ଜମରା ଗ୍ରାମରେ ମହାଆଡମ୍ବରରେ ପାଳିତ ହେଉଛି ଗଜଲକ୍ଷ୍ମୀ ପୂଜା

ଜମରା ଗ୍ରାମରେ ମହାଆଡମ୍ବରରେ ପାଳିତ ହେଉଛି ଗଜଲକ୍ଷ୍ମୀ ପୂଜା

କୋଣାର୍କ – କୋଣାର୍କ ନିକଟସ୍ଥ ଜମରା ଗ୍ରାମ ଓ ସମସ୍ତ ପୁରପଲ୍ଲୀରେ ମହାଆଡମ୍ବରରେ ପାଳିତ ହେଉଛି ଗଜଲକ୍ଷ୍ମୀ ପୂଜା। ନିକଟ ଅଞ୍ଚଳର ସମସ୍ତ ଗାଁ, ସାହି ଓ ପୁରପଲ୍ଲୀରେ କୁଆଁରୀ ଝିଅ ମାନଙ୍କ ସହ ମହିଳା ମାନେ ମିଶି ଆନନ୍ଦ ଉତ୍ସାହ ସହ ମନଖୁସିରେ ମହା ଆଡ଼ମ୍ବରରେ ପାଳନ କରୁଛନ୍ତି। ଜମରା ଗ୍ରାମରେ ୮୦ ବର୍ଷ ହେବ ଚାଲିଛି ଏହି ନିଆରା ପରମ୍ପରା। ଗୀତ , କବିତା, କାନ୍ଦଣା, ଲୋକନୃତ୍ୟ, ନାଟିକା, କମେଡି, ନୃତ୍ୟ ସହ ରଙ୍ଗୀନ ହେଉଛି ଗାଁ ରାତି ସାରା।

ଦଶହରା ଦିନ ଠାରୁ ଏହି ଗଜଲକ୍ଷ୍ମୀ ପୂଜା ଗାଁ ଗଣ୍ଡାରେ ଆରମ୍ଭ ହୋଇଛି। ପ୍ରାୟ ୭ ରୁ ୧୦ ଦିନ ଧରି ସନ୍ଧ୍ୟାରୁ ବିଳମ୍ବିତ ରାତି ତମାମ ଝିଅ ବୋହୂ ମାନେ ନାଚ ଗୀତରେ ମଜି ମଉଜ କରନ୍ତି। ଆକର୍ଷଣୀୟ ସାଜସଜ୍ଜା ସାଙ୍ଗକୁ ମନଲୋଭା ଲକ୍ଷ୍ମୀ ପ୍ରତିମା ଓ ପରମ୍ପରା ଆଦି ବେଶ ଆନନ୍ଦ ଉତ୍ସାହ ଭରି ଦେଇଛି। ଏହି ଅବସରରେ କୁମାରୀ ବିବାହ ଆକର୍ଷଣ ସାଜିଛି। କୁମାରୀ ଝିଅ ମାନେ ମିଛି ମିଛିକା ବିବାହର ଆୟୋଜନ କରିଥାନ୍ତି। ପୂର୍ବରୁ ଝିଅ ଦେଖା ପର୍ବ, ନିର୍ବନ୍ଧ, ଅନୁକୂଳ, ମଙ୍ଗନ ଆଦି ନୀତି ଅନୁଯାୟୀ ପାଳନ କରିବା ସହିତ ଗୀତ ଓ ସଙ୍ଗୀତର ତାଳେ ତାଳେ ବରଯାତ୍ରୀ ନୃତ୍ୟ ସହ କୁମାରୀ ବିବାହ କରାଯାଏ। କୁମାରୀ ମାନେ ନିଜେ ବର, କନ୍ୟା, ବର ପିତା, କନ୍ୟା ପିତା, ବ୍ରାହ୍ମଣ, ମାର୍କୁଣ୍ଡି ଆଦି ସଜେଇ ହୋଇ ବିବାହରେ ଯୋଗ ଦିଅନ୍ତି। ହୋମଯଜ୍ଞ, ହାତଗଣ୍ଠି, କଉଡ଼ି ଖେଳ, ବନ୍ଦାପନା ଆଦି ନୀତି ମଧ୍ଯ ସମାପନ ହୁଏ। ତା ସହିତ ଭୋଜି ଆସର ମଧ୍ଯ ଜମେ। ଏଥିରେ ଗ୍ରାମର ଯୁବକ ଓ ବାସିନ୍ଦା ମାନେ ମଧ୍ଯ ସହଯୋଗ କରନ୍ତି। ପୂର୍ବରୁ ଗ୍ରାମରେ ଗୋଟିଏ ସ୍ଥାନରେ ଗଜଲକ୍ଷ୍ମୀ ପୂଜା ହେଉଥିବା ବେଳେ ଗ୍ରାମର ବର୍ଦ୍ଧିତ ରୂପ ପରେ ଖାଟୋଇ ସାହି, ବିଶ୍ଵାଳ ସାହି ଓ ବାଲିସାହିରେ ତିନୋଟି ମଣ୍ଡପରେ ପୂଜା ପାଆନ୍ତି ମା ଗଜଲକ୍ଷ୍ମୀ। ଏଥି ସହିତ କୋଣାର୍କ ଅଞ୍ଚଳର କୁରୁଜଙ୍ଗ, ଖନ୍ଦଳ, କୁରୁମ, ବାମରା, ଜମତଳା, ତାଳସୁଆଁ ଆଦି ଗ୍ରାମରେ ମଧ୍ଯ ମହା ଆଡ଼ମ୍ବରରେ ଗଜଲକ୍ଷ୍ମୀ ପୂଜା ପାଳିତ ହେଉଛି।

Leave a Reply

Your email address will not be published. Required fields are marked *