ହେ ଜଗନ୍ନାଥ
ହେ ଜଗନ୍ନାଥ
( ରାଗ — ଆହାରୀ )
🔹କବିରତ୍ନ ନୂତନ କୁମାର ବେହେରା
ହେ ଜଗନ୍ନାଥ ତୁମେ ହିଁ’ ମୋ ଆରାଧ୍ୟ’,
ହିତେ ରହି ସଦା କର’ ମନବୋଧ’।
ହୋଇ ମୋ ଆଖିର ଜ୍ୟୋତି ହୁଅ ଦୃଶ୍ୟ,
ହସ ଦିଅ ଗୁରୁ ରୂପେ ମୁଁ ଯେ ଶିଷ୍ୟ।
ହରି ରୂପେ ଚାରି ବର୍ଣ୍ଣ ଚାରି ଯୁଗ,
ହୁଅ ଚାରି ଅକ୍ଷରର ମହାଭାଗ।
ହର ରୂପେ ସ୍ଥିତି ଗତି ମୋକ୍ଷ ମୁକ୍ତି,
ହତ କର ଅରି ତୁମେ ମହାଶକ୍ତି।
( ଜ )
ଜଗତ ଜୀବନେ ତୁମେ ପରିବ୍ୟାପ୍ତ,
ଜଟିଳ ସରଳ ସବୁ ହୁଏ ପ୍ରାପ୍ତ।
ଜାଗ୍ରତେ ସକଳେ କରୁ ସ୍ତୁତି ଭକ୍ତି,
ଜୀବନ ଯଜ୍ଞର ତୁମେ ମନ୍ତ୍ରଶକ୍ତି।
( ଗ )
ଗଗନ ସ୍ବରୂପେ ଅଛ ସର୍ବ ଶୀର୍ଷେ,
ଗଢ଼ି ସିନ୍ଧୁ ତୁମେ ବନ୍ଧୁ ଦୁଃଖେ ହର୍ଷେ।
ଗୌରବ ଗାରିମା ତୁମେ ଭୂମଣ୍ଡଳେ,
ଗହନ ହବନ ଚରୁ ଲକ୍ଷ୍ୟସ୍ଥଳେ।
ନ୍ନା( ନ )
ନାଭି ନାଡ଼ିରୁ ନାସିକା ମଧ୍ୟେ ସ୍ଥିତ,
‘ନ’ କାରକୁ ଯେ ସାକାରେ କର ପ୍ରୀତ।
ନରନାରୀ ପଶୁ ପକ୍ଷୀ ପ୍ରାଣେ ପ୍ରାଣ,
ନାଶି ଅମା ଅନ୍ଧକାର ଦୀପ୍ତି ଆଣ।
( ଥ )
ଥରକୁ ଥର ଆଶିଷେ କର କ୍ଷମା,
ଥକ୍କା ମନ କରୁଥାଏ ପରିକ୍ରମା।
ଥାଇ ସଂକଟେ ଭକତ କଲେ ସ୍ତୁତି
ଥଳକୁ ନିଅ ସରାଗେ ଘୁଞ୍ଚେ ଭୀତି।
ହେ ଜଗନ୍ନାଥ ପିଣ୍ଡରେ ପ୍ରାଣନାଥ,
ହର୍ତ୍ତାକର୍ତ୍ତା ଏକା ତୁମେ ଚାଲେ ରଥ।
ହୋଇ ପରମାତ୍ମା ଭବେ ଲକ୍ଷ୍ୟପଥ,
ହିତେ ଆତ୍ମାର କରୁଛ ଯଥାଯଥ।
ପ୍ରତିଷ୍ଠାତା ଓ ମୁଖ୍ୟସମ୍ପାଦକ
ନବସୃଜନ ଇ-ପତ୍ରିକା
କୋହି,ବାରିପଦା,ମୟୂରଭଞ୍ଜ,
