ସାଇବର ସୁରକ୍ଷା ସଂପର୍କରେ ରାଜ୍ୟବ୍ୟାପୀ ସଚେତନତା ଅଭିଯାନ

ସାଇବର ସୁରକ୍ଷା ସଂପର୍କରେ ରାଜ୍ୟବ୍ୟାପୀ ସଚେତନତା ଅଭିଯାନ ବ୍ୟାପକ ହେବ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ
ଅକ୍ଟୋବର ୧୮ ରୁ ନଭେମ୍ବର ୧୭ ପର୍ଯ୍ୟନ୍ତ ମାସେ ବ୍ୟାପୀ ବ୍ୟାପକ କାର୍ଯ୍ୟକ୍ରମ ନେଇ ଆଲୋଚନା
ସାଇବର ସୁରକ୍ଷା ସଂପର୍କରେ ରାଜ୍ୟର ପ୍ରତିକ୍ରିୟାକୁ ଅଧିକ ସୁଦୃଢ କରାଯିବା ଉପରେ ମୁଖ୍ୟ ଶାସନ ସଚିବଙ୍କ ଗୁରୁତ୍ୱ
ଭୁବନେଶ୍ୱର, ୧୫.୧୦.୨୦୨୫
ଆସନ୍ତା ଅକ୍ଟୋବର ୧୮ ରୁ ୧୭ ନଭେମ୍ବର ୨୦୨୫ ପର୍ଯ୍ୟନ୍ତ ଉଭୟ ଅନ୍‌ଲାଇନ ଓ ଅଫଲାଇନ୍‌ ମୋଡରେ ସାଇବର ସୁରକ୍ଷା ସଚେତନତା ସଂପର୍କରେ ରାଜ୍ୟବ୍ୟାପୀ ବ୍ୟାପକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସଂପର୍କରେ ଆଜି ସଂଧ୍ୟାରେ ଏକ ପ୍ରସ୍ତୁତି ବୈଠକ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ସଚେତନତା ଅଭିଯାନର ଶୁଭାରମ୍ଭ କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଆସନ୍ତା ଅକ୍ଟୋବର ୧୮ରୁ କଳିଙ୍ଗ ଷ୍ଟାଡିଅମ ଠାରୁ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ସାଇବର ରଥର ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି । ସାଇବର ସୁରକ୍ଷା ସଂପର୍କିତ ଭିଡିଓ, ପ୍ରଚାର ପତ୍ର, ଥିମ୍ ସଂଗୀତ ସହିତ ଏହି ସଚେତନତାକୁ ବ୍ୟାପକ କରାଯିବ । ସମଭାବରେ ଜିଲ୍ଲାସ୍ତରରେ ମଧ୍ୟ କାର୍ଯ୍ୟକ୍ରମ ହେବ ।
ସାଇବର ଅପରାଧରୁ ଶିଶୁମାନଙ୍କୁ ସୁରକ୍ଷିତ ରଖିବା, ନିବେଶ କ୍ଷେତ୍ରରେ ଜାଲିଆତିରୁ ସୁରକ୍ଷିତ ରହିବା, ଅପରାଧି କେହି ବ୍ୟକ୍ତିଙ୍କର ନିଜସ୍ୱ କିମ୍ବା ଗୋପନ ଫଟୋ, ଭିଡିଓ କିମ୍ବା ଚାଟ୍‌ ଦେଖାଇ କିମ୍ବା ଧମକ ଦେଇ ଟଙ୍କା ବା ଅନ୍ୟ କିଛି ସୁବିଧା ଚାହିଁବା ( ସେକ୍ସଟରସନ), ବେଆଇନ ବ୍ୟାଙ୍କ୍‌ ଆକାଉଣ୍ଟ ଏବଂ ସିମ ବିକ୍ରି କରିବା, ହୋଟେଲ ବୁକିଂରେ ସ୍କାମ, ଡିଜିଟାଲ ଆରେଷ୍ଟ, ସୁରକ୍ଷିତ ସାମାଜିକ ଗଣମାଧ୍ୟମର ବ୍ୟବହାର ସଂପର୍କର ବ୍ୟାପକ ସଚେତନତା ସୃଷ୍ଟି କରାଯିବ । ଅଭିଯାନର ଟ୍ୟାଗ୍‌ ଲାଇନ୍‌ ରଖାଯାଇଛି- ଷ୍ଟପ, ଭେରିଫାଏ, ବି ସିକ୍ୟୁୟର ( ରୁହ, ଯାଞ୍ଚ କର, ସୁରକ୍ଷିତ ରୁହ ) । ଅଭିଯାନରେ ମାସ୍କଟ “ସାଇରା” ବ୍ୟବହୃତ ହେବ ।
ଅଭିଯାନରେ ବିଭିନ୍ନ ବିଭାଗ ସାମିଲ ହେବେ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଛାତ୍ରଛାତ୍ରୀମାନଙ୍କୁ ସ୍କୁଲ ଓ ହଷ୍ଟେଲରେ ସଚେତନତା ସହ ବକୃତା ପ୍ରତିଯୋଗିତା ଅନୁ‌ଷ୍ଠିତ ହେବ । ସୂଚନା ଓ ଲୋକସଂପର୍କ ବିଭାଗ ତରଫରୁ ରାଜ୍ୟ ଓ ଜିଲ୍ଲାସ୍ତରରେ ପ୍ରଚାର ପ୍ରସାର କରାଯିବା ସହିତ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଜନପ୍ରତିନିଧିମାନଙ୍କ ସହଯୋଗରେ ସଚେତନତା କାର୍ଯ୍ୟକ୍ରମ ହେବ । ଆଶାକର୍ମୀମାନେ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟମାନେ ଏହି ଅଭିଯାନରେ ସାମିଲ ହେବେ । ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ପଥପ୍ରାନ୍ତ ନାଟକ ଓ ଲୋକନୃତ୍ୟ ମାଧ୍ୟମରେ ସଚେତନ କରାଯିବ । ଇଲେକ୍ଟ୍ରୋନିକ ଓ ଆଇଟି ବିଭାଗର ସହଯୋଗ ନିଆଯିବ । ଅଭିଯାନରେ କୁଇଜ୍ ପ୍ରତିଯୋଗିତା, ଗଣ ଦୌଡ, ପଦଯାତ୍ରା, ଇନ୍ଫୋଗ୍ରାଫିକ୍ସ, ସଚେତନତା ସମ୍ମିଳନୀ, ଟିଭି, ରେଡିଓ, ସିନେମା ହଲ ସମେତ ବିଭିନ୍ନ ଗଣମାଧ୍ୟମରେ ସଚେତନତା ବ୍ୟାପକ କରାଯିବ ।
ଛାତ୍ରଛାତ୍ରୀ, ପିତାମାତା, ଶିକ୍ଷକ ଶିକ୍ଷୟିତ୍ରୀ, ଯୁବବର୍ଗ. ନିଯୁକ୍ତି ଆଶାୟୀ, ମହିଳା ଓ ବାଳିକା, ଗ୍ରାମୀଣ ଓ ଅର୍ଦ୍ଧ ସହରାଞ୍ଚଳ ନାଗରିକ, ବରି‌ଷ୍ଠ ନାଗରିକ, ଏସ୍.ଏଚ୍‌.ଜି ଓ ବିଭିନ୍ନ ଗୋଷ୍ଠୀ, ବ୍ୟବସାୟୀ ବୃତ୍ତିଧାରୀଙ୍କ ମଧ୍ୟରେ ସାଇବର ସୁରକ୍ଷା ସଂପର୍କିତ ସଚେତନତା ବୃଦ୍ଧି କରିବା ପାଇଁ ଏହି ଅଭିଯାନ ବ୍ୟାପକ ହେବ । ଅଭିଯାନରେ ସାଇବର ସୁରକ୍ଷା ରଥ ରାଜ୍ୟ ସାରା ବୁଲି ପ୍ରଚାର ଅଭିଯାନ ଓ ସଚେତନ କରିବ । ସାଇବର-ଅପରାଧ ସଂପର୍କିତ ହେଲ୍ପ ଲାଇନ୍ – ନମ୍ବର ୭୦୩୦ କାର୍ଯ୍ୟକାରୀ ହେଉଛି ଏବଂ ନ୍ୟାସନାଲ ସାଇବର କ୍ରାଇମ ରିପୋଟିଂ ପୋର୍ଟାଲ ରହିଛି । ଏହାର ସୁବିଧା ନେବାକୁ ଜନସାଧାରଣଙ୍କୁ ବ୍ୟାପକ ସଚେତନ କରାଯିବା ନେଇ ବେଠକରେ ଆଲୋଚନା କରାଯାଇଥିଲା ।
