କଳିଙ୍ଗ ଷ୍ଟାଡ଼ିୟମରେ “ସାଇକେଲ ସହିତ ରବିବାର” କାର୍ଯ୍ୟକ୍ରମର ଆୟୋଜନ

ଭୁବନେଶ୍ୱର ୩୧ ଅଗଷ୍ଟ, ୨୦୨୫ଅଗଷ୍ଟ ୨୯ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ସାରା ଦେଶରେ ପାଳିତ ହୋଇଛି ଜାତୀୟ କ୍ରୀଡ଼ା ଦିବସ। ଏହି ଅବସରରେ ଆଜି ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ, ଭାରତୀୟ ଖେଳ ପ୍ରାଧିକରଣ ଏବଂ ଓଡ଼ିଶା ସାଇକେଲିଂ ଆସୋସିଏସନ୍‌ର ମିଳିତ ଆନୁକୂଲ୍ୟରେ “ସାଇକେଲ ସହିତ ରବିବାର (Sundays on Cycle)” କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଶତାଧିକ ଜନସାଧାରଣ ଏକତ୍ରୀତ ହୋଇ ସମସ୍ତଙ୍କ ମଧ୍ୟରେ ଫିଟ୍‌ନେସ୍ ଓ ଏକତାର ବାର୍ତ୍ତା ସଂଚାର କରିବା ସହିତ ଏକ ସୁସ୍ଥ ଓ ନିରାମୟ ଜୀବନଶୈଳୀ ଯାପନ କରିବା ନିମନ୍ତେ ସମସ୍ତଙ୍କୁ ପ୍ରୋତ୍ସାହିତ କରିଥିଲେ। ଆଜିର କାର୍ଯ୍ୟକ୍ରମରେ କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଦେଖାଇ ସାଇକେଲ୍‌ ଶୋଭାଯାତ୍ରାକୁ ଆନୁଷ୍ଠାନିକ ଭାବରେ ଆରମ୍ଭ କରିଥିଲେ। “

ଜାତୀୟ କ୍ରୀଡ଼ା ଦିବସ କେବଳ ଆମ କ୍ରୀଡ଼ାବିତ୍‌ଙ୍କ ପାଇଁ ନୁହେଁ ବରଂ ସମସ୍ତ ଜନସାଧାରଣଙ୍କୁ ଏକ ସୁସ୍ଥ ଓ ନିରାମୟ ଜୀବନଚର୍ଯ୍ୟା ଆପଣେବା ପାଇଁ ବାର୍ତ୍ତା ପ୍ରଦାନ କରିଥାଏ। ଆଜିର ଏହି ସାଇକେଲ ଶୋଭାଯାତ୍ର ମାଧ୍ୟମରେ ଆମେ ସମସ୍ତଙ୍କୁ ଫିଟ୍ ରହିବା ପାଇଁ ପ୍ରୋତ୍ସାହିତ କରୁଛୁ। କେବଳ ଭୁବନେଶ୍ୱରରେ ନୁହେଁ ରାଜ୍ୟର ବିଭିନ୍ନ ଜିଲ୍ଲାମାନଙ୍କରେ ମଧ୍ୟ ଆଜି ସାଇକେଲ ଶୋଭାଯାତ୍ରାର ଆୟୋଜନ କରାଯାଇଛି ଏବଂ ବହୁମାତ୍ରାରେ ଜନସାଧାରଣମାନେ ଏହି ଶୋଭାଯାତ୍ରାରେ ଯୋଗଦେଇ ଆମକୁ ଉତ୍ସାହିତ କରିଛନ୍ତି। ଏକ ସୁସ୍ଥ ଓ ନିରାମୟ ଜୀବନ ଯାପନ ପାଇଁ କେବଳ ଆଜି ନୁହେଁ ବରଂ ଦୈନିକ ଯୋଗ ଓ ବ୍ୟାୟାମ କରିବା, ସାଇକେଲ ଚଳାଇବା ଆଦି କାର୍ଯ୍ୟକୁ ଆମ ଦୈନନ୍ଦିନ ଜୀବନରେ ସାମିଲ କରିବା ଉଚିତ”, ବୋଲି କହିଛନ୍ତି କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ।

ଆଜିର କାର୍ଯ୍ୟକ୍ରମରେ ଓଡ଼ିଶା ସାଇକେଲିଂ ଆସୋସିଏସନ୍‌ର ସଭାପତି ଶ୍ରୀମତୀ ମିନତୀ ମହାପାତ୍ର, ହକି ପ୍ରମୋସନ କାଉନିସିଲ ଓଡ଼ିଶାର ସିଇଓ ଶ୍ରୀ ଦୀପଙ୍କର ମହାପାତ୍ର, କ୍ରୀଡ଼ା ଓ ଯୁବସେବା ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀ ଅଶୋକ କୁମାର ପଣ୍ଡା ଓ ଶ୍ରୀ ବିଜୟ କୁମାର ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ।ଅମ୍ଳାନ ଦାସ ଲୋକସମ୍ପର୍କ ଅଧିକାରୀ l

Leave a Reply

Your email address will not be published. Required fields are marked *