ବ୍ୟାସନଗରରେ କୋରେଇ ବ୍ଲକସ୍ତରୀୟ ଏ.ସି.ଡି.ସି. ବୈଠକ

ବ୍ୟାସନଗରରେ କୋରେଇ ବ୍ଲକସ୍ତରୀୟ ଏ.ସି.ଡି.ସି. ବୈଠକ,
କୋରେଇର ବିକାଶର ତଦାରଖ ବକେୟା କାର୍ଯ୍ୟ ସାରିବାକୁ ତାଗିଦ
ପାଣିକୋଇଲି ଆଶୁ ଚିକିତ୍ସା କେନ୍ଦ୍ର ଷ୍ଟାଫ୍ ଗୃହ ଏବଂ କୋରେଇ ଭବନ ପାଇଁ ହେବ ନୂଆ ଟେଣ୍ଡର

ବ୍ୟାସନଗର,୨୬।୮: ବ୍ୟାସନଗର ସହରର ବ୍ୟାସଦେବ ଟାଉନ ହଲ ପରିସରରେ ମଙ୍ଗଳବାର ଏସିଡିସି (ବିଧାନସଭା ନିର୍ବାଚନମଣ୍ଡଳୀ ସ୍ତରୀୟ) ଉନ୍ନୟନ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଯାଜପୁର ଜିଲ୍ଲାପାଳ ଅମ୍ବର କୁମାର କରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟ ଅତିଥି ଭାବେ କୋରେଇ ବିଧାୟିକ ଆକାଶ ଦାସ ନାୟକ ଯୋଗ ଦେଇ କୋରେଇ ନିର୍ବାଚନ ମଣ୍ଡଳୀର ବିଭିନ୍ନ ପ୍ରକଳ୍ପ ସମ୍ପର୍କରେ କୋରେଇ ଏବଂ ବ୍ୟାସନଗର ମୁନିସିପାଲିଟିର ବିଭିନ୍ନ ବିଭାଗ ଅଧିକାରୀଙ୍କ ସହିତ ଆଲୋଚନା କରିବା ସହିତ ଅଂଚଳର ସାମଗ୍ରିକ ବିକାଶ ଦିଗରେ ତୃଟିପୂର୍ଣ୍ଣ ଭାବେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ବିଶେଷକରି କୋରେଇ ବ୍ଲକ୍ ରେ ବିଭିନ୍ନ ସବ ସେଣ୍ଟର ନିର୍ମାଣ କାର୍ଯ୍ୟ ଧିମା ହେଉଥିବା ନେଇ ସେ ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧିକାରୀ ଙ୍କୁ ତାଗିଦ୍ କରିବା ସହିତ ତୁରନ୍ତ ଉକ୍ତ ଗୃହ କାର୍ଯ୍ୟ ଶେଷ କରି ଜିଲ୍ଲା ମୁଖ୍ୟ ମେଡିକାଲ ଅଧିକାରୀଙ୍କୁ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହା ସହିତ ଧୀମା କାର୍ଯ୍ୟ କରୁଥିବା ଏଜେନ୍ସୀ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେବା ସହିତ କାର୍ଯ୍ୟସ୍ଥଳରେ ସରକାରୀ ଭାବେ କୋଣସି ଅସୁବିଧା ଥିଲେ ତାହାର ତୁରନ୍ତ ସମାଧାନ କରିବାକୁ ତହସିଲଦାର ବ୍ୟାସନଗରଙ୍କୁ ନିର୍ଦ୍ଦେଶ ଦେଇଥିଲେ ‌। ସେହିପରି ବର୍ଷା ଦିନ ନିମନ୍ତେ ଅଧାପନ୍ତରିଆ ରହିଥିବା କାର୍ଯ୍ୟସ୍ଥଳରେ ବିଶେଷକରି ରାସ୍ତା ନିର୍ମାଣ ଅଧାପନ୍ତରିଆ ରହିଥିବାରୁ ଉକ୍ତ ରାସ୍ତାରେ ଯାତାୟାତ ସୁଗମ କରିବାକୁ ରାସ୍ତାରେ କ୍ରସର ଗୁଣ୍ଡ ପକାଇଥିବା ବିଧାୟକ ନିର୍ଦ୍ଦେଶ ଦେଇଥିଲେ। ଏହା ସହିତ କୋରେଇ ର ବିଭିନ୍ନ ଅଂଚଳରେ ଥିବା ଆର ଆଇ ଅଫିସ, ମେଡିକାଲ ଗୃହ ନିର୍ମାଣ କାର୍ଯ୍ୟ ତୁରନ୍ତ ସାରିବାକୁ ମଧ୍ୟ ବିଧାୟକ ନିର୍ଦ୍ଦେଶ ଦେଇଥିଲେ। ସେହିପରି ପାଣିକୋଇଲିରେ ନିର୍ମିତ ହୋଇଥିବା ଆଶୁ ଚିକିତ୍ସା କେନ୍ଦ୍ର ଖୁବଶୀଘ୍ର ଲୋକାର୍ପଣ ହେବାକୁ ଥିବାବେଳେ ଏହାର ସୁବ୍ୟବସ୍ଥିତ କରିବାକୁ ଏହା ପରିସରରେ ଷ୍ଟାଫ୍ ଗୃହ ନିର୍ମାଣ କରିବାକୁ ଟେଣ୍ଡର କରିବାକୁ ଏବଂ ଡିପିଆର କରିବାକୁ ପୂର୍ତ୍ତ ବିଭାଗକୁ ନିର୍ଦ୍ଦେଶ ଦେବା ସହିତ କୋରେଇ ବାସୀଙ୍କ ଭାବାବେଗ ସହିତ ଜଡିତ କୋରେଇ ଭବନ ନିର୍ମାଣ ନିମନ୍ତେ ବିଧାୟକ ଆନ୍ତରିକତା ଦେଖାଇବା ସହିତ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ୫୦ ଲକ୍ଷ ଏବଂ ପୂର୍ବ କାର୍ଯ୍ୟ ବକେୟାରୁ ୨୪ ଲକ୍ଷ ମୋଟ ୭୪ ଲକ୍ଷ ବ୍ୟୟରେ ନୂତନ ଟେଣ୍ଡର କରିବାକୁ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ବ୍ୟାସନଗର ଏବଂ କୋଳେଇରେ ପାଣିକୋଇଲି ପୂର୍ତ୍ତ ବିଭାଗ ପକ୍ଷରୁ ଚାଲିଥିବା ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ଆଲୋଚନା କରିବା ସହିତ ବିଶେଷକରି ବ୍ୟାସନଗର ସହରର ରାସ୍ତା ଏବଂ ଡ୍ରେନ୍ ସମସ୍ୟା ସମାଧାନ ଦିଗରେ ବ୍ୟାସନଗର ମୁନିସିପାଲିଟିର ଅଧ୍ୟକ୍ଷ ସୁବାସ ବଳ ଜିଲ୍ଲାପାଳ ଏବଂ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ଏହି କାର୍ଯ୍ୟ ଦୁର୍ଗାପୂଜା ପୂର୍ବରୁ ସାରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେହିପରି କୋରେଇ ଏବଂ ବ୍ୟାସନଗର ରେ ମଧୁବାବୁ ପେନସନ ଯୋଜନା, ବସ୍ତି ବାସିନ୍ଦାଙ୍କୁ ଗୃହ ପ୍ରଦାନ,ବିଦ୍ୟୁତ ଯୋଗାଣ ବିଶେଷ କରି ଫାୟାର ଷ୍ଟେସନ ମିଲିଟାରୀ ଛକ ଏବଂ ମିଲିଟାରୀ ଛକରୁ ଧବଳଗିରି ରାସ୍ତାରେ ରାତିରେ ଲାଇଟ୍ ଜଳୁନଥିବାରୁ ବିଧାୟକ ଅସନ୍ତୋଷ ବ୍ୟକ୍ତ କରିବା ସହିତ ତୁରନ୍ତ ଏହାକୁ ମରାମତି କରିବାକୁ ପାଣିକୋଇଲି ପୂର୍ତ୍ତ ବିଭାଜନ (ବିଦ୍ୟୁତ ବିଭାଗ)କୁ ନିର୍ଦ୍ଦେଶ ଦେଇଥିଲେ। ସେହିପରି କୋରେଇ ଏବଂ ଯାଜପୁର ରୋଡ଼ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ନୂତନ ଗୃହ ନିମନ୍ତେ ଟେଣ୍ଡର ସରିଥିବାରୁ ତୁରନ୍ତ କାର୍ଯ୍ୟ ଆରମ୍ଭ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ଅବସରରେ ବିଧାୟକ ଶ୍ରୀ ଦାସନାୟକ ସ୍କୁଲ, କଲେଜ ଏବଂ ମେଡିକାଲ ସ୍ଥାନକୁ ଅବରୋଧ କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରଶାସନ ଏବଂ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। ନିକଟରେ ବ୍ୟାସନଗର ସହରରେ ଥିବା ବିଭିନ୍ନ ବିଦ୍ୟାଳୟର ଗୃହ ନିମନ୍ତେ ଟେଣ୍ଡର ସରିଥିବା ବେଳେ ତୁରନ୍ତ ଏନେଇ ସ୍ଥାନ ହସ୍ତାନ୍ତର କରିବା ସହିତ କାର୍ଯ୍ୟ ଆରମ୍ଭ କରିବାକୁ ତହସିଲଦାର ବ୍ୟାସନଗରଙ୍କୁ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗ ଏସଡିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପ୍ରକଳ୍ପ ଅଧିକାରୀ ଦେବୀ ପ୍ରସାଦ ମହାନ୍ତି,ଉପ ଜିଲ୍ଲାପାଳ ତାପସ ରଂଜନ ଦେହୁରୀ , ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ବିଜୟ କୁମାର ମିଶ୍ର, ଅତିରିକ୍ତ ଜିଲ୍ଲାପାଳ କଳିଙ୍ଗନଗର ସପନ କୁମାର ନନ୍ଦ,ବ୍ୟାସନଗର ମୁନିସିପାଲିଟିର ଅଧ୍ୟକ୍ଷ ସୁବାସ ଚନ୍ଦ୍ର ବଳ, କୋରେଇ ବ୍ଲକ ଅଧ୍ୟକ୍ଷା ଜୟନ୍ତୀ ଦଳେଇ, ଜିଲ୍ଲା ସୂଚନା ଏବଂ ଲୋକସମ୍ପର୍କ ଅଧିକାରୀ କାମିନୀ ରଂଜନ ପଟ୍ଟନାୟକଙ୍କ ସମେତ ଜିଲ୍ଲା,ମୁନିସିପାଲିଟି ଏବଂ ବ୍ଲକର ସମସ୍ତ ବିଭାଗର ଅଧିକାରୀ ଉପସ୍ଥିତ ରହିଥିଲେ। ପ୍ରାରମ୍ଭରେ ଜିଲ୍ଲାପାଳ, ବିଧାୟକ ଶ୍ରୀ ଆକାଶ ଦାସନାୟକ ଏବଂ ଅନ୍ୟ ଅଧିକାରୀମାନେ ଯାଜପୁର ରୋଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ମେଡିକାଲରେ ରହିଥିବା ବିଭିନ୍ନ ସମସ୍ୟା ବୁଲି ଦେଖିବା ସହିତ ଏବଂ ଏହାର ସମାଧାନ ଦିଗରେ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।

Leave a Reply

Your email address will not be published. Required fields are marked *