ବୈଠକରେ ଯୋଗ ଦେଇ ମୁଖ୍ୟ ଶାସନ ସଚିବ ଏହି ସଚେତନତା ଅଭିଯାନ ଯେପରି ଜନସାଧାରଣଙ୍କ ପାଇଁ ଅଧିକ ପ୍ରଭାବୀ ହେବ ସେ ସଂପର୍କରେ ଗୁରୁତ୍ୱ ନେଇଛନ୍ତି । ସଂପୃକ୍ତ ସମସ୍ତ ବିଭାଗୀୟ ସଚିବମାନଙ୍କୁ ନିଜ ନିଜ ସଂସ୍ଥାଗତ ବ୍ୟବସ୍ଥାକୁ ସୁଦୃଢ଼ କରି ସାଇବର ଅପରାଧରୁ ସମସ୍ତଙ୍କୁ ସୁରକ୍ଷିତ ରଖିବାକୁ ସଚେତନତ ହେବା ପାଇଁ ସେ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଏବଂ ପରାମର୍ଶ ଦେଇଛନ୍ତି । ଏହି ଅଭିଯାନ କେବଳ ମାସେ ବ୍ୟାପୀ ନୁହେଁ, ବର୍ଷସାରା ବିଭିନ୍ନ ସମୟରେ ବିଭିନ୍ନ ମାଧ୍ୟମରେ ସଚେତନତା କାର୍ଯ୍ୟକ୍ରମ ଜାରି ରଖିବାକୁ ସେ ପରାମର୍ଶ ଦେଇଛନ୍ତି । ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କ ପାଇଁ ସ୍ୱତନ୍ତ୍ର ପାଠ୍ୟକ୍ରମ ପ୍ରସ୍ତୁତି କରି ସଚେତନତା ସୃଷ୍ଟି କରିବା, ଅନ୍‌ଲାଇନ୍ ପାଠ୍ୟକ୍ରମ ସହିତ ପ୍ରମାଣ ପତ୍ର ବ୍ୟବସ୍ଥା ଆଦି କରିବାକୁ ସେ ପରାମର୍ଶ ଦେଇଛନ୍ତି । ସାଇବର ସୁରକ୍ଷା ସଂପର୍କିତ ପ୍ରତିକ୍ରିୟାକୁ ଅଧିକ ସୁଦୃଢ କରାଯିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯିବା ଉପରେ ମୁଖ୍ୟ ଶାସନ ସଚିବ ଗୁରୁତ୍ୱ ଦେଇଥିଲେ ।
ରାଜ୍ୟ ସ୍ୱରାଷ୍ଟ୍ର ବିଭାଗ ତରଫରୁ ଅନୁଷ୍ଠିତ ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ୱାଇ.ବି.ଖୁରାନିଆ, ଡିଜିପି,ସିଆଇଡି, କ୍ରାଇମ୍ ବ୍ରାଞ୍ଚ ଶ୍ରୀ ବିନୟତୋଷ ମିଶ୍ର, ଆଇ.ଜି ସିଆଇଡି, ସିବି. ଶ୍ରୀ ସାର୍ଥକ ଷଡଙ୍ଗୀ, ଏସପି , ସିଆଇଡି, ସିବି ଶ୍ରୀ ସ୍ମିତ୍ ପାରାମାର ପ୍ରମୁଖ ଯୋଗଦେଇ ଆଲୋଚନା କରିଥିଲେ । ତତ୍ ସହିତ ରାଜ୍ୟ ଉଚ୍ଚଶିକ୍ଷା, ବିଦ୍ୟାଳୟ ଓ ଗଣଶିକ୍ଷା, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଓଡ଼ିଆ ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗ, ସମାଜ କଲ୍ୟାଣ, ମିଶନ ଶକ୍ତି, ସୂଚନା ଓ ଲୋକସଂପର୍କ ବିଭାଗର ଆଦିର ସଚିବ , ନିର୍ଦ୍ଦେଶକ ତଥା ଅନ୍ୟ ବରିଷ୍ଠ ପଦାଧିକାରୀମାନେ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

Leave a Reply

Your email address will not be published. Required fields are marked *