୩ ହାଇୱେ ଲୁଟେରା ସମେତ ୬ ଗିରଫ ପରେ କୋର୍ଟ ଚାଲାଣ

ଧର୍ମଶାଳା,-: ଦୀର୍ଘ ମାସ ଧରି ୧୬ ନମ୍ବର ଜାତୀୟ ରାଜପଥ ଉପରେ ଶହ ଶହ ରାହାଜାନୀ ଓ ଡକାୟତି ଘଟଣା ଯାଜପୁର ଜିଲ୍ଲା ଧର୍ମଶାଳା ପୁଲିସ ପାଇଁ ଚିନ୍ତାର ବିଷୟ ପାଲଟିଥିଲା। ଥାନାରେ ମାମଲା ପରେ ମାମଲା ବଢ଼ି ଚାଲିଥିଲେ ସୁଦ୍ଧା ସଂପୃକ୍ତ ଲୁଟେରା ମାନଙ୍କୁ ଧରିବାରେ ବିଫଳ ହୋଇ ଆସୁଥିଲା। ଲୋକମାନେ ମଧ୍ୟ ପୁଲିସ ଉପରୁ ଆସ୍ଥା ତୁଟାଇ ଆସୁଥିଲେ। କିନ୍ତୁ ଅଚାନକ ଧର୍ମଶାଳା ପୁଲିସ ୩ ଜଣ ରାଜପଥ ଲୁଟେରାଙ୍କୁ ଧରିବାରେ ସଫଳ ହୋଇଛି। ସେମାନଙ୍କ ଚୋରି ଠାରୁ ସୁନା ଓ ଟଙ୍କା ଉଦ୍ଧାର କରିବା ସହ ବ୍ୟବହୃତ ବାଇକ୍, ମୋବାଇଲ ଓ ଭୁଜାଲି ଆଦି ଜବତ କରିବାରେ ସଫଳ ହୋଇଛି ବୋଲି ଥାନା ପରିସରରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପୁଲିସ ସୂଚନା ଦେଇଛି। ଗିରଫ ଅଭିଯୁକ୍ତମାନେ ହେଲେ ଭଦ୍ରକ ଜିଲ୍ଲା ଭଣ୍ଡାରି ପୋଖରୀ ଥାନା କୋଳିପଡ଼ା ଗ୍ରାମର କ୍ରୀଷ୍ଣା ଦାସ ଙ୍କ ପୁଅ ଗୋପୀ ଦାସ(୪୨), ଧାମନଗର ଥାନା ନୂଆପଡ଼ା ଗ୍ରାମର ଉମାକାନ୍ତ ଦାସ ଙ୍କ ଦୁଇ ପୁଅ ବଳରାମ ଦାସ(୨୨) ଓ ଜଗନ୍ନାଥ ଦାସ(୨୨)। ସେହିପରି ସେମାନଙ୍କ ଠାରୁ ଚୋରି ସୁନା କିଣିଥିବା ଅଭିଯୋଗରେ ଧାମନଗର ଥାନା ସୋଧ ଗ୍ରାମର ଗୌତମ କୁଣ୍ଡୁ(୩୨) ଓ ଆନନ୍ଦ କୁଣ୍ଡୁ(୫୬) ଏବଂ କେନ୍ଦ୍ରାପଡା ଥାନା ଠାକୁର ପାଟଣା ଗ୍ରାମର ଅନନ୍ତ ବେହେରା(୩୮) ବୋଲି ଏସଡିପିଓ ଲକ୍ଷ୍ମୀଧର ସ୍ବାଇଁ ସୂଚନା ଦେଇଛନ୍ତି। ଧରାପଡିଥିବା ଅଭିଯୁକ୍ତଙ୍କ ନାମରେ ଧର୍ମଶାଳା ଥାନାରେ ୧୦ଟି, ବଡଚଣା ଥାନାରେ ୫ଟି, ପାଣିକୋଇଲି ଥାନାରେ ୨ଟି, କୁଆଖିଆ ଓ ଯାଜପୁର ଥାନାରେ ଗୋଟିଏ ଲେଖାଏଁ ମୋଟ ୧୯ଟି ମାମଲା ରହିଛି। ଯାଜପୁର ଏସପିଙ୍କ ନେତୃତ୍ୱରେ ଏମାନଙ୍କୁ ଧରିବା ପାଇଁ ଏକ ଟିମ୍ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଥିଲା। ବିଶେଷ କରି ଜାତୀୟ ରାଜପଥରେ ବାଇକରେ ଯାଉଥିବା ମହିଳା ମାନଙ୍କୁ ଟାର୍ଗେଟ କରୁଥିଲେ ଏମାନେ ବୋଲି ପୁଲିସ କହିଛି। ସ୍ଥାନୀୟ ଗୋକର୍ଣ୍ଣେଶ୍ୱର ମନ୍ଦିର ନିକଟରେ ୩ ଜଣ ଯୁବକ ଏକ ନମ୍ବର ବିହୀନ କଳା ରଙ୍ଗର ପଲ୍ସର୍ ବାଇକରେ ବୁଲୁଥିବାର ଦେଖି ସନ୍ଧ୍ୟା ସମୟରେ ପେଟ୍ରୋଲିଂ କରୁଥିବା ଏସଆଇ ରମାକାନ୍ତ ନାଏକ ସେମାନଙ୍କୁ ସନ୍ଦେହରେ ପଚାରିବାରୁ ସେମାନେ କୌଣସି ସନ୍ତୋଷ ଜନକ ଉତ୍ତର ଦେଇ ପାରିନଥିଲେ । ପୁଲିସ ସେମାନଙ୍କୁ ଥାନାକୁ ଆଣି ଜାଣିବାକୁ ପାଇଲା ଏମାନେ କିଛି ମାସ ହେବ ଜାତୀୟ ରାଜପଥରେ ଲୁଟ୍ ତରାଜ ଚଳାଇଥିଲେ । ଏମାନଙ୍କୁ ପୁଲିସ ଅଟକାଇବା ଦେଖି ତାଙ୍କର ଦୁଇ ଜଣ ସହଯୋଗୀ କୁନୁ ଦାସ ଓ ଅର୍ଜୁନ ଦାସ ଫେରାର ହୋଇଯାଇଥିଲେ । ସେମାନଙ୍କ ଠାରୁ ୪୬ ଗ୍ରାମ ସୁନା, ୭୬୦୦ ନଗଦ ଟଙ୍କା, ରୁପା ଚେନ ଓ ସୁନା ଲକେଟ୍ ସହ ବ୍ୟବହୃତ ପଲସର୍ ବାଇକ, ଦୁଇଟି ମୋବାଇଲ ଦୁଇଟି ଭୁଜାଲି ଆଦି ଜବତ କରାଯାଉଛି। ଏହି ୬ ଜଣଙ୍କୁ ମଙ୍ଗଳବାର ଦିନ ଗିରଫ କରି ବୁଧବାର ଦିନ କୋର୍ଟ ଚାଲାଣ କରାଯାଇଛି ବୋଲି ଶ୍ରୀ ସ୍ବାଇଁ ସୂଚନା ଦେଇଥିଲେ। ସାମ୍ବାଦିକ ସମ୍ମିଳନୀରେ ଥାନା ଅଧିକାରୀ ରଞ୍ଜନ କୁମାର ମାଝୀ ଓ ଏସ ଆଇ ରମାକାନ୍ତ ନାୟକ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *