କୋଣାର୍କରେ ହେବ ପଥଉତ୍ସବ
କୋଣାର୍କରେ ହେବ ପଥଉତ୍ସବ
କୋଣାର୍କ- କୋଣାର୍କ ଉତ୍ସବକୁ ଆହୁରି ସରସ ସୁନ୍ଦର କରିବାକୁ ଚଳିତ ବର୍ଷ କରାଯିବ ନୂଆ ପ୍ରୟାସ । କୋଣାର୍କ ପଥ ଉତ୍ସଵ କମିଟି ପକ୍ଷରୁ ଆୟୋଜନ ହେବ ଏହି ନିଆରା ପଥଉତ୍ସବ। ରାସ୍ତାରେ କରାଯିବ ବିଭିନ୍ନ ନୃତ୍ୟ ଓ ସଙ୍ଗୀତର ପରିବେଷଣ। କାକଟପୁର, କୋଣାର୍କ, ନିମାପଡା ଓ ଗୋପର ବୁଦ୍ଧିଜୀବି ମାନଙ୍କୁ ନେଇ କୋଣାର୍କ କଲ୍ୟାଣ ମଣ୍ଡପରେ ଆୟୋଜିତ ହୋଇଯାଇଛି ପ୍ରସ୍ତୁତି ବୈଠକ। କୋଣାର୍କ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ସଂଯୁକ୍ତା ତ୍ରିପାଠୀଙ୍କ ତତ୍ତ୍ଵାବଧାନରେ ଏକ ବୈଠକରେ ଆଲୋଚନା କରାଯାଇଥିଲା। ଡିସେମ୍ବର ୧ ତାରିଖ ଠାରୁ ୫ତାରିଖ ପର୍ଯ୍ୟନ୍ତ ହେବାକୁ ଯାଉଥିବା କୋଣାର୍କ ଉତ୍ସବକୁ ରଙ୍ଗୀନ କରିବା ପାଇଁ ଲୋକନୃତ୍ୟ, ପଲ୍ଲୀନୃତ୍ୟ ସହ ବିଭିନ୍ନ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରାଯିବ। ଏହି ଉତ୍ସବ ମେଡ଼ିକାଲ ନିକଟ ରିଙ୍ଗରୋଡ ବାଣପଦା ଠାରୁ କରମଙ୍ଗା ରାସ୍ତା ମଧ୍ୟରେ କରାଯିବ ବୋଲି ପ୍ରସ୍ତାବିତ କରାଯାଇଛି। ଯାହାର ସମୟ ଏକ ନିର୍ଦ୍ଦିଷ୍ଟ ହେବାକୁ ଥିବା ଦିନର ଅପରାହ୍ନ ୩ଟା ଠାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ରହିବ। ଏହାକୁ ନିମାପଡା, ଗୋପ, କୋଣାର୍କ ଓ କାକଟପୁର ର ଶତାଧିକ ବୁଦ୍ଧିଜିବି ମାନେ ମିଳିତ ଭାବେ ଆୟୋଜିତ କରିବେ। ଏଥିରେ କୋଣାର୍କ ଏନଏସି ସମସ୍ତ କାଉନିସିଲର, ସବୁ ଦଳର ରାଜନେତା, ବ୍ୟବସାୟୀ, ଅନୁଷ୍ଠାନ ଓ ସ୍ବେଛାସେବୀ ମାନେ ସହଯୋଗ କରିବେ ବୋଲି ଆୟୋଜକ ମାନେ ସୂଚନା ଦେଇଛନ୍ତି। ଏହି ପଲ୍ଲୀନୃତ୍ୟ ଦେଖିବା ପାଇଁ ଦେଶ ବିଦେଶର ପର୍ଯ୍ୟଟକଙ୍କ ଭିଡ ଲାଗିବ ଓ କୋଣାର୍କର ଅର୍ଥନୀତି ବଢିବ ବୋଲି ଆୟୋଜକ ମାନେ ଆଶାବାଦୀ ଅଛନ୍ତି। ଏହି ଦ୍ଵିତୀୟ ପ୍ରସ୍ତୁତି ବୈଠକରେ ସଂଗଠକ ଅଶୋକ ନନ୍ଦ, ସୁରେଶ ରାଉତରାୟ, ସମାଜସେବୀ ରାମକୃଷ୍ଣ ମହାନ୍ତି, ରାଜୁ ମହାପାତ୍ର, ପ୍ରତାପ ଗୋଚ୍ଛାୟତ, ପ୍ରଶାନ୍ତ ସାହୁ, ପ୍ରତାପ ରାଉତ, ମଙ୍ଗରାଜ ମୁଦୁଲି, ଜ୍ଞାନ ରଞ୍ଜନ ବିଶ୍ଵାଳ, ରିତା ମିଶ୍ର, ସୁମିତ୍ରା ଶିକାରୀ, ବାମଦେବ ଆଳୁକ, ପ୍ରକାଶ କାଣ୍ଡି, କାମଦେବ ସାର୍ ପ୍ରମୁଖ ଉପସ୍ଥିତ ଥିଲେ।
