ବ୍ରହ୍ମ ଜଗନ୍ନାଥ ମନ୍ଦିର ପରିସରରେ ସରିତା ସାହିତ୍ୟ ସଂସଦର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ
କୁଜଙ୍ଗ-୧୬/୯- ସୋମବାର ଦିନ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ ତାଳଦଣ୍ଡା ସ୍ଥିତ ବ୍ରହ୍ମ ଜଗନ୍ନାଥ ମନ୍ଦିର ପରିସରରେ ବ୍ରହ୍ମ ଜଗନ୍ନାଥ ମିଶନର ପ୍ରମୁଖ ଅଙ୍ଗ ହିସାବରେ ସମାଜରେ ସାହିତ୍ୟ କ୍ଷେତ୍ରକୁ ବ୍ୟାପକ କରିବା ନିମନ୍ତେ ମିଶନର ପ୍ରତିଷ୍ଠାତା ବିଶିଷ୍ଟ ସମାଜସେବୀ କ୍ୟାପଟେନ ସଂଜୀବ କୁମାର ମୁଦୁଲିଙ୍କ ଧର୍ମପତ୍ନୀ ସ୍ବର୍ଗତା ସରିତା ମିଶ୍ରଙ୍କ ସ୍ମୃତି ଉଦ୍ଦେଶ୍ୟରେ ତଥା ତାଙ୍କର ୫୦ତମ ଜନ୍ମ ଜୟନ୍ତୀ ପାଳନ ଅବସରରେ ସରିତା ସାହିତ୍ୟ ସଂସଦ ଗଠନ ପୂର୍ବକ ଲୋକାର୍ପଣ ଉତ୍ସବ ପାଳିତ ହୋଇଯାଇଅଛି। ଆଭିମୁଖ୍ୟରେ ଓଡ଼ିଶାର ବିଭିନ୍ନ କୋଣରେ ଯେଉଁ ସାହିତ୍ୟିକମାନେ ଅର୍ଥାଭାବରୁ ତାଙ୍କର ଲେଖାଗୁଡ଼ିକ ପ୍ରକାଶିତ କରି ପାରୁନାହାଁନ୍ତି ସେହି ବଣମଲ୍ଲୀ ମାନଙ୍କୁ ସାରସ୍ଵତ ଜଗତରେ ପ୍ରତିଷ୍ଠିତ କରାଇବା ତଥା ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ଏବଂ ପ୍ରତି ବର୍ଷ ସେପ୍ଟେମ୍ବର ୧୫ରେ ସରିତା ଦେବୀଙ୍କର ଜନ୍ମ ଜୟନ୍ତୀ ତଥା ଡିସେମ୍ବର ୧୬ରେ ବାର୍ଷିକ ଶ୍ରାଦ୍ଧୋତ୍ସବରେ ଦୁଇଟି ନାରୀ କୈନ୍ଦ୍ରିକ ପତ୍ରିକା ଓ ପବିତ୍ର ଅକ୍ଷୟ ତୃତୀୟା ଆଉ ନୀଳାଦ୍ରି ବିଜେ ଦିନମାନଙ୍କରେ ଦୁଇଟି ଆଧ୍ୟାତ୍ମିକ ପତ୍ରିକା ପ୍ରକାଶିତ କରିବାକୁ ବ୍ରହ୍ମ ଜଗନ୍ନାଥ ମିଶନର ଅଧ୍ୟକ୍ଷ/ସଂସ୍ଥାପକ ତଥା ସରିତା ସାହିତ୍ୟ ସଂସଦର ପ୍ରତିଷ୍ଠାତା/ସଭାପତି କ୍ୟାପଟେନ ମୁଦୁଲି ଘୋଷଣା କରିଥିଲେ।

ଉକ୍ତ ସରିତା ସାହିତ୍ୟ ସଂସଦର ଶୁଭ ଉନ୍ମୋଚନ ତଥା ଉଦ୍ଘାଟନୀ ପର୍ବରେ ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ ଗୀତିକାର,କବି ତଥା ତରଙ୍ଗ ଓ ଅଳଙ୍କାର ସିନେପ୍ରଡ଼କ୍ସନ ମୁଖ୍ୟ ଶ୍ରୀଯୁକ୍ତ ଦେବୀଦତ୍ତ ମହାନ୍ତି, ମୁଖ୍ୟ ବକ୍ତା ଭାବେ ଓଡ଼ିଶା ସାହିତ୍ୟ ଏକାଡେ଼ମୀର ଉପ-ସଚୀବ ସଞ୍ଜୟ କୁମାର ଛୁଆଳସିଂହ, ବିଶିଷ୍ଟ ଅତିଥି ରେ ସୁସାହିତ୍ୟିକ,ପ୍ରତିଷ୍ଠିତ ସ୍ତମ୍ଭକାର ତଥା ଓଡ଼ିଶା ସାହିତ୍ୟ ଏକାଡେ଼ମୀ ପୁରସ୍କାର ପ୍ରାପ୍ତ କବି ଅସିତ ମହାନ୍ତି, ସମ୍ମାନିତ ଅତିଥିରୂପେ ବିଶିଷ୍ଟ ସାହିତ୍ୟିକା ଡଃ ସ୍ନେହାଶ୍ରୀ ସ୍ୱାଇଁ ଓ ଓଟିଭି କ୍ୟାମେରା ପ୍ରଥମ ମହିଳା ମୁଖ୍ୟ ଶ୍ରୀମତୀ ଜ୍ୟୋସ୍ନାରାଣୀ ଦଳାଇ ପ୍ରମୁଖ ଆସନ ଅଳଙ୍କୃତ କରିଥିଲେ। ସଭାମୁଖ୍ୟରେ ଜିଲ୍ଲା ବିଜେପି ସଭାପତି ତଥା ବିଶିଷ୍ଟ କବି ପ୍ରତାପ କୁମାର ମିଶ୍ର ସଭା ପରିଚାଳନା କରିଥିବା ବେଳେ ଓଟିଭି ପ୍ରାର୍ଥନା ଚ୍ୟାନେଲର କାର୍ଯ୍ୟକାରୀ ପ୍ରଯୋଜକ ତଥା ଉପସ୍ଥାପକ ଅଭିନନ୍ଦନ ଦାସ ମଞ୍ଚ ସଂଯୋଜନା କରିଥିଲେ।ଜଗତସିଂହପୁର ଜିଲ୍ଲାର ଅଧିକାଂଶ କବି ସାହିତ୍ୟିକ ସମେତ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଶତାଧିକ କବି/ସାହିତ୍ୟିକ ସମାବେଶକୁ ଶୋଭା ବର୍ଦ୍ଧନ କରିଥିବା ବେଳେ ପ୍ରତିଷ୍ଠାତା ତଥା ସଂସ୍ଥାପକଙ୍କ ଭୂୟସୀ ପ୍ରଶଂସା କରିଥିଲେ। ଦ୍ଵିତୀୟାର୍ଦ୍ଧରେ ରାଜ୍ୟ କୃଷିବିଭାଗ ନିର୍ଦ୍ଦେଶକ ଶ୍ରୀଯୁକ୍ତ ଗୌରାଙ୍ଗ ଚରଣ ସ୍ୱାଇଁ, ସ୍ଥାନୀୟ ବିଧାୟକ ତଥା ଶିଳ୍ପମନ୍ତ୍ରୀଙ୍କ ପ୍ରତିନିଧି ଶ୍ରୀଯୁକ୍ତ ଦିଲୀପ କୁମାର ବେହେରା ଓ ସମାଜସେବୀ ତପନ କୁମାର ତ୍ରିପାଠୀ, ସଂସଦର ପରିଚାଳନା ସମ୍ପାଦକ ବିଶିଷ୍ଟ ସାରସ୍ଵତ ସଂଗଠକ ନଗେନ୍ଦ୍ର ନାଥ ସ୍ୱାଇଁଙ୍କ ଉପସ୍ଥିତିରେ ତୁଳସୀ ବରାଳଙ୍କ ସଂଯୋଜନାରେ କବିମାନେ ସ୍ବର୍ଗତା ସରିତା ଦେବୀଙ୍କ ଉପରେ ସ୍ବରଚିତ କବିତାମାନ ପାଠ କରିଥିଲେ। ସଂସଦର ସଂଗଠନ ସମ୍ପାଦକ ତଥା ସଂଯୋଜକ ବିଶିଷ୍ଟ ସାହିତ୍ୟିକ କବିଶ୍ରୀ ଡଃ ସୁରେଶ କୁମାର ପ୍ରଧାନ ସରିତା ସାହିତ୍ୟ ସଂସଦର ଆଭିମୁଖ୍ୟ ସ୍ପଷ୍ଟ କରିବା ସହିତ ଉପସ୍ଥିତ ସମସ୍ତ କବି ମାନଙ୍କୁ ସଦସ୍ୟତା ପ୍ରଦାନ କରିଥିଲେ। ସଂସଦର ସମ୍ପାଦିକା ମୁଖ୍ୟମନ୍ତ୍ରୀ ପୁରସ୍କାର ପ୍ରାପ୍ତ ଶିକ୍ଷୟିତ୍ରୀ କବୀ ରୁନି ବାଳା ମଲ୍ଲିକ ବିବରଣୀ ପାଠ କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ।ଉକ୍ତ ଉତ୍ସବକୁ ସଂସଦର ଉପସଭାପତି ବିଶ୍ବରଂଜନ ଦାଶ, କୋଷାଧ୍ୟକ୍ଷା ସୁଶ୍ରୀ ମନିଷା ଦାଶ, କବୀ ସରୋଜିନୀ ମିଶ୍ର, ଜୟନ୍ତୀ ଦାସ, ପ୍ରତିଭା ମିଶ୍ର ଓ ହେମନ୍ତ କୁମାର ନାୟକ ପ୍ରମୁଖ ପରିଚାଳନା କରିଥିବା ବେଳେ ବ୍ରହ୍ମ ଜଗନ୍ନାଥ ମିଶନର ସମସ୍ତ କର୍ମକର୍ତ୍ତା ତଥା ଗ୍ରାମବାସୀମାନେ ପୂର୍ଣ୍ଣ ସହଯୋଗ କରିଥିଲେ।
