ଦୀପାବଳି କୁ ନେଇ ଆଲୋଚନାଚକ୍ର
ପୁରୀ ତା 18/10ସର୍ବଭାରତୀୟ ସ୍ତରରେ ଜ୍ଯୋତିଷ ଶାସ୍ତ୍ର ଓ ଧର୍ମଶାସ୍ତ୍ରୀମାନଙ୍କ ଆଲୋଚନା କ୍ରମେ ଦୀପାବଳୀ ଏବଂ ପୟାଶ୍ରାଦ୍ଧ ଅକ୍ଟୋବର କୋଡ଼ିଏ କିମ୍ବା ଏକୋଇଶ ତାରିଖ କୁ ନେଇ ‘ଧ୍ରୃବ ଜ୍ୟୋତି ଗବେଷଣା ପ୍ରତିଷ୍ଠାନ’ ଏବଂ ‘କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ସଦାଶିବ ପରିସର’ ପକ୍ଷରୁ ଏହି ଦ୍ବିମତକୁ ଶୀର୍ଷକ କରି ଏକ ଆଲୋଚନା ଚକ୍ର ସଦାଶିବ ପରିସରର ଜୟଦେବ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଅଭିଜ୍ଞ ଶାସ୍ତ୍ରୀୟ ବିଶାରଦଗଣ ଏହି ଆଲୋଚନାରେ ଅଂଶଗ୍ରହଣ କରି ସୃଷ୍ଟି ହୋଇଥିବା ଭ୍ରାନ୍ତ ଧାରଣା ଦୂର କରିଥିଲେ । କେନ୍ଦ୍ରୀୟ ସଂସ୍କୃତ ବିଶ୍ବବିଦ୍ୟାଳୟ ସଦାଶିବ ପରିସରର ନିର୍ଦ୍ଦେଶକ ପ୍ରଫେସର ପ୍ରଭାତ କୁମାର ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ରରେ ବିଶିଷ୍ଟ ଧର୍ମଶାସ୍ତ୍ରଜ୍ଞ ତଥା ଅବସରପ୍ରାପ୍ତ ପି ଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ଜୟକୃଷ୍ଣ ମିଶ୍ର, ପୂଜାପଣ୍ଡା ନିଯୋଗ ସମ୍ପାଦକ ମାଧବ ଚନ୍ଦ୍ର ପୂଜାପଣ୍ଡା ସାମନ୍ତ, ପରିସରର ଜ୍ୟୋତିଷ ବିଭାଗର ବିଭାଗୀୟ ମୁଖ୍ୟ ପ୍ରଫେସର ବିଶ୍ୱରଞ୍ଜନ ପତି ଏବଂ ଅଭିନନ୍ଦନିକାର ସମ୍ପାଦକ ଶ୍ୟାମ ପ୍ରକାଶ ସେନାପତି ପ୍ରମୁଖ ମଞ୍ଚାସୀନ ରହି ବକ୍ତବ୍ୟ ପ୍ରଦାନ କରିଥିଲେ I ଦୀପାବଳି ଉତ୍ସବ ପାଳନ ପାଇଁ ପ୍ରକୃଷ୍ଟ ଗ୍ରହଣ ଯୋଗ୍ୟ କାଳ ପ୍ରଦୋଷ [ ତିନି ମୁହୂର୍ତ୍ତ ] ଅଟେ I ସୂର୍ଯ୍ୟାସ୍ତ ଠାରୁ ତିନି ମୁହୂର୍ତ୍ତ ପର୍ୟ୍ୟନ୍ତ ପ୍ରଦୋଷ ରହିଥାଏ I ଏହି ପ୍ରଦୋଷ ଆଧାରରେ ଦୀପାବଳି ଉତ୍ସବ ପୂର୍ବଦିନ ବା ପରଦିନ ହେବ ତାହା ନିର୍ଣ୍ଣୟ କରାଯାଇଥାଏ I ଏହି ପ୍ରସଙ୍ଗରେ ଅକ୍ଟୋବର କୋଡ଼ିଏ ଏବଂ ଏକୋଇଶ ଏହି ଦୁଇ ଦିନକୁ ବିଚାରକୁ ନିଆଯାଇଛି I କୋଡ଼ିଏ ରେ ପ୍ରଦୋଷ କାଳକୁ ପୂର୍ଣ୍ଣ ଭାବରେ ଅମାବାସ୍ୟା ରହୁଥିବା ବେଳେ ଏକୋଇଶ ରେ ପ୍ରାୟ ଏକ ଦଣ୍ଡ ବା ଏକ ଦଣ୍ଡ ଠାରୁ କମ୍ ସମୟ ରହିଅଛି I

ତେଣୁ ପୂର୍ବଦିନ ଦୀପାବଳି ଉତ୍ସବ ପାଳନ କରିବା ଶାସ୍ତ୍ର ସମ୍ମତ ଓ ଯୁକ୍ତିସଂଗତ ଅଟେ I ଏଥି ନିମନ୍ତେ ଅନେକ ପ୍ରମାଣ ବଚନ ଓ ତା’ର ଯୌକ୍ତିକତା ଏହି ବୈଠକରେ ନିର୍ଣ୍ଣୟ କରାଯାଇଥିଲା I ତେଣୁ ଓଡ଼ିଶା ରେ ପ୍ରଚଳିତ ‘କାଳଦୀପ’ ,’କାଳ ସାର’ ଏବଂ ‘କୃତ୍ୟ କୌମୁଦୀ’ ଆଦି ଗ୍ରନ୍ଥ ମାନ ପ୍ରଣିଧାନଯୋଗ୍ୟ I ଏହି ବିଷୟ ପ୍ରାଞ୍ଜଳ ଭାବରେ ଆଲୋଚନା କରାଯାଇଥିଲା I ତେଣୁ ଅକ୍ଟୋବର କୋଡ଼ିଏ ରେ ଦୀପାବଳି ପାଳନ କରିବା ସର୍ବାଦୌ ବାଞ୍ଛନୀୟ ବୋଲି ସମସ୍ତେ ମତ ଦେଇଥିଲେ I ଶାସ୍ତ୍ର ସମ୍ମତ କାର୍ଯ୍ୟ କଲେ ସୁଫଳ ମିଳିଥାଏ, ଶାସ୍ତ୍ର ବିରୁଦ୍ଧ କାର୍ଯ୍ୟ କଲେ ପାପ ଅର୍ଜନ ହୋଇଥାଏ I ତେଣୁ ଶାସ୍ତ୍ର ଅନୁସରଣ ବାଞ୍ଛନୀୟ ବୋଲି ଅତିଥି ଆଲୋଚକ ମାନେ ପ୍ରକାଶ କରିଥିଲେ I ପ୍ରତିଷ୍ଠାନର ସମ୍ପାଦିକା ଡ. ସସ୍ମିତା ମିଶ୍ର ସ୍ଵାଗତଭାଷଣ ପ୍ରଦାନ କରିଥିବାବେଳେ ଧର୍ମଶାସ୍ତ୍ର ବିଭାଗର ଅଧ୍ୟାପକ ସିଦ୍ଧାର୍ଥ ଶଙ୍କର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ I ଜ୍ୟୋତିଷ ବିଭାଗର ଅଧ୍ୟାପକ ଜ୍ୟୋତି ପ୍ରସାଦ ଦାଶ ମଞ୍ଚ ସଞ୍ଚାଳନ କରିଥିଲେ I ଅନ୍ୟମାନଙ୍କ ମଧ୍ୟରେ ପ୍ରତିଷ୍ଠାନର ସଭାପତି ପ୍ରତିଭା ଦାଶ, ସାହିତ୍ୟିକ ବିପିନ ବିହାରୀ ଦଳାଇ, ଶରତ କୁମାର ମିଶ୍ର, ପ୍ରବାସିନୀ ମିଶ୍ର , ମୀନତି ମିଶ୍ର ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ I କାର୍ଯ୍ୟକ୍ରମରେ ବୁଦ୍ଧିଜୀବୀ, ଅଧ୍ୟାପକ, ଛାତ୍ରଛାତ୍ରୀ ମାନେ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ I
