ପୂର୍ତ୍ତ ବିଭାଗରେ ଓ୍ବାଚମ୍ୟାନ ସର୍ବେସର୍ବା ,ସ୍ଥାୟୀ କନିଷ୍ଠ ଯନ୍ତ୍ରୀ ନିଯୁକ୍ତି ଦାଵି
ପୂର୍ତ୍ତ ବିଭାଗରେ ଓ୍ବାଚମ୍ୟାନ ସର୍ବେସର୍ବା ,ସ୍ଥାୟୀ କନିଷ୍ଠ ଯନ୍ତ୍ରୀ ନିଯୁକ୍ତି ଦାଵି
ଗଣିଆ-ପୂର୍ତ୍ତ ବିଭାଗ ଅଧିନରେ ଥିବା ସମସ୍ତ ରାସ୍ତା ଘାଟ ଠାରୁ ଆରମ୍ଭ କରି ଡ୍ରେନ ଗୁଡିକର ନିର୍ମାଣ ତଥା ରକ୍ଷଣାବେକ୍ଷଣ କରିବା କାର୍ଯ୍ୟ ପୂର୍ତ୍ତ ବିଭାଗର । ଏଥିପାଇଁ ପ୍ରତ୍ୟକ ବ୍ଳକରେ ଗୋଟିଏ ଗୋଟିଏ ପୂର୍ତ୍ତ ବିଭାଗ ଡାକବଙ୍ଗଳା ନିର୍ମାଣ କରାଯାଇଛି । ଏଠାରେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଠାରୁ ଆରମ୍ଭ କରି କନିଷ୍ଠ ଯନ୍ତ୍ରୀଙ୍କୁ ନିଯୁକ୍ତି ଦିଆଯାଇଛି । ବିଭାଗ ପରିସରରେ ଏମାନଙ୍କ ରହିବା ପାଇଁ କ୍ୱାର୍ଟରର ମଧ୍ୟ ବନ୍ଦୋବସ୍ତ କରାଯାଇଛି । କିନ୍ତୁ ଦୁଃଖର ବିଷୟ ଗଣିଆ ପୂର୍ତ୍ତ ବିଭାଗରେ ସ୍ଥାୟୀ କନିଷ୍ଠ ଯନ୍ତ୍ରୀ ନାହାନ୍ତି । ଜଣେ ମାତ୍ର ଓ୍ବାଚମ୍ୟାନରେ ଚାଲିଛି ପୂର୍ତ୍ତ ବିଭାଗ । ଦାୟିତ୍ବରେ ଥିବା କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀଙ୍କ ଦେଖା ମିଳୁନି । ଫୋନ କଲେ ମଧ୍ୟ ସେ ଫୋନ ଉଠାଉ ନାହାନ୍ତି । ବିଭାଗରେ କାର୍ଯ୍ୟରତ କର୍ମଚାରୀଙ୍କୁ ପଚାରିଲେ ଅଲଗା ବ୍ଳକ ଦାୟିତ୍ବରେ ଥିବାରୁ ଆସିନଥିବା ସଫେଇ ଦେଉଛନ୍ତି । ତେବେ ଯନ୍ତ୍ରୀ ମହୋଦୟ ଦାୟିତ୍ଵରେ ଥିବା ନୂଆଗାଁ ବ୍ଳକକୁ ମଧ୍ୟ ଠିକରେ ଆସୁନଥିବା ବେଳେ ଅଧିକାଂଶ ସମୟ ନୟାଗଡରେ ରହୁଛନ୍ତି । ନିଜ ବ୍ଳକରେ ନ ରହି ଡିଭିଜନ କାର୍ଯ୍ୟାଳୟ ଦଶପଲ୍ଲାରେ ନ ରହି କନିଷ୍ଠ ଯନ୍ତ୍ରୀ ନୟାଗଡରେ କାହିଁକି ରହୁଛନ୍ତି ତାହା ତଦନ୍ତ ସାପେକ୍ଷ । ବଡବଡିଆ ଅଫିସରଙ୍କ ଛତ୍ରଛାୟା ତଳେ ରହି କନିଷ୍ଠ ଯନ୍ତ୍ରୀ ବେଖାତିର ମନୋଭାବ ଦେଖାଉଛନ୍ତି । ଏପଟେ ଗଣିଆ ଡ଼ାକବଙ୍ଗଳା ଜଙ୍ଗଲରେ ପରିଣତ ହୋଇଗଲାଣି । ବଙ୍ଗଳା ପରିସରରେ ଅନାବନା ଗଛ ସବୁ ଉଠି ଅଳିଆ ଆବର୍ଜ୍ଜନାରେ ଭର୍ତ୍ତି ହୋଇଗଲାଣି । ଗଣିଆ ବଜାରରେ ଥିବା ଡ୍ରେନ ପୋତି ହୋଇ ସାମାନ୍ୟ ବର୍ଷାରେ ଡ୍ରେନ ପାଣି ରାସ୍ତାରେ ଭାସିବା ସହିତ କୁଢ଼ କୁଢ଼ ଅଳିଆ ରାସ୍ତା ଉପରେ ଜମା ହେଉଛି । ଗଣିଆ ବଜାରରେ ଏହା ନିତିଦିନିଆ ଘଟଣାରେ ପରିଣତ ହୋଇଗଲାଣି । ଡ୍ରେନ ପାଣି ରାସ୍ତାକୁ ଆସି ତଳବଜାରରେ ମୁଖ୍ୟ ରାସ୍ତାରେ ପାଣି ଜମା ହୋଇ ରହୁଥିବାରୁ ଯାତାୟାତରେ ଅସୁବିଧା ଦେଖା ଦେଉଛି । ବିଭାଗୀୟ କତୃପକ୍ଷଙ୍କ ଅପାରଗତା ଫଳରେ ଏହି ସମସ୍ୟା ଦୀର୍ଘଦିନ ହେବ ଲାଗି ରହିଛି । ଅନେକ ସ୍ଥାନରେ ପୂର୍ତ୍ତ ବିଭାଗ ଅଧିନରେ ଚାଲିଥିବା ଉନ୍ନୟନମୂଳକ କାର୍ଯ୍ୟ ଅଧାପନ୍ତରିଆ ହୋଇ ପଡ଼ିରହିଛି । ରାସ୍ତା ପାର୍ଶ୍ୱରେ ଶୁଖିଲା ଗଛ ଗୁଡିକ ରହିଥିବାରୁ କେତେବେଳେ ଯେ ଭାଙ୍ଗି ପଡି କିଛି ଅଘଟଣ ନ ଘଟିବ କହିହେବ ନାହିଁ । ବିଭାଗୀୟ ଅଧିକାରୀ ଏଥିପ୍ରତି ଦୃଷ୍ଟି ନଦେଇ ନିଦାବିଷ୍ଣୁ ସାଜିଛନ୍ତି । ଉଚ୍ଚ କତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ଗଣିଆକୁ ଜଣେ ସ୍ଥାୟୀ କନିଷ୍ଠ ଯନ୍ତ୍ରୀ ନିଯୁକ୍ତି କରିବାକୁ ସାଧାରଣରେ ଦାବି ହେଉଛି । ଗଣିଆ ରୁ ଜ୍ଞାନୀ ପ୍ରକାଶ ସେନାପତିଙ୍କ ରିପୋର୍ଟ
