କିଶୋରୀ ପେଣ୍ଠକଟା ଅଞ୍ଚଳ ର ବାଳିକା ମାନଙ୍କୁ ନେଇ ବାଳିକା ପଞ୍ଚାୟତ ୨୦୨୫ ଅନୁଷ୍ଠିତ ହୋଇଯାଇଅଛି
ଅଦ୍ୟ ତା ୨୪.୦୯.୨୦୨୫ ରିଖ ପୁରୀ ପେଣ୍ଠକଟା ସ୍ଥିତ ବାତ୍ୟା ଆଶ୍ରୟ ସ୍ଥଳି ଠାରେ ଗୋପବନ୍ଧୁ ସେବା ପରିଷଦ, ୟୁନାଇଟେଡ ୱେ ଅଫ ହାଇଦରାବାଦ ଓ ଆର୍.ଏସ୍.ଏମ୍. ଗ୍ଲୋବାଲ ର ମିଳିତ ଆନୁକୁଲ୍ୟରେ କିଶୋରୀ ପେଣ୍ଠକଟା ଅଞ୍ଚଳ ର ବାଳିକା ମାନଙ୍କୁ ନେଇ ବାଳିକା ପଞ୍ଚାୟତ ୨୦୨୫ ଅନୁଷ୍ଠିତ ହୋଇଯାଇ ଅଛି। ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ମନୋଜ କୁମାର ତ୍ରିପାଠୀ ନିଜ ବକ୍ତବ୍ୟ ରେ ଶିଶୁ ମାନଙ୍କ ଉପରେ ହେଉଥିବା ଅତ୍ୟାଚାର ତଥା ଶୋଷଣ ର ଶିକାର ହେଲେ ୧୦୯୮ କିମ୍ବା ୧୧୨ ନମ୍ବରରେ ଜଣାଇବା ପାଇଁ ପରାମର୍ଶ ଦେଇ ଥିଲେ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ଗୋପବନ୍ଧୁ ସେବା ପରିଷଦ ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀମତୀ ଏଲିନା ମିଶ୍ର କାର୍ଯ୍ୟକ୍ରମ ର ଉଦ୍ଦେଶ୍ୟ ଓ ବିଗତ ୨ ବର୍ଷର ବାର୍ଷିକ ବିବରଣୀ ପାଠ କରିଥିଲେ। ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ସନ୍ତୋଷ କୁମାର ସେଠୀ କିଶୋରୀ ବାଳିକା ମାନଙ୍କୁ ଜ୍ଞାନ ବୁଦ୍ଧି ଓ ଶକ୍ତି ର ପ୍ରତୀକ ହୋଇ ବାହାରିବା ପାଇଁ ପ୍ରବର୍ତ୍ତାଇ ଥିଲେ ଓ ଶିକ୍ଷା ର ଆବଶ୍ୟକତା ବିଷୟରେ ଜଣାଇ ଥିଲେ।

ଇ ଏମ୍ ପି ବିନ୍ଦି ଇଣ୍ଟର୍ ନେସନାଲ୍ ର କାର୍ଯ୍ୟକ୍ରମ ମୁଖ୍ୟ ସୁଶ୍ରୀ ମୋନାଲିସା ପାଢ଼ୀ ଯୋଗ ଦେଇ କିଶୋରୀ ବାଳିକା ମାନଙ୍କ ଉନ୍ନତି ନିମିତ୍ତ ନିଆଯାଉଥିବା ପଦକ୍ଷେପ ମାନଙ୍କ ବିଷୟ ରେ କହିଥିଲେ। ସେଚନ ବିହାର ଉ.ପ୍ରା. ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ରାମ ନାରାୟଣ ମିଶ୍ର ଉପସ୍ଥିତ ରହି ପୋଷଣ ଯୁକ୍ତ ଖାଦ୍ୟ ର ଆବଶ୍ୟକତା ଓ ଦୈନିକ ବ୍ୟବହାର ବିଷୟରେ ପିଲା ମାନଙ୍କୁ ଶିଖାଇଥିଲେ। ଚକ୍ରତୀର୍ଥ ନୂଆସାହି ତେଲୁଗୁ ପ୍ରକଳ୍ପ ବିଦ୍ୟାଳୟ ର ଶିକ୍ଷକ ପି. ହେମ ସୁନ୍ଦର ଯୋଗ ଦେଇ କିଶୋରୀ ବାଳିକା ମାନଙ୍କ ଆତ୍ମରକ୍ଷା କୌଶଳ ଶିକ୍ଷା ବିଷୟରେ ଅବଗତ କରାଇ ଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମ ତଥା ନୃତ୍ୟ, ସଙ୍ଗୀତ, ନାଟକ, ବିବରଣୀ ପାଠ ମାଧ୍ୟମରେ କିଶୋରୀ ବାଳିକା ମାନେ ସ୍ଥାନୀୟ ଅଞ୍ଚଳର ବାଳିକା ମାନଙ୍କ ପାଇଁ ଥିବା ଅସୁବିଧା କୁ ଜଣାଇ ଥିଲେ। ଓ ଅତିଥି ମାନଙ୍କ ଦ୍ଵାରା ସେମାନଙ୍କୁ ପୁରସ୍କାର ବିତରଣ କରାଯାଇ ଥିଲା। ଗୋପବନ୍ଧୁ ସେବା ପରିଷଦର ପ୍ରାଣ ପ୍ରତିଷ୍ଠାତା ଶ୍ରୀ ପ୍ରଦୀପ କୁମାର ମହାରଣା କାର୍ଯ୍ୟକ୍ରମ କୁ ଅଧ୍ୟକ୍ଷତା କରିଥିବା ବେଳେ ସୁଶ୍ରୀ ଶୁଭସ୍ମିତା ସ୍ବାଗତ ଜଣାଇଥିଲେ ଓ ବିସ୍ମୟ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସବିତା ରଥ, ନିବେଦିତା ସ୍ୱାଇଁ, ଭାଗ୍ୟରଥି ଖଟୋଇ, କୁମାରୀ, ମଣି, ବେଣୁ, ଭାରତୀ , ସୁଭାଷିନୀ ପ୍ରମୁଖ ପରିଚାଳନା କରିଥିଲେ।
