କର୍ମ ସାଧନ ବିନା ଆଶା ପୂର୍ଣ୍ଣ ହୁଏନା

 କର୍ମ ସାଧନ ବିନା ଆଶା ପୂର୍ଣ୍ଣ ହୁଏନା

🖋️କବିରତ୍ନ ନୂତନ କୁମାର ବେହେରା

ପ୍ରକୃତିର କୋଳେ ଅସରନ୍ତି ସୌନ୍ଦର୍ଯ୍ୟ
ହେଉଥାଏ ରୂପାନ୍ତର… ଆକର୍ଷିତ ହୁଏ ମନ
ହୃଦୟରେ ଜାଗେ ଅଶେଷ ଭାବ ଭାବନା
ଆଖି ଦେଖେ ସ୍ୱପ୍ନ…ଅନ୍ତରରେ ଜନ୍ମେ ଆଶା
ଅପୂର୍ବ ଆନନ୍ଦ ପାଇବାକୁ କରେ ଅଭିଳାଷ
ଖୋଜେ ପ୍ରାଚୁର୍ଯ୍ୟ ଭିତରେ …ଐଶ୍ଵର୍ଯ୍ୟ
ଚିନ୍ତେ ଅନେକ କିଛି ତାର ଧ୍ୟାନ ଧାରଣାରେ
ପଠନରେ ମନନରେ ପାଏ ସୂକ୍ଷ୍ମଜ୍ଞାନ କିଞ୍ଚିତ
କର୍ମର ମାଧ୍ୟମରେ ନ କଲେ କାର୍ଯ୍ୟକାରୀ
ଫଳ ତାର …ସର୍ବଦା ରହିଥାଏ ଶୂନ ହୋଇ
କର୍ମ ସାଧନାର ଚୂଡ଼ାନ୍ତ ପର୍ଯ୍ୟାୟରେ ହିଁ
ଜଣେ ସାଧକକୁ ମିଳିଥାଏ ତାର ସଫଳତା
ଯେ କେହି ବି ସଫଳତା ପାଇବା ପୂର୍ବରୁ
ବହୁବାର ଚାଖିଥାଏ ବିଫଳତାର ତିକ୍ତ ସ୍ୱାଦ
ଅଭ୍ୟାସର ଧାରା ରଖିଥିଲେ ନିରବଚ୍ଛିନ୍ନ
ଦକ୍ଷତା ବଢ଼ି ବଢ଼ି ଯାଏ ହୁଅଇ ସେ ସୁଦକ୍ଷ
କର୍ମ ସାଧନ ବିନା ଆଶା ପୂର୍ଣ୍ଣ ହୁଏନା
ସଭିଏଁ ଚାହାଁନ୍ତି ହସ ଖୁସି ଆନନ୍ଦରେ ରହିବେ
ତାର ଦେହ ଭଲ ରହୁ ମନ ମଧ୍ୟ ଭଲ ରହୁ
ନ ଆସୁ ଜୀବନରେ ବାଧା ବିଘ୍ନ ବିପତ୍ତି
ଖାଦ୍ୟ ପେୟ ପୋଷାକ ଠାରୁ ରହିବା ଘର
ପରିବାର ପରିଜନ ଆତ୍ମୀୟଙ୍କ ସହିତ
ସବୁଦିନ ରହିବାକୁ ଚାହେଁ ଶାନ୍ତି ସନ୍ତୋଷରେ
କିନ୍ତୁ ଏ ଭାବ ଭାବନା ସଦା ହୁଏନା ସମ୍ଭବ
କାରଣ କର୍ମରେ ସେ କରି ନ ଥାଏ ପ୍ରୟୋଗ
କ୍ଷେତ୍ରକୁ ଯାଇ କର୍ଷଣ ନକଲେ ହୁଏନା କୃଷି
ଶସ୍ୟ ଅମଳ କରିବାର ଆଶା ଯେ ନିରର୍ଥକ
ମନେ ବିଚାରି ଚାହିଁଲେ କେବେ ହୁଏନା ଭଲ
ନ ହେଲେ ଭଲ ନିନ୍ଦେ ନିଜର ଭାଗ୍ୟକୁ
ଭୁଲିଯାଏ ଭାଗ୍ୟ ଯେ ଆସିଛି ତାର ପ୍ରାରବ୍ଧରୁ
ଭଲ କଲେ ହିଁ ହୁଏ ଭଲ ଏ ସୃଷ୍ଟିର ସିଦ୍ଧାନ୍ତ
ଭଲ ଖୋଜି …କରି ଚାଲିଥିଲେ ମନ୍ଦ କର୍ମ
ଯଦି ହୁଅନ୍ତା ଭଲ…ନ ଥାନ୍ତା ବିଧିର ବିଧାନ
ଯିଏ ଯେତିକି କରିଥାଏ ତାର କର୍ମ ସାଧନା
ସେତିକି ହିଁ ପାଇଥାଏ ସିଏ ସଫଳତା
ଯା’ ଥାଏ ବାକି ତା’ ପାଇଁ କର୍ମ କରି ନଥାଏ
କାରଣ କର୍ମ ସାଧନ ବିନା ଆଶା ପୂର୍ଣ୍ଣ ହୁଏନା ।

କୋହି,ବାରିପଦା,ମୟୂରଭଞ୍ଜ।

Leave a Reply

Your email address will not be published. Required fields are marked *