୨୭ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପରିପ୍ରେକ୍ଷୀରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ
ଭୁବନେଶ୍ୱର, ୨୪.୦୯.୨୦୨୫ ଆସନ୍ତା ୨୭ ତାରିଖରେ ହେବାକୁ ଥିବା ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଝାରସୁଗୁଡା ଗସ୍ତ ପରିପ୍ରେକ୍ଷୀରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଆଜି ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ପୂର୍ବରୁ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ବ୍ରହ୍ମପୁରରେ ହେବାକୁ ଥିବା ବେଳେ ପାଣିପାଗ ବିଭାଗ ତରଫରୁ ବର୍ଷା ହେବା ସଂପର୍କରେ ପୂର୍ବାନୁମାନ ଯୋଗୁଁ ପରବର୍ତ୍ତୀ ସମୟରେ ଏହି କାର୍ଯ୍ୟକ୍ରମ ଝାରସୁଗୁଡାରେ ଅନୁଷ୍ଠିତ ହେବା ନେଇ ପରିବର୍ତ୍ତନ କରାଯାଇଛି । ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଝାରସୁଗୁଡ଼ା ଗସ୍ତ କାର୍ଯ୍ୟକ୍ରମକୁ ସୁଚାରୁରୂପେ ଅନୁଷ୍ଠିତ ହେବା ନେଇ ଆଜି ସକାଳେ ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୁଜାରୀ, ମୁଖ୍ୟ ଶାସନ ସଚିବ ଶ୍ରୀ ଆହୁଜା, ପୂର୍ତ୍ତ ବିଭାଗ ପ୍ରମୁଖ ଶାସନ ସଚିବ ଏବଂ ଉଚ୍ଚ ଶିକ୍ଷା ବିଭାଗ କମିଶନର ତଥା ଶାସନ ସଚିବ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ଝାରସୁଗୁଡା ଗସ୍ତ କରି କ୍ଷେତ୍ର ପରିଦର୍ଶନ ସହିତ ସେଠାରେ ଏକ ବୈଠକରେ ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିଥିଲେ । ପରେ ପରେ ଆଜି ସଂଧ୍ୟାରେ ମୁଖ୍ୟ ଶାସନ ସଚିବ ଲୋକସେବା ଭବନରେ ଆୟୋଜିତ ଏକ ବୈଠକରେ ରାଜ୍ୟ ପ୍ରଶାସନର ସଂପୃକ୍ତ ବିଭିନ୍ନ ବିଭାଗର ସଚିବ ଏବଂ ପୁଲିସ ପ୍ରଶାସନର ବରିଷ୍ଠ ଅଧିକାରୀମାନଙ୍କ ସହିତ ଆଲୋଚନା କରିଥିଲେ । ପ୍ରାପ୍ତ ସଦ୍ୟ ସୂଚନା ଅନୁସାରେ ମାନ୍ୟବର ପ୍ରଧାନମନ୍ତ୍ରୀ ସେପ୍ଟେମ୍ବର ୨୭ ତାରିଖ ସକାଳ ୯ଘ. ୨୦ ମି ସମୟରୁ ନୂଆଦିଲ୍ଲୀ ବିମାନ ବନ୍ଦରରୁ ସ୍ୱତନ୍ତ୍ର ବାୟୁସେବା ବିମାନ ଯୋଗେ ବାହାରି ଝାରସୁଗୁଡା ବିମାନବନ୍ଦରରେ ପୂର୍ବାହ୍ନ ୧୧ ଘ. ୧୦ ମି.ରେ ପହଞ୍ଚିବେ । ସେଠାରୁ ସଡ଼କ ପଥରେ ଯାଇ ପୂର୍ବାହ୍ଣ ୧୧ ଘ.୨୫ମି. ସମୟରେ ଅମଲିପାଲି ସ୍ଥିତ ପଡିଆରେ ପହଁଚି ଆୟୋଜିତ କାର୍ଯ୍ୟକ୍ରମ ସ୍ଥଳରେ ଯୋଗଦେବେ । ସେଠାରେ ମାନ୍ୟବର ପ୍ରଧାନମନ୍ତ୍ରୀ ପୂର୍ବ ନିର୍ଦ୍ଧାରିତ ଅନୁସାରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ, ଉଦ୍ଘାଟନ ସହ ବିଭିନ୍ନ ପ୍ରକଳ୍ପକୁ ଜାତି ଉଦ୍ଦେଶ୍ୟରେ ଲୋକାର୍ପଣ କରିବେ । ଏହା ପରେ ମାନ୍ୟବର ପ୍ରଧାନମନ୍ତ୍ରୀ କାର୍ଯ୍ୟକ୍ରମ ସାରି ଅପରାହ୍ଣ ୧୨ଘ.