ବିଶ୍ବ ପର୍ଯ୍ୟଟନ ଦିବସ ପାଳିତକୃତି ପ୍ରତିଯୋଗୀ ଙ୍କୁ ପୁରସ୍କୃତ

ପୁରୀ ୨୭/୯ ଆଜି ବିଶ୍ବ ପର୍ଯ୍ୟଟନ ଦିବସ। ଏହି ଅବସରରେ ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟ ଠାରେ ଆୟୋଜିତ କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା ଯୋଗ ଦେଇ ପୁରୀ ଜିଲ୍ଲା ପର୍ଯ୍ୟଟନ କ୍ଷେତ୍ରରେ ଏକ ଅଗ୍ରଣୀ ଜିଲ୍ଲା ବୋଲି କହିଥିଲେ।ମହାପ୍ରଭୁ ଜଗନ୍ନାଥ ଙ୍କ କ୍ଷେତ୍ର ଶ୍ରୀକ୍ଷେତ୍ର ଆଧ୍ୟାତ୍ମିକ ଓ ପର୍ଯ୍ୟଟନ ଦୃଷ୍ଟି ରୁ ବେଶ ମହତ୍ତ୍ଵ ରଖେ।ଏହାର ଅଧିବାସୀ ଭାବେ ଅତିଥି ଦେବୋ ଭବଃ ର ପରମ୍ପରା କୁ ଅକ୍ଷୁର୍ଣ୍ଣ ରଖି ଆମେ ସମସ୍ତ ପର୍ଯ୍ୟଟକ ଙ୍କୁ ଉଚିତ ସେବା ଓ ସମ୍ମାନ ଦେବା କୁ ଶ୍ରୀ ବେହେରା ଆହ୍ବାନ ଦେଇଥିଲେ।ଏହି ଅବସରରେ ପୂର୍ବରୁ ଅନୁଷ୍ଠିତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ଆୟୋଜିତ କୁଇଜ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ଙ୍କୁ ଅତିରିକ୍ତ ଜିଲ୍ଲାପାଳ ପୁରସ୍କୃତ କରିଥିଲେ।ଏଥିରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସ୍ତରରେ ସରକାରୀ ମହିଳା ମହାବିଦ୍ୟାଳୟ ର ଛାତ୍ରୀ ସ୍ମୃତି ପ୍ରଜ୍ଞା ରାଜେଶ୍ବରୀ ପ୍ରଥମ, ପିପିଲି କଲେଜର ମିଲିନା ସାହୁ ଦ୍ବିତୀୟ ଓ ସୂରୁଜମଲ ଶାହା କଲେଜର ବିଶ୍ବ ଭୂଷଣ ସ୍ବାଇଁ ତୃତୀୟ ସ୍ଥାନ ହାସଲ କରିଥିଲେ।

ସେହିପରି ମହାବିଦ୍ୟାଳୟ କୁଇଜ ରେ ଆଇଏମଟି ଫାର୍ମାସି କଲେଜର ଛାତ୍ର ଦୂର୍ଗା ମାଧବ ମହାନ୍ତି ପ୍ରଥମ, ଏସସିଏସ ସ୍ବୟଂ ଶାସିତ ମହାବିଦ୍ୟାଳୟ ର ଛାତ୍ରୀ ସୌମ୍ୟାଶାନ୍ତି ପ୍ରିୟଦର୍ଶିନୀ ଦ୍ୱିତୀୟ ଓ ନିମାପଡା ସ୍ବୟଂ ଶାସିତ ମହାବିଦ୍ୟାଳୟ ର ଛାତ୍ରୀ ଲକ୍ଷ୍ମୀ ପ୍ରିୟା ପାଣ୍ଡିଆ ତୃତୀୟ ସ୍ଥାନ ହାସଲ କରି ପୁରସ୍କୃତ ହୋଇଥିଲେ।ପ୍ରାରମ୍ଭରେ ପର୍ଯ୍ୟଟନ ବିଭାଗ ସହକାରୀ ନିର୍ଦ୍ଦେଶକ ସରୋଜ କାନ୍ତ ପ୍ରଧାନ ସମସ୍ତ ଙ୍କୁ ସ୍ବାଗତ ଓ ପର୍ଯ୍ୟଟନ ଦିବସ ପାଳନର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ।କାର୍ଯ୍ୟକ୍ରମ ରେ ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ,ପର୍ଯ୍ୟଟନ କର୍ମଚାରୀ ସନ୍ତୋଷ କୁମାର ମହାନ୍ତି, ମଳୟା ପ୍ରଧାନ, ଅମୃତା ଦାସ ପ୍ରମୁଖ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *