କପଟ କରୁଛି
ଡ. ପ୍ରେମାନନ୍ଦ ବେହେରା

ଶୁଣିବକି ଟିକେ କହିବକି ଥରେ
ମୋ ଜଗା କଉଠି ଅଛି
ରତ୍ନ ସିଂହାସନେ ବସିନାହିଁ ସିଏ
କାହିଁକି ଖାଲି ପଡ଼ିଛି ।
ଧାଇଁ ଆସିଲି ମୁଁ ବହୁତ ଦୂରରୁ
ମନରେ ଆଶା ବାନ୍ଧିଛି
ଦେଖିଦେଲେ ଥରେ ଆଶା ମେଣ୍ଟିଯିବ
ଏତେ ମାତ୍ର ଇଚ୍ଛା ଅଛି ।
ତା ପାଇଁ ଦୟଣା ତୁଳସୀର ମାଳ
ଯତନେ ଗୁନ୍ଥି ଆଣିଛି
ଗଳାରେ ତାହାର ପିନ୍ଧାଇବି ବୋଲି
ମନରେ ଚିନ୍ତି ଭାବିଛି ।
ସିଂହଦ୍ଵାର ଠାରୁ ଗର୍ଭଗୃହ ଯାଏ
ଏକା ନିଶ୍ବାସେ ଖୋଜୁଛି
କୁହ ବଡ଼ପଣ୍ଡା କୁହ ଦେବଦାସୀ
ଜଗା କୁଆଡେ ଯାଇଛି ।
କୁହ ଲକ୍ଷ୍ମୀ ମାତା ସାଗର ଦୁହିତା
ସିଏ କେଉଁଠି ବୁଲୁଛି
ମତେ ଠକିଦେଇ ମୋ କାଳିଆ ଧନ
ଜାଣି ଜାଣି ଲୁଚିଅଛି ।
ନ ପାଇଲେ ତାକୁ ଫେରିବିନି ଆଉ
ମରିବି ସତ କହୁଛି
ତା ବିନା ମୋହର ଏହି ଦୁନିଆରେ
ନାହିଁ ଆଉ ବଡ଼ କିଛି ।
କଣ୍ଟ ଦେଇ ସିଏ ଗୋପ ଛାଡ଼ିଗଲା
ଦିନେ ରାଧାକୁ ଠକିଛି
ଆଜି ମୋ ପାଇଁ ସେହି କପଟିଆ
କିଆଁ କପଟ କରୁଛି ।

ପଦ୍ମପୁର, ବରଗଡ଼

Leave a Reply

Your email address will not be published. Required fields are marked *