୪୫ମି. ରେ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମ ରହିଛି । କାର୍ଯ୍ୟକ୍ରମରେ ଜନସାଧାରଣ, ମହିଳା, ଛାତ୍ରଛାତ୍ରୀ, ଯୁବବର୍ଗଙ୍କ ସମେତ ପ୍ରାୟ ୬୦ ହଜାର ଜନ ସମାବେଶ ହେବାର ଆଶା କରାଯାଉଛି । କାର୍ଯ୍ୟକ୍ରମ ଆୟୋଜନ ନେଇ ଏଥିପାଇଁ ଝାରସୁଗୁଡା ବିମାନବନ୍ଦରରେ ଠାରୁ ଆରମ୍ଭ କରି ଆବଶ୍ୟକ ସ୍ଥଳରେ ସୁରକ୍ଷା ବ୍ୟବସ୍ଥା, ପ୍ରଧାନମନ୍ତ୍ରୀଙ୍କ ଝାରସୁଗୁଡା ଅତିଥିଭବନରେ ସାମୟିକ ରହଣି, ଅନୁମୋଦିତ ଅନୁସାରେ ସଭାସ୍ଥଳରେ ମଞ୍ଚ ପ୍ରସ୍ତୁତି, ଭିଭିଆଇପି, ଭିଆଇପି ମାନଙ୍କ ବସିବା ସ୍ଥାନ, ଯାତାୟତ, ଦର୍ଶକମାନଙ୍କ ବସିବା ସ୍ଥାନ, କାରକେଡ ପ୍ଲାନ୍, ଡାକ୍ତରୀ ଚିକିତ୍ସା, ସଡ଼କ ମରାମତି, ପରିବହନ ବ୍ୟବସ୍ଥା କାର୍ଯ୍ୟକ୍ରମ ସ୍ଥଳରେ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ , ପାନୀୟ ଜଳଯୋଗାଣ, ପରିମଳ ବ୍ୟବସ୍ଥା, ମୋବାଇଲ ଶୌଚାଳୟ ବ୍ୟବସ୍ଥା, ଅଗ୍ନି ନିରାପତ୍ତା ବ୍ୟବସ୍ଥା, ପାସ ବ୍ୟବସ୍ଥା ସହିତ ଗଣମାଧ୍ୟମରେ ପ୍ରଚାରପ୍ରସାର ସଂପର୍କିତ ବିସ୍ତୃତ ଆଲୋଚନା କରାଯାଇଥିଲା

ବୈଠକରେ ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ, ଶିଳ୍ପ, ସୂଚନା ଓ ଲୋକସଂପର୍କ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା, ରାଜ୍ୟ ପୁଲିସ ମହା ନିର୍ଦ୍ଦେଶକ ଶ୍ରୀ ଓ୍ୱାଇ.ବି. ଖୁରାନିଆଙ୍କ ସମେତ ପୂର୍ତ୍ତ, ବାଣିଜ୍ୟ ଓ ପରିବହନ, ଉଚ୍ଚଶିକ୍ଷା, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଆଦି ସଂପୃକ୍ତ ବିଭାଗର ପ୍ରମୁଖ ଶାସନ ସଚିବ ଏବଂ କମିଶନର ତଥା ଶାସନ ସଚିବ, ପୁଲିସ ପ୍ରଶାସନ ତଥା ସଂପୃକ୍ତ ବିଭିନ୍ନ ସଂସ୍ଥାର ବରିଷ୍ଠ ପଦାଧିକାରୀ ଓ କର୍ତ୍ତୃପକ୍ଷମାନେ ଉପସ୍ଥିତ ଥିଲେ । ଝାରସୁଗୁଡାରୁ ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ ଶ୍ରୀ ସଚିନ ରାମଚନ୍ଦ୍ର ଯାଦବ, ଉତ୍ତରାଞ୍ଚଳ ଆଇଜି ଶ୍ରୀ ହିମାଂଶୁ କୁମାର ଲାଲ, ଝାରସୁଗୁଡା ଜିଲ୍ଲାପାଳ, ଏସପି ଏବଂ ଅନ୍ୟ ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ ।

ଉତ୍ତରାଞ୍ଚଳ ଆଇଜି ସୁରକ୍ଷା ବ୍ୟବସ୍ଥା, ଜନଗହଳି ଓ ଟ୍ରାଫିକ୍ ପରିଚାଳନା, ପାର୍କିଂ ବ୍ୟବସ୍ଥା ଆଦି ସଂପର୍କରେ ସଦ୍ୟତମ ପ୍ରସ୍ତୁତି ସଂପର୍କରେ ସୂଚନା ଦେଇଥିଲେ । ଝାରସୁଗୁଡା, ଜିଲ୍ଲାପାଳଙ୍କୁ ପ୍ରସ୍ତୁତି ନେଇ ସମନ୍ୱୟ ନିମନ୍ତେ ସାମଗ୍ରିକ ଭାବେ ଦାୟିତ୍ୱ ଦିଆଯାଇଛି । ଏଥି ପାଇଁ ପୂର୍ବଭଳି ରାଜ୍ୟ ମୁଖ୍ୟାଳୟ ଗୃହ ବିଭାଗରେ ମଧ୍ୟ ଏକ କଣ୍ଟ୍ରୋଲ ରୁମ କାର୍ଯ୍ୟ କରିବ । ମୁଖ୍ୟ ଶାସନ ସଚିବ ଉପଯୁକ୍ତ ଯୋଜନା କରି ଜନଗହଳି ପରିଚାଳନା, ପାର୍କିଂ ବ୍ୟବସ୍ଥା ଓ ସମସ୍ତ କାର୍ଯ୍ୟ ପାଇଁ ଶୃଙ୍ଖଳିତ ବ୍ୟବସ୍ଥା ପ୍ରତି ଗୁରୁତ୍ୱ ଦେଇଛନ୍ତି । କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଯେଉଁ ଯେଉଁ ବିଭାଗ ଓ ସଂପୃକ୍ତ ସଂସ୍ଥାର କାର୍ଯ୍ୟ ରହିଛି, ସେମାନେ ତାହାକୁ ଉପଯୁକ୍ତ ଦୃଷ୍ଟି ଦେଇ ସୁଚାରୁରୂପେ ନିର୍ବାହ କରିବାକୁ ମୁଖ୍ୟ ଶାସନ ସଚିବ ଆବଶ୍ୟକ ନିର୍ଦ୍ଦେଶ ପରାମର୍ଶ ଦେଇଛନ୍ତି ।
