ନାହିଁ ନାହିଁ ରେ ରାସଙ୍ଗ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର, ନାହାନ୍ତି ଡ଼ାକ୍ତର କି ଫାର୍ମାସିଷ୍ଟ

ନାହିଁ ନାହିଁ ରେ ରାସଙ୍ଗ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର, ନାହାନ୍ତି ଡ଼ାକ୍ତର କି ଫାର୍ମାସିଷ୍ଟ

ଗଣିଆ -ଗ୍ରାମାଞ୍ଚଳ ତଥା ଅପହଞ୍ଚ ଇଲାକାରେ ସ୍ବାସ୍ଥ୍ୟ ସେବା ଯୋଗାଇବା ପାଇଁ ସରକାରଙ୍କ ତରଫରୁ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଖୋଲାଯାଇଛି । ଏଠାରେ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇବା ସହିତ ରୋଗୀଙ୍କୁ ମାଗଣାରେ ଓାୖଷଧ ବଣ୍ଟନ କରାଯାଉଛି । ଏଥିପାଇଁ ରାଜ୍ୟ ରାଜକୋଷରୁ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା । ସରକାର ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଅନେକ ପରିବର୍ତନ ଆଣିଥିବା କହି ସଫଳତାର ଡିଣ୍ଡିମ ପିଟୁଛନ୍ତି କିନ୍ତୁ ବାସ୍ତବ ଚିତ୍ର ସଂପୂର୍ଣ୍ଣ ଓଲଟା । ଗ୍ରାମାଞ୍ଚଳରେ ଥିବା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଅବସ୍ଥା ନକହିବା ଭଲ । କହିବାକୁ ଗଲେ ଭଗବାନଙ୍କ ଭରସାରେ ଚାଲିଛି ସ୍ବାସ୍ଥ୍ୟସେବା । ଗଣିଆ ବ୍ଳକ ରାସଙ୍ଗ ଠାରେ ଥିବା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଦୂରାବସ୍ଥା ଦେଖିବାକୁ ମିଳିଛି । ଏଠାରେ ଜଣେ ପୁରୁଷ ସ୍ବାସ୍ଥ୍ୟ କର୍ମୀଙ୍କ ହାତରେ ଚାଲିଛି ରୋଗୀସେବା । ଏହି ଡାକ୍ତରଖାନାରେ ନାଁ ଅଛନ୍ତି ଡାକ୍ତର ନା ଅଛନ୍ତି ଫାର୍ମାସିଷ୍ଟ । ପ୍ରତିଦିନ ଏହି ଡାକ୍ତରଖାନାକୁ ୩୦ରୁ ଅଧିକ ରୋଗୀ ଆସୁଥିବା ବେଳେ ଉତ୍ତମ ସ୍ୱାସ୍ଥ୍ୟ ସେବା ପାଇ ପାରୁ ନାହାନ୍ତି । ଦୀର୍ଘ ଦିନ ହେବ ଏହି ସମସ୍ୟା ଲାଗି ରହିଥିଲେ ମଧ୍ୟ ବିଭାଗୀୟ ଅଧିକାରୀଙ୍କ ଠାରୁ ଆରମ୍ଭ କରି ରାଜନେତାଙ୍କ ପର୍ଯ୍ୟନ୍ତ ସମସ୍ତେ ଚୁପ୍ ବସିଛନ୍ତି । ସମସ୍ୟାରେ ଜର୍ଜରିତ ଏହି ସ୍ବାସ୍ଥ୍ୟ କେନ୍ଦ୍ରର ଆଉ ଗୋଟିଏ ମୁଖ୍ୟ ସମସ୍ୟା ହେଉଛି ବିଦ୍ୟୁତ୍ । ଏହି ମେଡିକାଲରେ ସ୍ଥାୟୀ ବିଦ୍ୟୁତ୍ ସଂଯୋଗ ହୋଇନଥିବା ବେଳେ ଅନ୍ଧାରରେ ରୋଗୀ ସେବା ଚାଲିଛି । ପାନୀୟ ଜଳ ସମସ୍ୟା ସବୁବେଳେ ଲାଗି ରହୁଛି । ସ୍ବାସ୍ଥ୍ୟ କେନ୍ଦ୍ରର ନୂତନ ଗୃହ ନିର୍ମାଣ ସରିଥିଲେ ମଧ୍ୟ ବିଦ୍ୟୁତ୍ ନଥିବାରୁ ସେହି ପୁରୁଣା ଘରେ ଚାଲିଛି ସ୍ବାସ୍ଥ୍ୟସେବା । ଦୀର୍ଘ ଦିନ ହେବ ଜେନେରେଟରଟି ମଧ୍ୟ ଅଚଳ ହୋଇ ପଡ଼ିଛି । ନେତାଙ୍କ ଠାରୁ ଅଫିସର ବଡ଼ ବଡ଼ କଥା କହୁଥିବା ବେଳେ କୈାଣସି କାମ ହୋଇପାରୁନାହିଁ । କହିବାକୁ ଗଲେ ସ୍ବାସ୍ଥ୍ୟ କେନ୍ଦ୍ର ନିର୍ମାଣ କରାଯାଇ ଖୁଲମଖୁଲା ରୋଗୀଙ୍କ ଜୀବନ ସହିତ ଖେଳା ଯାଉଛି । ଗୋଟିଏ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ରୋଗୀସେବା ପାଇଁ ଜଣେ ସ୍ବାସ୍ଥ୍ୟ କର୍ମୀଙ୍କ ହାତରେ ଟେକିଦେବା କେତେଦୂର ଯୁକ୍ତିଯୁକ୍ତ । ରୋଗୀସେବାରେ ଯଦି କିଛି ତ୍ରୁଟି ବା ଅଘଟଣ ଘଟିଲା ସେଥିପାଇଁ କିଏ ଦାୟୀ ରହିବ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଡାକ୍ତର ଓ ଫାର୍ମାସିଷ୍ଟ ନଥିବାରୁ ଅନେକ ରୋଗୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେବେ ବିଭାଗୀୟ ଅଧିକାରୀ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ଏଠାରେ ଡାକ୍ତର ଏବଂ ଫାର୍ମାସିଷ୍ଟ ନିଯୁକ୍ତି କରିବାକୁ ସାଧାରଣରେ ଦାବି ହେଉଛି । ଗଣିଆ ରୁ ଜ୍ଞାନୀ ପ୍ରକାଶ ସେନାପତିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *