ଜିଲ୍ଲା ସ୍ତରୀୟ ବିଜ୍ଞାନ ନାଟକ ଓ ଲୋକନୃତ୍ୟ ପ୍ରତିଯୋଗିତା
ପୁରୀ, ୧୭/୧୦: ପୁରୀ ଜିଲ୍ଲା ଶିକ୍ଷା ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ କେନ୍ଦ୍ର,ପୁରୀ ପରିସରରେ ଜିଲ୍ଲା ସ୍ତରୀୟ ବିଜ୍ଞାନ ନାଟକ ଓ ଲୋକନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଶ୍ରୀକୁମାର ଆଚାର୍ଯ୍ୟଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଜିଲ୍ଲାର ୧୧ଟି ବ୍ଲକରୁ ମୋଟ୍ ୧୮ ଗୋଟି ଦଳ ପ୍ରତିଯୋଗିତାରେ ଭାଗ ନେଇଥିଲେ। ଡି.ଆଇ.ଇ.ଟି. ଅଧ୍ୟକ୍ଷ ସନ୍ତୋଷ ପରିଡ଼ା, ଉପାଧ୍ୟକ୍ଷା ଦେବସ୍ମିତା ମହାପାତ୍ର ଙ୍କ ଦ୍ଵାରା ପ୍ରତିଯୋଗିତା ଉଦଘାଟିତ ହୋଇଥିଲା। ଉଦଯାପନୀ ଅବସରରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଶିକ୍ଷାଧିକାରୀ ଦୀପକ କୁମାର ପାଢ଼ୀ ଯୋଗଦେଇ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିବା ସହ ସଚେତନତା ସୃଷ୍ଟି ଏବଂ ସମାଜକୁ ବୈଜ୍ଞାନିକ ଦୃଷ୍ଟିକୋଣାଭିମୁଖୀ କରିବାରେ ବିଜ୍ଞାନ ନାଟକ ଓ ଲୋକନୃତ୍ୟ ଏକ ବଳିଷ୍ଠ ମାଧ୍ୟମ ବୋଲି କହିଥିଲେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଦ୍ଵିତିକାନ୍ତ ପ୍ରଧାନ ଓ ଭବମ୍ ପ୍ରଧାନ ଅତିଥି ଭାବେ ଯୋଗ ଦେଇଥିଲେ। ବିଜ୍ଞାନ ନାଟକ ପ୍ରତିଯୋଗିତାରେ *ପିଏମ୍ ଶ୍ରୀ ବିଶ୍ବମ୍ବର ବିଦ୍ୟାପୀଠ, ପୁରୀ* ପ୍ରଥମ, *ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଗୋବିନ୍ଦପୁର* ଦ୍ଵିତୀୟ, *ପିଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ବ୍ରହ୍ମଗିରି* ତୃତୀୟ ଏବଂ ଲୋକନୃତ୍ୟ ପ୍ରତିଯୋଗିତାରେ *ସୁଖଲତା ସ୍ମୃତି ସଂଯୁକ୍ତ ଉଚ୍ଚ ବିଦ୍ୟାଳୟ,ପୁରୀ* ପ୍ରଥମ, *ସିରେଇ ସଂଯୁକ୍ତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, କଣାସ* ଦ୍ଵିତୀୟ, *ପୁରୀ ଜିଲ୍ଲା ସ୍କୁଲ,ପୁରୀ* ତୃତୀୟ ସ୍ଥାନ ହାସଲ କରିଥିଲେ। ବିଚାରକ ଭାବେ ଓଡ଼ିଶା ଚାରୁ ଓ କାରୁକଳା ମହାବିଦ୍ୟାଳୟର ଶିକ୍ଷକ ବିକାଶ ଦତ୍ତ, ଭରତ କୁମାର ନାୟକ ଓ ଅନୁପ କୁମାର ଷଡଙ୍ଗୀ କାର୍ଯ୍ୟ ତୁଲାଇଥିଲେ। ମଞ୍ଚପରିଚାଳନା ଶିକ୍ଷକ ଉମାକାନ୍ତ ମିଶ୍ର କରିଥିଲେ ଏବଂ ବିନୟ ଭୂଷଣ ବେହେରା, ନରେନ୍ଦ୍ର ପ୍ରଧାନ, ଆୟନ୍ ଚକ୍ରବର୍ତ୍ତୀ, ନିରଞ୍ଜନ ସେଠୀ, ହିରଣ୍ୟ ସେଠୀ ସଭାକାର୍ଯ୍ୟରେ ସହଯୋଗ କରିଥିଲେ। ଶେଷରେ ବିଜ୍ଞାନ ନିରୀକ୍ଷକ ଶ୍ରୀକୁମାର ଆଚାର୍ଯ୍ୟ ଧନ୍ୟବାଦ୍ ଅର୍ପଣ କରିଥିଲେ।
