ପରିବର୍ତ୍ତନ

               ପରିବର୍ତ୍ତନ

 ✍🏼କବିରତ୍ନ ନୂତନ କୁମାର ବେହେରା

ଜଳରୁ ବାଷ୍ପ ହେବା ଅବା ଗଛରୁ
ଫୁଲ ଫଳ ହୋଇ ମଞ୍ଜିଟିଏ ହେବାର
ପ୍ରାକୃତିକ ପ୍ରକ୍ରିୟାର ଧାରାରେ
ନିରନ୍ତର ଚାଲିଥାଏ ଯା’ ତା’ ରୂପାନ୍ତର
ଏଇ ରୂପାନ୍ତର ହିଁ ପରିବର୍ତ୍ତନ
ବାହ୍ୟ ଜଗତକୁ ହୁଅଇ ତା ଦୃଶ୍ୟମାନ
ଅନେକ ହୁଏ ଅନ୍ତଃଚେତନାର ଅଦୃଶ୍ୟରେ
ବାସ୍ତବିକ ପରିବର୍ତ୍ତନ ହୋଇଥାଏ ତ
ମନର ଭାବନାରେ ଆତ୍ମାର ଶକ୍ତି ବଳରେ
ଡିମ୍ବରୁ ଜନ୍ମି ପକ୍ଷୀ ଶାବକଟି ବଢ଼ି
ଉଡେ ଖୋଲା ଆକାଶରେ
ସେମିତି ସମ୍ଵାଳୁଆରୁ ହୁଏ ପ୍ରଜାପତି
ଉଡ଼ି ବୁଲୁଥାଏ ଫୁଲେ ଫୁଲେ
ଜୀବନ ଚକ୍ରର ଗତି ଅଗ୍ରଗତି ପ୍ରଗତିରେ
କୀଟ ପତଙ୍ଗରୁ ମାନବ ପର୍ଯ୍ୟନ୍ତ
ଅହରହ ହୋଇ ଚାଲିଥାଏ ଯେତେ ସବୁ
ସୃଷ୍ଟିରେ ଏ ଧାରାବାହିକ ରୂପାନ୍ତର
ଶିଶୁଟିଏ ମଧ୍ୟ ବାଲ୍ୟ ପୌଗଣ୍ଡ କୈଶୋର
ଯୁବକ ପ୍ରୋଢ଼ ବୃଦ୍ଧ ହେବାର କ୍ରମଧାରା
ଶୃଙ୍ଖଳିତ ଭାବରେ ଚାଲେ ନିରନ୍ତର
ପ୍ରାକୃତିକ ନୀତି ନିୟମରେ
ହୁଏ ନାହିଁ ତାର ବ୍ୟତାକ୍ରମ କେବେ
ଶାରୀରିକ ଗଠନରେ ବୌଦ୍ଧିକ ବିକାଶରେ
ଅନ୍ତର୍ନିହିତ ପ୍ରତିଭାର ପରିପ୍ରକାଶରେ
ରୂପରେ ଗୁଣରେ ଧର୍ମରେ ହୁଏ ରୂପାନ୍ତର
ସ୍ଥୂଳରୁ ସୂକ୍ଷ୍ମରେ ପୁଣି ସୂକ୍ଷ୍ମରୁ ସ୍ଥୂଳରେ
ଗ୍ରହ ଉପଗ୍ରହ ନକ୍ଷତ୍ର ସବୁ
ନିଜ ନିଜର ଅକ୍ଷରେ କରି ଆବର୍ତ୍ତନ
କକ୍ଷପଥେ କରୁଥାନ୍ତି ପରିକ୍ରମଣ
ହୁଏ ଋତୁ ପରିବର୍ତ୍ତନ ବଦଳେ ପାଣିପାଗ
ରୂପାନ୍ତର ହେବା ସୃଷ୍ଟିରେ ଚିରନ୍ତନ
ଏ ସବୁ ହୁଏ ଯେତେ ଦୃଶ୍ଯରେ ଅଦୃଶ୍ୟରେ
ନ ଥାଏ କାହାରି ନିୟନ୍ତ୍ରଣରେ 
ଯେଉଁ ମହାଶକ୍ତିର ନିର୍ଦ୍ଦେଶନାରେ
ସବୁ ହୁଏ ସେ ହେଉଛନ୍ତି ସୂତ୍ରଧର ଈଶ୍ଵର
ସୃଷ୍ଟିର କଲ୍ୟାଣ ଓ ସୁରକ୍ଷା ପାଇଁ
ରୂପାନ୍ତର କରନ୍ତି ଯା’ ଯା’ ତାହା ପରିବର୍ତ୍ତନ
ଏହାରି ମଧ୍ୟରେ ନ ବଦଳାଇଲେ ମାନସିକତା
ଜୀବନର ଇପ୍ସିତ ଇଚ୍ଛା ରହେ ଅଧୁରା…।

  ପ୍ରତିଷ୍ଠାତା ଓ ମୁଖ୍ୟସମ୍ପାଦକ 
     ନବସୃଜନ ଇ-ପତ୍ରିକା 

  କୋହି,ବାରିପଦା,ମୟୂରଭଞ୍ଜ

Leave a Reply

Your email address will not be published. Required fields are marked *