧାନ ମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଅର୍ଥ ବିହନ, ସାର ଓ ଔଷଧ ଆଦି ପାଇଁ ଦରକାରରେ ଆସିବ । ମାନ୍ୟବର ବିଧାୟକ ଚିକିଟି ମନୋରଞ୍ଜନ ଦ୍ୟାନ ସାମନ୍ତରାୟ କହିଥିଲେଯେ, ଚାଷୀ ହେଉଛି ଦେଶର ମେରୁଦଣ୍ଡ । ପ୍ରଧାନ ମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ନିଶ୍ଚିତ ଭାବେ କିଷାନଙ୍କ ମନୋବଳକୁ ବୃଦ୍ଧି କରିବ ।

ପ୍ରଧାନ ମନ୍ତ୍ରୀ ଫସଲ ବୀମା ଯୋଜନାକୁ ମଧ୍ୟ ଗୁରୁତ୍ବ ଦିଆଯାଉଛି । କୃଷିଜୀବୀ ମାନଙ୍କ ନିମନ୍ତେ ଲାଗୁ କରାଯାଇଥିବା ସରକାରୀ ଯୋଜନା ଗୁଡିକ ଗ୍ରାମଞ୍ଚଳରେ ପହଞ୍ଚାଇ ପାରିଲେ ସମସ୍ତେ ତାର ସୁଫଳ ପାଇପାରିବେ । ମାନ୍ୟବର ବିଧାୟକ ସୋରଡା ନୀଳମଣୀ ବିଷୋୟୀ ତାଙ୍କ ବକ୍ତବ୍ୟରେ କହିଥିଲେଯେ, କୃଷକର ବିକାଶରେ ଦେଶର ବିକାଶ । କୃଷକ ମାନଙ୍କ ବିକାଶ ନିମନ୍ତେ ସମସ୍ତ ଅଧିକାରୀ ଓ ଜନ ପ୍ରତିନିଧଙ୍କ ସହଯୋଗ ଲୋଡା । ମାନନୀୟା ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳୀ ସ୍ବାଇଁ ତାଙ୍କ ବକ୍ତବ୍ୟରେ କହିଥିଲେଯେ,ଗଞ୍ଜାମ ଜିଲ୍ଲା କୃଷି ପ୍ରବଣ ଜିଲ୍ଲା । କୃଷକର ବିକାଶ ଘଟିଲେ ଜିଲ୍ଲାର ବିକାଶ ହେବ । ମାନନୀୟା ଜିଲ୍ଲା ପରିଷଦ ଉପାଧ୍ୟକ୍ଷା କହିଥିଲେଯେ, ଜିଲ୍ଲାରେ ବର୍ଷାର ଅଭାବ ରହିଛି । ଚାଷୀ ଭାଇ ମାନଙ୍କୁ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦେଲେ ଦେଶର ଅର୍ଥନୈତିକ ମେରୁଦଣ୍ଡ ଉନ୍ନତ ହୋଇପାରିବ । ଶେଷରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଅଜୟ କୁମାର କର ଧନ୍ୟବାଦ ଅର୍ପଣ କରିଥିଲେ । ବୈଠକରେ ଜିଲ୍ଲାର ପ୍ରାୟ ୨୦୦ ରୁ ଉର୍ଦ୍ଧ୍ବ କୃଷିଜୀବୀ ଭାଇ ଓ ଭଉଣୀମାନେ ତଥା ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ହିତାଧିକାରୀଗଣ, ସମସ୍ତ ଲାଇନ୍ ବିଭାଗୀୟ ଅଧିକାରୀଗଣ ଉପସ୍ଥିତ ଥିଲେ । ,

Leave a Reply

Your email address will not be published. Required fields are marked *