୭ ଦିନ ହେବ ଅନ୍ଧାରରେ, କର୍ଣ୍ଣପାତ କରୁନାହାନ୍ତି ବିଭାଗୀୟ ଅଧିକାରୀ

ଗଣିଆ – ୭ ଦିନ ହେବ ଗୋଟିଏ ଗ୍ରାମର ୨୦ଟି ପରିବାରର ୨ ଶହରୁ ଅଧିକ ଲୋକ ଅନ୍ଧାରରେ ବାସ କରୁଛନ୍ତି । ବାରମ୍ବାର ଅଭିଯୋଗ କଲେ ମଧ୍ୟ ବିଭାଗୀୟ ଅଧିକାରୀ କର୍ଣ୍ଣପାତ କଲେ ନାହିଁ । ଫଳରେ ବିଭାଗୀୟ ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିଛନ୍ତିି ଗ୍ରାମବାସୀ । ଗଣିଆ ବ୍ଳକ ଆଡକଟା ପଞ୍ଚାୟତ ତାମରଝୋଲା ଗ୍ରାମରେ ଗତ ୭ ଦିନ ହେବ ବିଦ୍ୟୁତ୍ ସରବରାହ ବିଚ୍ଛିନ୍ନ ହୋଇଯାଇଛି । ଅନଲାଇନ୍ ମାଧ୍ୟମରେ ଅଭିଯୋଗ ପଞ୍ଜିକୃତ କରିଥିଲେ ମଧ୍ୟ କେହି ଶୁଣୁ ନାହାଁନ୍ତି । ଫଳରେ ଆଜି ଗ୍ରାମବାସୀ ମାନେ ଗଣିଆରେ ଥିବା ବିଦ୍ୟୁତ୍ ବିଭାଗ କାର୍ଯ୍ୟାଳୟରେ ପହଞ୍ଚି ଅଭିଯୋଗ କରିଛନ୍ତିି । ବଣଜଙ୍ଗଲ ଘେରା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଭାବେ ପରିଗଣିତ ତାମରଝୋଲାରେ ବିଦ୍ୟୁତ୍ କାଟ୍ ନିତିଦିନିଆ ଘଟଣାରେ ପରିଣତ ହୋଇଗଲାଣି । ଅନେକ ସମୟରେ ଏଠାରେ ବିଦ୍ୟୁତ୍ ବିଛିନ୍ନ ହେଉଥିବା ବେଳେ ବିଭାଗୀୟ ଅଧିକାରୀ ତାଙ୍କ ଇଛାରେ ଆସି ମରାମତି କରୁଛନ୍ତି । ଏପରିକି ଅନେକ ସମୟରେ ଗ୍ରାମର ଯୁବକ ମାନଙ୍କୁ ଗଛରେ ଚଢି ଡାଳ ହାଣିବାକୁ କହୁଛନ୍ତି । ଯଦି ସେମାନଙ୍କର କିଛି ଅଘଟଣ ଘଟିବ ସେଥିପାଇଁ କିଏ ଦାୟୀ ରହିବ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ୭ ଦିନ ହେବ ଉକ୍ତ ଗ୍ରାମବାସୀ ଅନ୍ଧାରରେ ଥିବା ବେଳେ ବିଭାଗୀୟ ଅଧିକାରୀ କାହିଁକି ସମସ୍ୟା ସମାଧାନ କରୁନାହାନ୍ତି । ବର୍ଷା ଦିନ ତଥା ବଣ ଜଙ୍ଗଲ ଅଞ୍ଚଳ ହୋଇଥିବାରୁ ଅନ୍ଧାରରେ ବିଷାକ୍ତ ଜୀବଜନ୍ତୁଙ୍କ ଭୟ ଲାଗି ରହିଛି । ତେବେ ତୁରନ୍ତ ଉକ୍ତ ଗ୍ରାମରେ ବିଦ୍ୟୁତ୍ ସଂଯୋଗ ନକଲେ ଗ୍ରାମବାସୀ ଆନ୍ଦୋଳନ କରିବାକୁ ଧମକ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *