ଭାରତୀୟ ଯୋଗ ସଂସ୍ଥାନ ନୟାପଲ୍ଲୀ ଯୋଗ ଜିଲ୍ଲା ପକ୍ଷରୁ ୫୯ତମ ଯୋଗ ଦିବସ ପାଳିତ
ଭୁବନେଶ୍ୱର-୧୧ ଅକ୍ଟୋବର ୨୦୨୫: ନୟାପଲ୍ଲୀ ଯୋଗ ଜିଲ୍ଲା ଅଧୀନରେ ଥିବା ୧୩ ଟି ଯୋଗ କେନ୍ଦ୍ରର ମିଳିତ ସହଯୋଗରେ ଆଜି ସ୍ଥାନୀୟ ଆଇ.ଆର .ସି ଭିଲେଜ୍ ସ୍ଥିତ ଏନ୍ ୪ ପାର୍କ ପରିସରରେ ଅତି ଉତ୍ସାହ ଓ ଆନନ୍ଦ ପୂର୍ଣ୍ଣ ପରିବେଶରେ “୫୯ତମ ଯୋଗ ଦିବସ ” ପାଳନ କରାଯାଇଛି । ଏହି ଅବସରରେ ସକାଳର ସୂର୍ଯ୍ୟୋଦୟ ସହିତ ଜିଲ୍ଲା ଯୋଗ କେନ୍ଦ୍ର ପରିସରରେ ବିଶାଳ ଯୋଗ ଶିବିର ଆୟୋଜିତ କରାଯାଇଥିଲା । କାର୍ଯ୍ୟକ୍ରମରେ ଯୋଗ ଗୁରୁମାନେ ବିଭିନ୍ନ ଆସନ ଓ ପ୍ରାଣାୟମର ମହତ୍ତ୍ୱ ବୁଝାଇବା ସହିତ ଏହାର ଅଭ୍ୟାସ କରାଇଥିଲେ । ସମସ୍ତ ଅଂଶଗ୍ରହଣକାରୀ ସକାଳର ଶାନ୍ତ ପରିବେଶରେ ଭଜନ ଓ ଯୋଗ ଗୀତର ତାଳେ ତାଳେ ଯୋଗ ଆଭ୍ୟାସ କରି ଶାରୀରିକ ଏବଂ ମାନସିକ ସୁସ୍ଥତା ଅନୁଭବ କରିଥିଲେ ।

ଭାରତୀୟ ଯୋଗ ସଂସ୍ଥାନ ସମଗ୍ର ବିଶ୍ୱକୁ ଏକ ପରିବାର ବୋଲି ଭାବେ ଏବଂ ପ୍ରତ୍ୟେକ ଲୋକଙ୍କୁ ସୁସ୍ଥ ଏବଂ ନିରୋଗ ରଖିବାକୁ ସଂକଳ୍ପବଦ୍ଧ । “ଯୋଗ – ସୁସ୍ଥ ଜୀବନର ଆଧାର” ସନ୍ଦେଶ ସହିତ ନୟାପଲ୍ଲୀ ଯୋଗ ଜିଲ୍ଲାର ଏହି ସଫଳ ଆୟୋଜନ ଯୋଗ ପ୍ରତି ସମାଜର ଆଗ୍ରହ ଓ ସଚେତନତା ବୃଦ୍ଧି କରିବ ବୋଲି ଯୋଗ ସଂସ୍ଥାନର କର୍ମକର୍ତ୍ତାମାନେ ଆଶା ପ୍ରକାଶ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ପ୍ରାନ୍ତ ପ୍ରଧାନ ଶ୍ରୀ ସୁରେଶ କୁମାର ମହାପାତ୍ର , ପ୍ରାନ୍ତ ସଦସ୍ୟା ଶ୍ରୀମତୀ ମଞ୍ଜୁଳା ମିଶ୍ର , ଜିଲ୍ଲା ପ୍ରଧାନ ଶ୍ରୀ ପ୍ରଦୀପ୍ତ ମହାନ୍ତି , ଜିଲ୍ଲା ଉପ ପ୍ରଧାନ ଶ୍ରୀ ରାମ କିଶୋର ଶର୍ମା, ଜିଲ୍ଲା ମନ୍ତ୍ରୀ ଶ୍ରୀ ଜ୍ୟୋତିର୍ମୟ ରଥ ପ୍ରମୁଖ ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଶ୍ରୀମତୀ ଶୁଭ୍ରାସିମା ମହାନ୍ତି ସଞ୍ଚାଳନ କରିଥିଲେ ।
