ଆଇଆଇଟି ମାଡ୍ରାସରେ ‘ଥିଙ୍କ୍ ଇଣ୍ଡିଆ ଦକ୍ଷିଣପଥ ସମ୍ମିଳନୀ’

ଆଇଆଇଟି ମାଡ୍ରାସରେ ‘ଥିଙ୍କ୍ ଇଣ୍ଡିଆ ଦକ୍ଷିଣପଥ ସମ୍ମିଳନୀ’ରେ କେନ୍ଦ୍ରମନ୍ତ୍ରୀଙ୍କ ଉଦବୋଧନ
‘ଦକ୍ଷିଣପଥ ସମ୍ମିଳନୀ’ ଯୁବ ଶକ୍ତି ଓ ବିଶ୍ୱ କଲ୍ୟାଣର ନୂଆ ଦିଗନ୍ତ – ଧର୍ମେନ୍ଦ୍ର ପ୍ରଧାନ
ତିନିଦିନିଆ ତାମିଲନାଡୁ ଗସ୍ତରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ
ତେନକାଶୀ ସ୍ଥିତ ଜୋହୋ କର୍ପୋରେସନର ବିଭିନ୍ନ ଅନୁଷ୍ଠାନ ଗସ୍ତ କଲେ
ଜୋହୋ ସ୍କୁଲ ଅଫ୍ ଲର୍ଣ୍ଣିଂ, ମେକାଟ୍ରୋନିକ୍ସ ଷ୍ଟାର୍ଟ-ଅପ୍ କାରୁଭି, କାଲୟୀବାଣୀ କାଲଓ୍ୱି ମୈୟମ ସ୍କୁଲ, ଥରୁଭାଇ କ୍ୟାମ୍ପସ ପରିଦର୍ଶନ କଲେ
ମହାକବି ସୁବ୍ରମଣ୍ୟମ ଭାରତୀଙ୍କ ପତ୍ନୀ ଚେଲ୍ଲାମ୍ମା ଭାରତୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ


ଆଇଆଇଟି ମାଡ୍ରାସର ଯୁବ ଉଦ୍ଭାବକ ଏବଂ ଉଦ୍ୟୋଗୀମାନଙ୍କୁ କଲେ ଉତ୍ସାହିତ
ନବସୃଜନ ଏବଂ ଉଦ୍ୟମିତାକୁ ପ୍ରୋତ୍ସାହିତ କରିବାରେ ଆଇଆଇଟି ମାଡ୍ରାସର ଗୁରୁତ୍ୱପୂର୍ଣ୍ଣ ଭୂମିକା
ଶିକ୍ଷାଗତ ଲକ୍ଷ୍ୟ ଏବଂ ଜାତୀୟ ପ୍ରାଥମିକତା ପୂରଣ କରିବା ଦିଗରେ ଅଧିକ ଦାୟିତ୍ୱ ନେବା
ଜାତୀୟ ଶିକ୍ଷା ନୀତି ୨୦୨୦ର ଭବିଷ୍ୟତମୁଖୀ ଦିଗ ଉପରେ ଆଲୋଚନା କଲେ
ଜାତୀୟ ଶିକ୍ଷା ନୀତି ହେଉଛି ‘ବସୁଧୈବ କୁଟୁମ୍ବକମ୍’ର ଏକ ପ୍ରୟୋଗାତ୍ମକ ରୂପ

