ଜିଲ୍ଲା ସ୍ତରୀୟ ପିଏମ କିଷାନ
ଜିଲ୍ଲା ସ୍ତରୀୟ ପିଏମ କିଷାନର ୨୦ ତମ କିସ୍ତି ବଣ୍ଟନ-
ଜିଲ୍ଲାର ମୋଟ ୧,୨୧,୨୫୪ ଚାଷୀ ହେଲେ ଲାଭାନ୍ବିତ
ଜଗତସିଂହପୁର ୨/୮ ଜଗତସିଂହପୁର ଆଜି ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତରପ୍ରଦେଶର ବାରଣାସୀ ସହରଠାରେ ଆୟୋଜିତ ପିଏମ କିଷାନ ସମ୍ମାନନିଧି ପାଳନ ସମାରୋହରେ ଦେଶର ୯କୋଟି ୭୦ ଲକ୍ଷ ରୁ ଉର୍ଦ୍ଧ୍ବ ଚାଷୀଙ୍କୁ ୨୦ ହଜାର ୫୦୦କୋଟି ଟଙ୍କା ହସ୍ତାନ୍ତର କରିଛନ୍ତି।ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ଆଦିକବି ସାରଳା ଦାସ ସଂସ୍କୃତି ଭବନ ଠାରେ ଜିଲ୍ଲା କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ କିଷାନ ସମ୍ମାନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଜେ. ସୋନାଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ମନ୍ତ୍ରୀ ଉଚ୍ଚ ଶିକ୍ଷା, କ୍ରୀଡା ଓ ଯୁବସେବା ତଥା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଶ୍ରୀ ସୂର୍ଯ୍ୟବଂଶୀ ସୂରଜ୍ , ସମ୍ମାନିତ ଅତିଥି ଭାବେ ମାନ୍ୟବର ବିଧାୟକ ଜଗତସିଂହପୁର ଅମରେନ୍ଦ୍ର ଦାସ , ପୌର ପରିଷଦ ଅଧ୍ୟକ୍ଷା ଅର୍ଚ୍ଚନା ସିଂହ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ବିଶ୍ୱଜିତ୍ ପଣ୍ଡା, କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଡଃ ଦେବାଶିଷ ପଣ୍ଡା ପ୍ରମୁଖ ମଞ୍ଚାସୀନ ଥିଲେ I ମାନ୍ୟବର ମନ୍ତ୍ରୀ ସୂର୍ଯ୍ୟବଂଶୀ ଜିଲ୍ଲାକୁ ବରପୁତ୍ରଙ୍କ ମାଟି ତଥା ରାଜନୈତିକ, ସାମାଜିକ , ଅର୍ଥନୈତିକ ଅଭିବୃଦ୍ଧିର ପୃଷ୍ଠପୋଷକ ବୋଲି ସମ୍ବୋଧନ କରିଥିଲେ।ଜିଲ୍ଲାର ବିକାଶ କୃଷକ ମାନଙ୍କ ବିକାଶରେ ସମ୍ଭବ ଯାହା ଏକ ବିକଶିତ ରାଷ୍ଟ୍ର ଗଠନରେ ସହାୟକ ବୋଲି ସେ କହିଥିଲେ। ଭାରତ ଆଜି ବିଶ୍ବରେ ଚତୁର୍ଥ ବୃହତ୍ ଅର୍ଥନୀତିର ସମ୍ମାନ ପାଇପାରିଛି ,ଯାହା ଏକ ଗୌରବର ବିଷୟ।ଜଗତସିଂହପୁର ଜିଲ୍ଲାରେ ପାରାଦ୍ଵୀପ ବନ୍ଦର ଓଡ଼ିଶା ବିକାଶର ମଙ୍ଗ ଧରିବ। ବନ୍ଦର ଭିତ୍ତିକ ଶିଳ୍ପାନୁଷ୍ଠାନ ସ୍ଥାପନ କରି ଜିଲ୍ଲାରେ କୁଶଳୀ ଯୁବ ପିଢୀଙ୍କୁ ଆତ୍ମନିର୍ଭର କରିବା ସରକାରଙ୍କ ଲକ୍ଷ୍ୟ।