ଅନନ୍ତପୁର ସାଡେଙ୍ଗା ରାସ୍ତା ଅବସ୍ଥା ଶୋଚନୀୟ # ମରାମତି କରୁନି ଗ୍ରାମ୍ୟ ଉନ୍ନୟନ ବିଭାଗ
କାକଟପୁର,୨୮.୦୮- କାକଟପୁର ଗ୍ରାମ୍ୟ ଉନ୍ନୟନ ଉପଖଣ୍ଡ ଅଧୀନ ବଳରା – କୁଣ୍ଢେଇହାଟ ରାସ୍ତାର ପାଟପୁର ଅନନ୍ତପୁର ଠାରୁ ସାଡେଙ୍ଗା କୁ ଯାଇଥିବା ଗ୍ରାମ୍ୟ ଉନ୍ନୟନ ରାସ୍ତା ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି। ଦୀର୍ଘବର୍ଷ ଧରି ମରାମତି କରୁନି ଗ୍ରାମ୍ୟ ଉନ୍ନୟନ ବିଭାଗ। ଯାହା ଫଳରେ ରାସ୍ତା ସାରା ବିରାଟକାୟ ଗର୍ତ୍ତ ମାନ ସୃଷ୍ଠି ହୋଇ ଦୁର୍ଘଟଣାରେ ସମ୍ମୁଖୀନ ହେଉଛନ୍ତି ଜନସାଧାରଣ । ଯାହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ପ୍ରାୟ ୩କିମି ଏହି ରାସ୍ତା ନିର୍ମାଣର ଦୀର୍ଘ ୧୦ ବର୍ଷ ପରେ ମଧ୍ଯ ମାରମତି କି ଉନ୍ନୟନ କାର୍ଯ୍ୟ ହୋଇନାହିଁ । ଯାହା ଫଳରେ ରାସ୍ତାର ଅନେକ ସ୍ଥାନରେ ବଡ ବଡ ଗର୍ତ୍ତ ସୃଷ୍ଟି ହୋଇଛି। ଅନେକ ସ୍ଥାନରେ ରାସ୍ତା ଖାଇ ଗଲାଣି।

ଯାହା ଫଳରେ ଯାତାୟାତ ସମ୍ପୂର୍ଣ ବ୍ୟାଘାତ ସୃଷ୍ଟି ହେଉଛି। ଦୁର୍ଘଟଣାରେ ସମ୍ମୁଖୀନ ହେଉଛନ୍ତି ଏହି ରାସ୍ତା ଉପରେ ଭରସା କରୁଥିବା ପ୍ରାୟ ୧୦ ଖଣ୍ଡ ଗ୍ରାମର ହଜାର ହଜାର ଜନ ସାଧାରଣ। ତେଣୁ ତୁରନ୍ତ ଏହାକୁ ମରାମତି କରିବାକୁ ବରିଷ୍ଠ ବିଜେପି କର୍ମୀ ପଞ୍ଚାନନ ସ୍ୱାଇଁ , ସୁକାନ୍ତ ବିଶ୍ଵାଳ, ବିକ୍ରମ ଜୟସିଂହ , ଅକ୍ଷୟ ମହାନ୍ତି, ରବୀନ୍ଦ୍ର ବେହେରା , ଅକ୍ଷୟ ମହାରଣା ,ମନୋଜ ମୋହା ପାତ୍ର ଏବଂ ଭାସ୍କର ମହାରଣା ପ୍ରମୁଖ ଗଣମାଧ୍ୟମ ଜରିଆରେ ଦାବି କରିଛନ୍ତି।