ଚେନ୍ନାଇ, ସେପ୍ଟେମ୍ବର ୨୧, ୨୦୨୫ – ‘ଦକ୍ଷିଣପଥ ସମ୍ମିଳନୀ’ ଭାରତର ଆହ୍ୱାନ ଗୁଡ଼ିକର ସମାଧାନ ପାଇଁ ନୂତନ ଚିନ୍ତାଧାରା ବିକଶିତ କରିବ ଏବଂ ଆମର ଯୁବବର୍ଗଙ୍କୁ ବିଶ୍ୱ କଲ୍ୟାଣର ଉତପ୍ରେରକ ଭାବରେ ଉଭା କରାଇବ ବୋଲି ରବିବାର ଚେନ୍ନାଇ ସ୍ଥିତ ଆଇଆଇଟି ମାଡ୍ରାସରେ ଆୟୋଜିତ ‘ଥିଙ୍କ ଇଣ୍ଡିଆ ଦକ୍ଷିଣପଥ ସମ୍ମିଳନୀ – ୨୦୨୫’ରେ ଯୋଗଦେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ତିନିଦିନିଆ ତାମିଲନାଡୁ ଗସ୍ତରେ ଥିବା ଶ୍ରୀ ପ୍ରଧାନ ଆଜି ଏହି ସମାରୋହରେ ଯୋଗଦେଇ ଜାତୀୟ ଶିକ୍ଷା ନୀତି ୨୦୨୦ର ଭବିଷ୍ୟତମୁଖୀ ଦିଗ ଉପରେ ଆଲୋକପାତ କରିଥିଲେ । ସେ କହିଥିଲେ, ଜାତୀୟ ଶିକ୍ଷା ନୀତି ହେଉଛି ‘ବସୁଧୈବ କୁଟୁମ୍ବକମ୍’ର ଏକ ପ୍ରୟୋଗାତ୍ମକ ରୂପ । ଏହା ବିକଶିତ ଭାରତ ପାଇଁ ମାର୍ଗ ପ୍ରଶସ୍ତ କରୁଛି । ବିଶ୍ୱ କଲ୍ୟାଣ ନିଶ୍ଚିତ କରିବା ପାଇଁ ଏହାକୁ ସଠିକ୍ ଭାବରେ କାର୍ଯ୍ୟକାରୀ କରିବା ଜରୁରୀ । ସେ ଆହୁରି କହିଛନ୍ତି ଯେ ଆମକୁ ସୁଯୋଗ ଗୁଡ଼ିକର ସଦୁପଯୋଗ କରି ଶିକ୍ଷାଗତ ଲକ୍ଷ୍ୟ ଏବଂ ଜାତୀୟ ପ୍ରାଥମିକତା ପୂରଣ କରିବା ଦିଗରେ ଅଧିକ ଦାୟିତ୍ୱ ନେବାକୁ ପଡ଼ିବ । ଥିଙ୍କ୍ ଇଣ୍ଡିଆ ଭଳି ଦେଶର ପ୍ରମୁଖ ଥିଙ୍କ-ଟ୍ୟାଙ୍କଗୁଡ଼ିକୁ ବିଶ୍ୱସ୍ତରୀୟ ଆଧିପତ୍ୟ ବଜାୟ ରଖିବାକୁ ହେବ । ଭାରତର ବୈଶ୍ୱିକ ଦାୟିତ୍ୱ ପୂରଣ କରିବା ପାଇଁ ନୂତନ ମଡେଲ ଏବଂ ଉପକରଣ ପ୍ରସ୍ତୁତ କରିବା ନିମନ୍ତେ ଥିବା ଚ୍ୟାଲେଞ୍ଜ୍ ଗୁଡିକୁ ସାମ୍ନା କରିବା ପାଇଁ ସେ ପରାମର୍ଶ ଦେଇଥିଲେ ।
ଏହି ଗସ୍ତକାଳରେ ଶ୍ରୀ ପ୍ରଧାନ ଆଇଆଇଟି ମାଡ୍ରାସ ଗବେଷଣା ପାର୍କରେ ଇନକ୍ୟୁବେସନ ସମର୍ଥନ ପାଇଥିବା ଯୁବ ଉଦ୍ଭାବକ ଏବଂ ଉଦ୍ୟୋଗୀମାନଙ୍କ ସହିତ ଆଲୋଚନା କରିଥିଲେ । ଜେଇଇ ପରୀକ୍ଷାରେ ସଫଳତା ପାଇଥିବା ତଥା କଳା କ୍ଷେତ୍ରରେ ଆଇଆଇଟି ମାଡ୍ରାସରେ ନାମ ଲେଖାଇଥିବା ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କୁ ଭେଟିଥିଲେ । ‘ଆଇଆଇଟିଏମ ଫର ଅଲ୍’ କାର୍ଯ୍ୟକ୍ରମ ଅଧୀନରେ ଶିକ୍ଷାନୁଷ୍ଠାନରେ ପାଠ ପଢୁଥିବା ତାମିଲନାଡୁ ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ସହ ସାକ୍ଷାତ୍ ଆଲୋଚନା କରିଥିଲେ କେନ୍ଦ୍ରମନ୍ତ୍ରୀ । ଇଣ୍ଡିଆ ସେଣ୍ଟର ଫର୍ ଲ୍ୟାବ୍ ଗ୍ରୋନ୍ ଡାଇମଣ୍ଡ, ଟେକ୍ନୋଲୋଜି ଡେଭଲପମେଣ୍ଟ ସେଣ୍ଟର ପରିଦର୍ଶନ କରିଥିଲେ । ସେ କହିଥିଲେ ଭାରତରେ ନବସୃଜନ ଏବଂ ଉଦ୍ୟମିତା ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବାରେ ଆଇଆଇଟି ମାଡ୍ରାସ ଏକ ଅଗ୍ରଣୀ ଭୂମିକା ନେଇଛି । ବିଶେଷ ଭାବରେ ଆର୍ଥିକ ଦୃଷ୍ଟିରୁ ଅନଗ୍ରସର ପିଲାମାନଙ୍କୁ ସହଯୋଗ କରି ସେମାନଙ୍କ ଭବିଷ୍ୟତ ନିର୍ମାଣ କରିବାରେ ଅନୁଷ୍ଠାନର ଅବଦାନ ଅତୁଳନୀୟ ବୋଲି ସେ କହିଥିଲେ ।
ଏହାବ୍ୟତୀତ ଶ୍ରୀ ପ୍ରଧାନ ସେପ୍ଟେମ୍ବର ୧୯ରୁ ୨୧ ତାରିଖ ପର୍ଯ୍ୟନ୍ତ ତାମିଲନାଡୁ ଗସ୍ତକାଳରେ କଦାୟମ୍ ଗ୍ରାମରେ ମହାକବି ସୁବ୍ରମଣ୍ୟମ ଭାରତୀଙ୍କ ପତ୍ନୀ ଚେଲ୍ଲାମ୍ମା ଭାରତୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ତେନକାଶୀ ସ୍ଥିତ ଜୋହୋ କର୍ପୋରେସନର ବିଭିନ୍ନ ଅନୁଷ୍ଠାନ ଗସ୍ତ କରିବା ସହ ଛାତ୍ରଛାତ୍ରୀଙ୍କୁ ଭେଟିଥିଲେ । ଜୋହୋ ସ୍କୁଲ ଅଫ୍ ଲର୍ଣ୍ଣିଂ, ଜୋହୋ ଦ୍ୱାରା ପରିଚାଳିତ ମେକାଟ୍ରୋନିକ୍ସ ଷ୍ଟାର୍ଟ-ଅପ୍ କାରୁଭି, କାଲୟୀବାଣୀ କାଲଓ୍ୱି ମୈୟମ ସ୍କୁଲ, ଥରୁଭାଇ କ୍ୟାମ୍ପସ ପରିଦର୍ଶନ କରିବା ସହ ଛାତ୍ରଛାତ୍ରୀଙ୍କ ସହ କଥା ହୋଇଥିଲେ । ସେ କହିଥିଲେ ଜୋହୋ କ୍ୟାମ୍ପସ ଆମର ଯୁବପିଢ଼ିଙ୍କୁ ଜୀବନବ୍ୟାପୀ ଶିକ୍ଷାରେ ନିୟୋଜିତ ହେବାକୁ ଉତ୍ସାହିତ କରୁଛି। ଡିଗ୍ରୀ ଅପେକ୍ଷା ଦକ୍ଷତା ଏବଂ କ୍ଷମତାକୁ ଅଧିକ ଗୁରୁତ୍ୱ ଦେଉଛନ୍ତି । ଅସହାୟ ଓ ଗ୍ରାମୀଣ ଛାତ୍ରଛାତ୍ରୀଙ୍କୁ ସଶକ୍ତ କରୁଛି । ସ୍କୁଲ ଗରିବ ଏବଂ ଅବହେଳିତ ପୃଷ୍ଠଭୂମିର ଛାତ୍ରଛାତ୍ରୀମାନଙ୍କ ପାଇଁ ଶିକ୍ଷାର ଜ୍ୱାଳା ପ୍ରଜ୍ଜ୍ୱଳିତ କରୁଛି ।

Leave a Reply

Your email address will not be published. Required fields are marked *