ଦେବୀ ମାଆ ଶୈଳପୁତ୍ରୀ

 ଦେବୀ ମାଆ ଶୈଳପୁତ୍ରୀ
( ରାଗ — କଳହଂସ କେଦାର )

🖊️କବିରତ୍ନ ନୂତନ କୁମାର ବେହେରା

ବସନ୍ତେ ବାସନ୍ତୀ ଶରତେ ଶାରଦା
ସ୍ଵରୂପେ ମାଆ ପୂଜା ପାଆନ୍ତି ସଦା ଯେ ,
ଅବତରୀ ଆସନ୍ତି ସେ ଧରାଧାମେ
ତାଙ୍କ ପାଦପଦ୍ମେ ଭକତ ପ୍ରଣମେ ଯେ।୧।

ଶାରଦୀୟ ନବରାତ୍ରେ ନଅ ରୂପ
ନେଇ ଆଦିଶକ୍ତି ନାଶିଥାନ୍ତି ପାପ ଯେ ,
ମାତୃ ଉପାସନାର ପୂଜା ଅର୍ଚ୍ଚନା
ଷଡ଼ ଉପଚାରେ ହୁଏ ସମ୍ପାଦନା ଯେ।୨।

ମହାଳୟା ପରେ ଶୁକ୍ଳ ପ୍ରତିପଦ 
ଆଦିମାତା ହୋଇଥାନ୍ତି ଆବିର୍ଭାବ ଯେ,
ପ୍ରଥମ ଦିବସେ ଦେବୀ ଶୈଳପୁତ୍ରୀ
ସ୍ଵରୂପିଣୀ ହୋଇଥାନ୍ତି ଜଗଦ୍ଧାତ୍ରୀ ଯେ।୩।

ଦକ୍ଷ ପ୍ରଜାପତି କନ୍ୟା ଥିଲେ ସତୀ
ଶିବଙ୍କୁ ବରି ନିନ୍ଦା ପାଇଲେ ଅତି ଯେ,
ଯଜ୍ଞ ଅଗ୍ନି କୁଣ୍ଡେ ସତୀ ଦେଲେ ଝାସ
ପିତା ଅପମାନେ ନିଜେ ହେଲେ ଧ୍ଵଂସ ଯେ।୪।

ପୁନର୍ଜନ୍ମ ଲଭି ହୋଇଲେ ପାର୍ବତୀ
ଅଦ୍ରିତନୟା ଭାବେ ଅର୍ଜିଲେ ଖ୍ୟାତି ଯେ,
ସଂକଳ୍ପ ପୂର୍ଣ୍ଣ କଲେ ଶିବଙ୍କୁ ପାଇ
କୈଳାସେ ରହିଲେ ହର ଗୌରୀ ହୋଇ ଯେ।୫।

ଶୈଳଠାରୁ ଜନ୍ମ ଲଭି ଶୈଳପୁତ୍ରୀ
ମାତା କଲ୍ୟାଣମୟୀ ଅଭୟଦାତ୍ରୀ ଯେ,
ଦେବୀ ରୂପେ ଶ୍ରଦ୍ଧା ବିଶ୍ଵାସ ରୂପିଣୀ
କୃପା କରନ୍ତି ଭକତ ମନ ଜାଣି ଯେ।୬।

ବୃଷାରୁଢ଼ା ଶୁକ୍ଳ ବସ୍ତ୍ର ପରିହିତା
ମସ୍ତକେ ତାଙ୍କ ଅର୍ଦ୍ଧ ଚନ୍ଦ୍ର ଶୋଭିତା ଯେ,
ଦକ୍ଷିଣ ହସ୍ତେ ତ୍ରିଶୂଳ ବାମେ ପଦ୍ମ
ମାତା ଜଗଦମ୍ଵା କରୁଣା ଅସୀମ ଯେ।୭।

ଶୈଳପୁତ୍ରୀଙ୍କୁ କଲେ ପୂଜା ଅର୍ଚ୍ଚନା
ଭକ୍ତର ପୂର୍ଣ୍ଣ ହୁଏ ମନସ୍କାମନା ଯେ,
ମୂଳାଧାର ଚକ୍ର ହୁଅଇ ଜାଗ୍ରତ
ଦୁଃଖ ଯାଇ ବହୁ ସିଦ୍ଧି ହୁଏ ପ୍ରାପ୍ତ ଯେ।୮।

ଦେବୀ ମାଆ ଶୈଳପୁତ୍ରୀଙ୍କୁ ନମନ
ସୁରକ୍ଷା ଦେଇ ସେ ରଖନ୍ତୁ ଜୀବନ ଯେ,
ଚରଣେ ତାଙ୍କର ଦିଅନ୍ତୁ ଶରଣ
ଶ୍ରଦ୍ଧା ଭକ୍ତି ପୁଷ୍ପ କରନ୍ତୁ ଗ୍ରହଣ ଯେ।୯।

 କୋହି,ବାରିପଦା,ମୟୂରଭଞ୍ଜ।

Leave a Reply

Your email address will not be published. Required fields are marked *