ନିଆଁ ଲାଗି ଘର ଭସ୍ମୀଭୂତ
ନିଆଁ ଲାଗି ଘର ଭସ୍ମୀଭୂତ , ପ୍ରେମିକ ଘରେ ଯୁବତୀକୁ ବୋହୂର ମାନ୍ୟତା ମିଳୁନି
ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅଞ୍ଚଳରେ । ପରଜଙ୍ଗ ଥାନା ଅନ୍ତର୍ଗତ ସାଆନ୍ଦା ଫାଣ୍ଡି ଅଧିନସ୍ଥ କୁମୁସି ପଞ୍ଚାୟତ ବସନ୍ତପଡ଼ା ଗ୍ରାମ ତଳ ସାହିରେ ମଙ୍ଗଳବାର ଭୋର ପ୍ରାୟ ଚାରିଟା ବେଳକୁ ଶରତ ସାହୁଙ୍କ ଚାଳ ଛପର ଘରେ ନିଆଁ ଲାଗି ସମ୍ପୂର୍ଣ୍ଣ ପାଉଁଶରେ ପରିଣତ ହୋଇଯାଇଥିବା ବେଳେ ଘର ଭିତରେ ଥିବା ଆସବାବ ପତ୍ର ପୋଡିଯାଇଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା । ପ୍ରେମ ବ୍ୟାପାରକୁ ଆଧାର କରି ଏପରି ଘଟଣା ଘଟିଥିବା ଜଣାପଡିଛି । ସୂଚନାରୁ ଜଣାପଡିଛି ବସନ୍ତପଡ଼ା ତଳ ସାହିର ଶରତ ସାହୁଙ୍କ ସାନ ପୁଅ ସୁବ୍ରତ ସାହୁ ୨୦ ବର୍ଷ ସାଆନ୍ଦା ଫାଣ୍ଡି ଅଞ୍ଚଳର ଜଣେ ଭିନ୍ନକ୍ଷମ ଯୁବତୀକୁ ଭଲ ପାଇଥିବା ବେଳେ ଯୁବତୀକୁ ପ୍ରେମିକ ଘରେ ବୋହୂର ସ୍ଵୀକୃତି ଦେବା ଦୂରର କଥା ଘର ଭିତରକୁ ପଶିବାକୁ ବାରଣ କରିଥିଲେ ।କାରଣ ଯୁବତୀ ଜଣକ ଅନ୍ୟ ଜାତିର ହୋଇଥିବାରୁ ଜାତି ସମାଜ ପରିବାରକୁ ବାସନ୍ଦ କରିଦେବ ବୋଲି ଏହି କାରଣରୁ ଗ୍ରହଣ କରିନଥିଲେ । ଅନ୍ୟ ଦିଗରେ ଯୁବତୀ ଜଣକ ବୋହୂର ନ୍ୟାୟ ପାଇବା ପାଇଁ ଥାନାର ଦ୍ବାରସ୍ଥ ହୋଇ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି । ଯୁବତୀ ଜଣକ ନିଜ ଜିଦରେ ଆଜକୁ ୨୦ ଦିନ ଧରି ପ୍ରେମିକ ଘରେ ପଡ଼ିରହିଥିବା ବେଳେ ଅପରପକ୍ଷରେ ପ୍ରେମିକର ଘରଲୋକ ଘର ଛାଡ଼ି କୁଆଡେ ପଳାଇଛନ୍ତି। ଯାହା ଫଳରେ ଆଜି ପର୍ଯ୍ୟନ୍ତ ଏହାର କୌଣସି ସମାଧାନର ବାଟ ହୋଇ ପାରିନଥିବାରୁ ଯୁବତୀ ଜଣକ ପ୍ରେମିକ ଘରେ ପଡ଼ିରହିଛି । ଯୁବତୀ ଜଣକ ୨୦ ଦିନ ଧରି ପ୍ରେମିକ ଘରେ ରହିଥିବା ବେଳେ ମଙ୍ଗଳବାର ଭୋର ପ୍ରାୟ ଚାରିଟା ବେଳକୁ କୌଣସି ଅଜଣା ଦୁର୍ବୃତ୍ତ ଯୁବତୀ ଶୋଇଥିବା ଚାଳ ଘରକୁ ନିଆଁ ଲଗାଇ ଦେଇଥିଲେ । ଘରେ ନିଆଁ ଜଳୁଥିବା ବେଳେ ସଙ୍ଗେ ସଙ୍ଗେ ପରଜଙ୍ଗ ଅଗ୍ନିଶମ କେନ୍ଦ୍ରକୁ ଜଣାଇଥିଲେ । ସଠିକ୍ ସମୟରେ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଦେଇଥିବା ବେଳେ ପାଖ ଘର ଗୁଡ଼ିକ ବର୍ତ୍ତି ଯାଇଥିଲା । ନିଆଁ ଲାଗିବା କ୍ଷଣି ସାହିର ଜନୈକ ବ୍ୟକ୍ତି ଏହାକୁ ଦେଖି ଘର ଭିତରେ ଶୋଇଥିବା ଯୁବତୀକୁ ବାହାରକୁ ଟାଣି ଆଣିଥିଲେ । ଯୁବତୀ ଜଣକ ପିନ୍ଧିଥିବା ଲୁଗାରେ ନିଆଁ ଲାଗିଥିବା ଦେଖି ସଙ୍ଗେ ସଙ୍ଗେ ଲିଭାଇ ଦେଇଥିଲେ । ଯାହା ଫଳରେ ଯୁବତୀ ଜଣକ ସାମାନ୍ୟ ଆହତ ହୋଇଥିବା ବେଳେ ଏତେ ବଡ ବିପତ୍ତିରୁ ରକ୍ଷା ଯାଇଯାଇଛନ୍ତି । ଖବର ପାଇ ସାଆନ୍ଦା ଫାଣ୍ଡି ଅଧିକାରୀ ପହଞ୍ଚି ତଦନ୍ତ ଚଳାଇଥିବା ଜଣାପଡିଛି ।
