ବିଶ୍ଵସ୍ତ

 ✍🏼କବିରତ୍ନ ନୂତନ କୁମାର ବେହେରା

ବିଶ୍ଵାସର ସୂକ୍ଷ୍ମ ରଜ୍ଜୁରେ ବନ୍ଧା ହୃଦୟ ଯାହାର
ଦିଏନାହିଁ ପ୍ରତାରଣା ଥାଏ ତା’ ଉପରେ ଭରସା
ରଖିବାକୁ ସଦ୍ଭାବ କଥାକୁ ସେ କରେନା ଅନ୍ୟଥା
ଦୃଢ଼ତାର ସହିତ କରି ଚାଲିଥାଏ ଆଜ୍ଞା ପାଳନ
ସଂପର୍କୀୟଙ୍କ ନିକଟରେ ହୋଇଥାଏ ସେ ବିଶ୍ଵସ୍ତ
ପରିବେଶ ପରିସ୍ଥିତି ଦେଖି ଯାଏ ନାହିଁ ଦୂରେଇ
ସମସ୍ୟାର ପାହାଡ଼ ସାମ୍ନାରେ ବି ହୁଅଇ ଠିଆ
ଜୀବନକୁ ତାର ବାଜି ଲଗାଇ କରୁଥାଏ ସେବା
ବିନିମୟରେ ରଖି ନ ଥାଏ ତାର ଆତ୍ମସ୍ଵାର୍ଥ କିଛି
ତ୍ୟାଗ ସମର୍ପଣରେ ସେ ହୋଇଥାଏ ଉତ୍ସର୍ଗୀକୃତ
ଭଗବାନଙ୍କ ପାଖରେ ଯେମିତି ଶ୍ରଦ୍ଧାଳୁ ଭକତଟିଏ
ବିଶ୍ଵସ୍ତ ଯିଏ ରହିଥାଏ ସେମିତି ନ କରି ବାହାନା
ବିଶ୍ଵାସ ହୋଇଥାଏ ତାର ପ୍ରାଣର ନିଃଶ୍ବାସ ପ୍ରଶ୍ବାସ
ସତ୍ୟ ରକ୍ଷାର କଠୋର କର୍ତ୍ତବ୍ୟରେ ଥାଏ ନିଷ୍ଠ
ପୌରାଣିକ କଥାବସ୍ତୁ ଅବା ଅନେକ କିମ୍ବଦନ୍ତୀରେ
ଐତିହାସିକ ଜୀବନର ବହୁ ଆଦର୍ଶ ଚରିତ୍ରରେ
ବୀର ସୈନିକଙ୍କଠାରୁ ରାଜା ମହାରାଜା ପର୍ଯ୍ୟନ୍ତ
ଅଛନ୍ତି ଅସଂଖ୍ୟ ମହନୀୟ ଅମର ବ୍ୟକ୍ତିତ୍ଵ ଗଣ
ଯେଉଁମାନେ ଥିଲେ କର୍ତ୍ତବ୍ୟ ପାଳନେ ବିଶ୍ଵସ୍ତ
ସେବକ ରୂପେ ଦେଇଛନ୍ତି ଜୀବନର ବଳିଦାନ
ଆଜିର ଯୁଗରେ ବିଶ୍ଵସ୍ତ ଲୋକଟିଏ ମିଳେ କ୍ଵଚିତ
ବିଶ୍ଵାସ ଆସେ ନାହିଁ ମନକୁ ସନ୍ଦେହ ଆସେ ବହୁତ
ହୃଦୟରେ ରହୁନାହିଁ କାହା ପ୍ରତି ଟିକିଏ ବି ଆସ୍ଥା
ପ୍ରତିଟି କ୍ଷେତ୍ରରେ ଜଣେ ଜଣକୁ କରୁଛି ସନ୍ଦେହ
ଏମିତି କି ନିଜେ ନିଜ ପାଖରେ ହେଉ ନାହିଁ ବିଶ୍ଵସ୍ତ
ବିଶ୍ବାସ ତ ହୃଦୟର ଏକ ନିଛକ୍ ସ୍ଵଚ୍ଛ ଭାବନା
ଯା’ ହୃଦୟରେ ଯିଏ ଯେତିକି ରଖିଥାଏ ସଞ୍ଚି
ସେଇ ପରିମାଣରେ ସେ ଅନ୍ୟକୁ କରଇ ବିଶ୍ଵାସ
ହୋଇଲେ ସେ ବିଶ୍ଵସ୍ତ ତାକୁ ମିଳିଥାଏ ବିଶ୍ଵସ୍ତ ବନ୍ଧୁ
ଦୁନିଆଁରେ ଅଛି ଯେତେ ବି ସାମାଜିକ ସଂପର୍କ
ବିଶ୍ଵାସ ବ୍ୟତିରେକ କେବେ ହୁଏନା ମଧୁର ପବିତ୍ର
ଯିଏ ଯାହାର ହୋଇଥାଏ ଯେତିକି ଘନିଷ୍ଠ ବିଶ୍ଵସ୍ତ
ସେ ପାଇଥାଏ ସେମିତି ଏକ ବିଶ୍ଵସ୍ତ ଆତ୍ମୀୟଜନ
ହୃଦୟରେ ନ ରଖି କାହାରି ପ୍ରତି ତିଳେ ବିଶ୍ଵାସ
ବିଶ୍ଵସ୍ତ ଭାଇ ବନ୍ଧୁ କୁଟୁମ୍ବ ଖୋଜିବା ଯେ ନିରର୍ଥକ।

କୋହି,ବାରିପଦା,ମୟୂରଭଞ୍ଜ।

Leave a Reply

Your email address will not be published. Required fields are marked *