କାର ଧକ୍କାରେ ସାଇକେଲ ଆରୋହୀଙ୍କ ମୃତ୍ୟୁ।
ରଘୁନାଥପୁର:-୧୩/୧୦-: ରଘୁନାଥପୁର ଥାନା ଅନ୍ତର୍ଗତ କଟକ ପାରାଦୀପ ରାସ୍ତାର ଗୋକୁଳପୁର ଗହନିଗଡା ନିକଟରେ ଏକ କାର ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି।ସେ ହେଲେ କୁଜଙ୍ଗ ଥାନା ବଳରାମପୁରର ସୁମନ୍ତ ଗ୍ରହାଚାର୍ଯ୍ୟ ୫୫।ଜେକି ଏହି ଥାନା ଅନ୍ତର୍ଗତ ଗୋକୁଳପୁର ଗ୍ରାମରେ ଦୀର୍ଘଦିନ ହେବ ଭଡାରେ ରହିଆସୁଥିଲେ।ରଘୁନାଥପୁର ଥାନା ପୋଲିସ ଦୁର୍ଘଟଣା ଘଟାଇଥିବା କାର ନଂ ଓଡି ୩୩ ଏଏନ ୮୬୪୧ କୁ ଜବତ କରି ଚାଳକ ମହାକାଳପଡ଼ା ଥାନା ରାମନଗର ଅଞ୍ଚଳର ଗୋପାଳ ମାଇତି କୁ ଅଟକ ରଖିଛି।ମୃତ ସୁମନ୍ତଙ୍କ ପତ୍ନୀ ଲକ୍ଷ୍ମୀପ୍ରିୟା ଏ ସମ୍ପର୍କରେ ଥାନାରେ ଅଭିଯୋଗ କରିବା ପରେ ପୋଲିସ କେସ ନଂ ୨୨୧/୨୫ ଅନୁଯାଇ ତଦନ୍ତ ଜାରି ରଖିଛି।ସବୁଦିନ ପରି ସୁମନ୍ତ ସାଇକେଲରେ ତାରପୁର ବାଇପାଶ ସ୍ଥିତ ନିଜ ଚଷମା ଦୋକାନକୁ ଯାଉଥିବାବେଳେ କଟକ ପଟୁ ଆସୁଥିବା କାରଟି ତାଙ୍କୁ ସମ୍ମୁଖରୁ ଧକ୍କାଦେଇ କିଛି ବାଟ ପର୍ଯ୍ୟନ୍ତ ଘୋଷାଡି ନେଇଥିଲା।ଫଳରେ ସୁମନ୍ତଙ୍କ ପଛମୁଣ୍ଡ ରାସ୍ତାରେ ପିଟିହୋଇ କ୍ଷତାକ୍ତ ହୋଇଯାଇଥିଲା।ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ରଘୁନାଥପୁର ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ।ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ଏଏସଆଇ ଅଯୋଧ୍ୟା ନାୟକ ମେଡ଼ିକାଲରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଜଗତସିଂହପୁର ମେଡ଼ିକାଲକୁ ପଠାଇଥିଲେ।ବ୍ୟବଚ୍ଛଦ ପରେ ସୁମନ୍ତଙ୍କ ମୃତଦେହକୁ ନିଜ ଜନ୍ମମାଟି ବଳରାମପୁର ନିଆଯାଇ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା।ବଡପୁଅ ଓମପ୍ରକାସ ମୁଖାଗ୍ନି ଦେଇଥିଲେ।ଦୁର୍ଘଟଣା ଘଟିଥିବା ସ୍ଥାନଟି ଏକ ବାଙ୍କ ହୋଇଥିବାବେଳେ ଏଠାରେ ଅନେକ ସମୟରେ ଛୋଟବଡ ଦୁର୍ଘଟଣା ଘଟି ଜନଜୀବନ ହାନି ହେଉଛି।ଉକ୍ତ ବାଙ୍କ ସ୍ଥାନରେ ସ୍ପିଡିବ୍ରେକର ହମ୍ପସ ନିର୍ମାଣ ପାଇଁ ସ୍ଥାନୀୟ ସରପଞ୍ଚ ସୁଷମା ମଲ୍ଲିକ ଙ୍କ ସହ ଗ୍ରାମବାସୀ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।
