ପୁଣି ଶ୍ରୀମନ୍ଦିରରେ ପଶିଲା ହିଡେନ କ୍ୟାମେରା
ପୁଣି ଶ୍ରୀମନ୍ଦିରରେ ପଶିଲା ହିଡେନ କ୍ୟାମେରା, ସମ୍ପୃକ୍ତ ବ୍ୟକ୍ତି ସହ କ୍ୟାମେରା ଓ ମୋବାଇଲ ଜବତ କଲା ପୋଲିସ,
ପୁଣି ଶ୍ରୀମନ୍ଦିର ଭିତରେ ପଶିଲା ହିଡେନ୍ କ୍ୟାମେରା। ଶ୍ରୀମନ୍ଦିର ଭିତରେ ଚଷମା ସହିତ ସଂଯୁକ୍ତ ହିଡେନ୍ କ୍ୟାମେରା ନେଇ ଜଣେ ବ୍ୟକ୍ତି ଭିଜୁଆଲ ସୁଟିଂ କରୁଥିବା ସମୟରେ ସୁରକ୍ଷା କର୍ମୀଙ୍କ ହାତରେ ଧରାପଡ଼ିଛନ୍ତି। ସମ୍ପୃକ୍ତ ବ୍ୟକ୍ତିଙ୍କୁ ସିଂହଦ୍ଵାର ଥାନାରେ ଅଟକ ରଖି ପୋଲିସ ପକ୍ଷରୁ ପଚରାଉଚରା କରାଯାଉଛି। ଅଟକ ଥିବା ବ୍ୟକ୍ତି ଜଣକ ପଶ୍ଚିମବଙ୍ଗ ଚବିଶ ପ୍ରଗଣା ଅଞ୍ଚଳର ଅରୂପ ରାୟ। ଆଜି ସକାଳେ ଅରୂପ ପରିବାର ସହିତ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଯାଇଥିଲେ । ଦର୍ଶନ ପାଇଁ ଯିବା ବେଳେ ଚଷମା ସଂଯୁକ୍ତ ହିଡେନ୍ କ୍ୟାମେରା ଶ୍ରୀମନ୍ଦିରକୁ ନେଇ ପ୍ରବେଶ କରିଥିଲେ। ହିଡେନ୍ କ୍ୟାମେରାରେ ଶ୍ରୀମନ୍ଦିର ଭିତରେ ସୁଟିଂ କରୁଥିବା ବେଳେ ସୁରକ୍ଷା କର୍ମୀ ସନ୍ଦେହ କରି ଯାଞ୍ଚ ପରେ ସମ୍ପୃକ୍ତ ବ୍ୟକ୍ତି ଜଣକ ହିଡେନ୍ କ୍ୟାମେରାରେ ଶ୍ରୀମନ୍ଦିର ଭିତରର ଭିଜୁଆଲ ନେଉଥିବା ଜଣାପଡିଥିଲା। ସମ୍ପୃକ୍ତ ବ୍ୟକ୍ତିଙ୍କୁ ପ୍ରଥମେ ଗାରଦ ଓ ପରେ ସିଂହଦ୍ଵାର ଥାନାକୁ ନେଇଥିଲେ ସୁରକ୍ଷା କର୍ମୀ। ସେପଟେ ପୁରୀ ଏସପି କହିଛନ୍ତି ଶ୍ରୀମନ୍ଦିର ଭିତରେ ହିଡେନ କ୍ୟାମେରା ନେଇ ଯାଇଥିବା ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି। କେଉଁ ପରିସ୍ଥିତିରେ ଏବଂ କଣ ଉଦ୍ଦେଶ୍ୟ ନେଇ ସେ ଶ୍ରୀମନ୍ଦିର ଭିତରକୁ ହିଡେନ୍ କ୍ୟାମେରା ନେଇ ଯାଇଥିଲେ ତାର ତଦନ୍ତ ଚାଲିଛି। ସମ୍ପୃକ୍ତ ବ୍ୟକ୍ତିଙ୍କ ଠାରୁ ପୋଲିସ ମୋବାଇଲ ଫୋନ୍ ଜବତ କରିବା ସହ ହିଡେନ କ୍ୟାମେରା ସଂଯୁକ୍ତ ଚଷମା ମଧ୍ୟ ଜବତ କରିଛି ପୋଲିସ।
