ଚେଇଁ ଶୋଇଥିବ ଯିଏ ତାକୁ ଡାକି ଉଠାଇବ କିଏ
ଚେଇଁ ଶୋଇଥିବ ଯିଏ ତାକୁ ଡାକି ଉଠାଇବ କିଏ
ରୀତାରାଣୀ ଦାଶ
ବାଲେଶ୍ୱର
ଚେଇଁ ଶୋଇଥିବା ଉଠି ନ ପାରିବା
ଦୁଇଟି ଭିନ୍ନ ପ୍ରକାର
ଭାବନାତ୍ମକରେ ମାନସିକ କ୍ଷେତ୍ରେ
ଅନୁପଲବ୍ଧ ବିକାର |
ଦୁଃଖ ସୁଖ ଏଇ ମାୟା ଜଂଜାଳରେ
ଘାଣ୍ଟି ହୋଇ ତାର ସ୍ଥିତି
ଅଭ୍ୟନ୍ତରୁ ସୃଷ୍ଟି ନୀରବତା ବିଧି
ନିଜ ସଂସାରରେ ବନ୍ଦୀ |
ସ୍ପର୍ଶ, ଶବ୍ଦ ଦୁଇ ଅନୁଭବେ ନାହିଁ
ଗଭୀର ଶାନ୍ତିରେ ନିଦ୍ରା
ଅଳି ଓ ଅର୍ଦ୍ଦଳି କିଛି ଶୁଣେ ନାହିଁ
ଘାରିଛି ଅବେଳ ତନ୍ଦ୍ରା |
କେବେ ଲାଗେ ମିଥ୍ୟା ଅଭିନୟ ତାର
କରୁଛି ସେ ପ୍ରତାରଣା
କର୍ମକୁଢ଼ ହୋଇ ରାହା ଅଛି ପାଇ
ଶୋଇବା ତାର ବାହାନା |
କେବେ ଉଙ୍କିମାରେ ସତ ଚିନ୍ତନରେ
ଉତ୍ଥାନ ପତନୁ ମୁକ୍ତି
ଦୁଃଖ ଯନ୍ତ୍ରଣାକୁ ଦୁନିଆଁ ଆଗରୁ
ନୀରବେ ନିଦ୍ରା ଉତ୍ପତି |
ଧୈର୍ଯ୍ୟ ବୁଝାମଣା ଅଭାବ ଶିକାରେ
ଟପିଛି ତା ଜୀବନର
ଜିଇଁବାର ଏକ ସ୍ୱତନ୍ତ୍ର ଉପାୟ
କରିନେଇଛି ବାହାର |
ଆତ୍ମ ଗର୍ବ ଆଉ ଅହଙ୍କାରେ ମାତି
କିଏ ଉଠିବା ଚାହେଁନା
ସ୍ଵ କୃତ ନିୟମେ ବଞ୍ଚିବା ପ୍ରୟାସେ
ଜଗିବା ସିଏ ଜାଣେନା |
ସ୍ୱପ୍ନରେ ବିଭୋର ହୃଦୟ ତାହାର
ଆଶାଠୁ ଅଧିକ ଆଶା
ଚେଇଁ ସେ ଶୋଇଛି ନିଜେ ନ ଉଠିଲେ
ବୃଥା ହେବ ସବୁ ଚେଷ୍ଟା |
ସୀମା ସଂଚାରରେ ସ୍ୱତନ୍ତ୍ର ଉପାୟେ
ସମ୍ବେଦନ ଶୀଳତାର
ଆପଣା ସୀମାର ଦୁନିଆଁରେ ବଞ୍ଚେ
କରେନା କାରେ ଖାତିର |