୨୦୩୬ ସୁଦ୍ଧା ବିକଶିତ ଓଡ଼ିଶାର ଚିତ୍ରରେ ବିକଶିତ ଜଗତସିଂହପୁର ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ମନ୍ତ୍ରୀ ସୂର୍ଯ୍ୟବଂଶୀ ଦୃଢୋକ୍ତି ପ୍ରକାଶ କରିଥିଲେ।ଜିଲ୍ଲାରେ ମାଛ ଚାଷ କିପରି ଭାବେ ବୃଦ୍ଧି ପାଇବ, ବନ୍ଦର, ପର୍ଯ୍ୟଟନ ସ୍ଥଳୀ,ଶିଳ୍ପର ବିକାଶ ସାଧନ କରିବା ନିମନ୍ତେ ମନ୍ତ୍ରୀ ଜିଲ୍ଲା ପ୍ରଶାସନ ର ସହଯୋଗ କାମନା କରିଥିଲେ। ସମ୍ମାନିତ ଅତିଥି ଭାବେ ବିଧାୟକ ଅମରେନ୍ଦ୍ର ଦାସ ସରକାରଙ୍କର ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ମାଧ୍ୟମରେ କୃଷକ ସମାଜର ଉନ୍ନତି ହେଲେ ଦେଶର ଅର୍ଥନତିକ ଅଭିବୃଦ୍ଧି ସହ ସାମଗ୍ରିକ ବିକାଶ ଦୁଇ ଗୁଣିତ ହେବ ବୋଲି କହିଥିଲେ।ଏତଦବ୍ୟତୀତ ବିଧାୟକ ଶ୍ରୀ ଦାସ ଜିଲ୍ଲାର ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମର ଉନ୍ନତିକରଣ ନିମନ୍ତେ ମନ୍ତ୍ରୀଙ୍କୁ ପ୍ରସ୍ତାବ ରଖିଥିଲେ। ପୌର ପରିଷଦ ଅଧ୍ୟକ୍ଷା ଅର୍ଚ୍ଚନା ସିଂହ ମଧ୍ୟ କୃଷକ ସମାଜର ବିକାଶ ହେଲେ ବିକଶିତ ରାଷ୍ଟ୍ର ଗଠନ ସମ୍ଭବ ବୋଲି କହିଥିଲେ।
ଜିଲ୍ଲାର ମୋଟ ୧,୨୧, ୨୫୪ଜଣ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଆଜି ପ୍ରତ୍ୟେକ ୨୦୦୦ ଟଙ୍କା ଲେଖାଏଁ ହସ୍ତାନ୍ତର ହୋଇଛି ବୋଲି କୃଷି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି I
ଏଠାରେ ସୂଚନା ଥାଉ କି, କୃଷକମାନଙ୍କ ଆର୍ଥିକ ଆବଶ୍ୟକତା ପୂରଣ କରିବା ପାଇଁ ପି-ଏମ କିଷାନ ଯୋଜନା ଏକ କଲ୍ୟାଣକାରୀ ଯୋଜନା। ଏହି ଯୋଜନାରେ ଚାଷୀଙ୍କୁ ସହାୟତା ରାଶି ଭାବରେ ବର୍ଷକୁ ୬୦୦୦ ଟଙ୍କା ତିନି ଗୋଟି କିସ୍ତି ମାଧ୍ୟମରେ ପ୍ରଦାନ କରାଯାଇ ଥାଏ।
ଅନ୍ୟମାନଙ୍କ ମଧ୍ୟରେ କୃଷି ଜିଲ୍ଲା ଅଧିକାରୀ,ତିର୍ତ୍ତୋଲ ବ୍ଲକ୍ କୃଷି ଅଧିକାରୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ଜିଲ୍ଲା ସଂସ୍କୃତି ଅଧିକାରୀ, ଜିଲ୍ଲା କ୍ରୀଡା ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ମନ୍ତ୍ରୀ ସୂର୍ଯ୍ୟବଂଶୀ ମଧ୍ୟ ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ୍ ପରିଦର୍ଶନ କରିଥିଲେ।
