ବ୍ରହ୍ମଚାରିଣୀ ମାଆ ଦୁର୍ଗା

            ବ୍ରହ୍ମଚାରିଣୀ ମାଆ ଦୁର୍ଗା
                (ରାଗ — ଚୋଖି)

   🖊କବିରତ୍ନ ନୂତନ କୁମାର ବେହେରା

ଆଦିଶକ୍ତି ଆଦିମାତା    ବିଶ୍ବ ବ୍ରହ୍ମାଣ୍ଡେ ପୂଜିତା
    ଆବାହନେ ଅବତାରୀ ଆସନ୍ତି ଭବେ,
ନବରାତ୍ରେ ଦଶଭୁଜା   ନଅ ରୂପେ ପା’ନ୍ତି ପୂଜା
     ଭକ୍ତି ଚିତ୍ତେ ଧ୍ୟାନ ରଖିଥାନ୍ତି ସରବେ,
            ଆଶ୍ବିନେ ଆସନ୍ତି ମରତେ
    ଆଶିଷର ସୁଧାଧାରା ଢାଳି ନିରତେ।
ପ୍ରଥମରେ ଶୈଳପୁତ୍ରୀ   ଦ୍ଵିତୀୟେ ବ୍ରହ୍ମଚାରିଣୀ
     ରୂପେ ଉଭା ହୋଇଥାନ୍ତି ଜଗତ ମାତା,
ଏ ରୂପରେ ତପ କରି   ଶିବଙ୍କୁ ସେ ଥିଲେ ବରି
     ସନ୍ତୋଷ କରି ସରଗେ ସର୍ବ ଦେବତା,
            କଠୋର ସେ ବ୍ରତ ତପସ୍ୟା
    ସିଦ୍ଧି ଲଭି ଜଗତରେ ହେଲେ ନମସ୍ୟା।
ସହସ୍ର ବରଷ ଧରି     ବେଲ ପତ୍ର ଭୁଞ୍ଜି କରି
    ନ ହେବାରୁ ମହାଦେବ ତାଙ୍କୁ ଆକୃଷ୍ଟ ,
ଅନାହାରେ ଦୀର୍ଘକାଳ ରହି ହେଲେ ସେ ଦୁର୍ବଳା
     ସାଧନାର ପଥେ ଥାଇ ପାଇଲେ କଷ୍ଟ ,
          ଶେଷେ ଶିବ ହେଲେ ସନ୍ତୁଷ୍ଟ
     ବିବାହ ବନ୍ଧନେ ବାନ୍ଧି ଖଣ୍ଡିଲେ ରିଷ୍ଟ।
ବ୍ରହ୍ମଶକ୍ତି ଯେ ପରମ    ଶକ୍ତି ମଧ୍ୟେ ସର୍ବୋତ୍ତମ
   ଦେଖାଇଲେ ମାତା ହୋଇ ବ୍ରହ୍ମଚାରିଣୀ,
ବ୍ରହ୍ମରୁ ବ୍ରହ୍ମାଣ୍ଡ ସୃଷ୍ଟି    ଜ୍ଞାନେ ମିଳେ ଦିବ୍ୟଦୃଷ୍ଟି
   ପ୍ରମାଣ ସେ ଦେଲେ ତାର ବିଶ୍ବାସ ଆଣି,
           ତପ ବଳେ ଶିବଙ୍କୁ ଜିଣି
   ଅସାଧ୍ୟ ସାଧନେ ରକ୍ଷା କଲେ ଧରଣୀ।
ମାଆ ବ୍ରହ୍ମଚାରିଣୀଙ୍କୁ    ଭବେ ପୂଜା କରିବାକୁ
    ମାନବେ କଲେ ଉଦ୍ୟମ ବିଧି ବିଧାନେ,
ପବିତ୍ର ମନରେ ପୂଜି     ତା’ ପୁଣ୍ୟଫଳ ଅରଜି
     ସୁଖ ଶାନ୍ତି ଶକ୍ତି ମୁକ୍ତି ପା’ନ୍ତି ଜୀବନେ,
            ପୂରଣ କରନ୍ତି ସେ ଆଶା
   ତାଙ୍କଠାରେ ରଖେ ଯିଏ ଦୃଢ଼ ଭରସା।
ଭକ୍ତିଭାବେ ସମର୍ପଣ   କଲେ ଆସେ ଜାଗରଣ
    ମାତା ହୋଇଥାନ୍ତି ତୋଷ ତାଙ୍କ ସନ୍ତାନେ,
ନେଇ ତାଙ୍କର ଶରଣ    ବନ୍ଦନା କଲେ ଚରଣ
      ମହାପୁଣ୍ୟ ମିଳିଥାଏ ବ୍ରତ ସାଧନେ,
           କୋଟି କୋଟି ତାଙ୍କୁ ପ୍ରଣାମ
      ଆଶିଷ ଦେଇ ରଖନ୍ତୁ ଏ ଧରାଧାମ।
         
      କୋହି,ବାରିପଦା,ମୟୂରଭଞ୍ଜ।
ଦୂରଭାଷା — ୮୦୧୮୩୫୩୩୨୨

Leave a Reply

Your email address will not be published. Required fields are marked *