କାୟାକଳ୍ପ ପୁରସ୍କାର ପ୍ରାପ୍ତ ଗଣିଆ ମେଡିକାଲ ଏବେ ଅନ୍ଧାରରେ

କାୟାକଳ୍ପ ପୁରସ୍କାର ପ୍ରାପ୍ତ ଗଣିଆ ମେଡିକାଲ ଏବେ ଅନ୍ଧାରରେ।

ଗଣିଆ – ଜନସାଧାରଣଙ୍କୁ ଉନ୍ନତ ମାନର ସ୍ବାସ୍ଥ୍ୟ ସେବା ଯୋଗାଇବା ପାଇଁ ସରକାର ସ୍ବାସ୍ଥ୍ୟକେନ୍ଦ୍ର ଗୁଡିକରେ ସମସ୍ତ ପ୍ରକାର ସୁବିଧା ସୁଯୋଗ ପ୍ରଦାନ କରିଛନ୍ତି । ଏପରିକି ସ୍ବାସ୍ଥ୍ୟ କେନ୍ଦ୍ରର ଭିତ୍ତିଭୂମି ସୁଦୃଢ଼ କରିବା ସହିତ କାୟାକଳ୍ପ ପୁରସ୍କାର ମଧ୍ୟ ପ୍ରଦାନ କରାଯାଉଛି । କିନ୍ତୁ କାୟାକଳ୍ପ ପୁରସ୍କାର ପାଇଥିବା ଗଣିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବେ ଅନ୍ଧାରରେ । ଗଣିଆ ବ୍ଳକର ୮ଟି ପଞ୍ଚାୟତ ତଥା ପଡୋଶୀ ଦୁଇଟି ବ୍ଳକର ଜନସାଧାରଣ ଏହି ସ୍ବାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭର କରନ୍ତି । କିନ୍ତୁ ଦୁଃଖ ଓ ପରିତାପର ବିଷୟ ଦୀର୍ଘଦିନ ହେବ ମେଡିକାଲ ପରିସରରେ ଲାଗିଥିବା ଷ୍ଟ୍ରିଟ ଲାଇଟ୍ ଅଚଳ ହୋଇପଡିଛି । ଫଳରେ ଏଠାକୁ ଆସୁଥିବା ରୋଗୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଉକ୍ତ ମେଡିକାଲଟି ପାହାଡକୁ ଲାଗି ରହିଥିବାରୁ ବିଷାକ୍ତ ସରୀସୃପଙ୍କର ଆତଯାତ ମଧ୍ୟ ରହିଥିବାରୁ ଅନ୍ଧାରରେ ରୋଗୀମାନେ ଭୟଭୀତ ଅବସ୍ଥାରେ ରହୁଛନ୍ତି । ବିଶେଷକରି ମେଡିକାଲ ଉପରକୁ ଯିବାକୁ ଗୋଟିଏ ବଡ଼ ବୁଲାଣି ପଡୁଥିବାରୁ ଅନ୍ଧାରରେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବୁଲାଣିରେ ଗାଡି ବୁଲାଇବା ସମୟରେ ଅନ୍ଧାରରେ ଅନେକ ଥର ଦୁର୍ଘଟଣାର ଶିକାର ମଧ୍ୟ ହେଉଥିବା ଦେଖିବାକୁ ମିଳିଛି । ଏ ସମ୍ପର୍କରେ ସ୍ବାସ୍ଥ୍ୟ ଅଧିକାରୀ ମଧୁସୂଦନ ଦାସଙ୍କୁ ପଚାରିବାରୁ ଉକ୍ତ ଷ୍ଟ୍ରିଟ ଲାଇଟ୍ ଲଗାଇଥିବା ସଂସ୍ଥାକୁ ଏ ସମ୍ପର୍କରେ ବାରମ୍ବାର ଅବଗତ କରାଇଥିଲେ ମଧ୍ୟ ସେ ଶୁଣୁନାହାନ୍ତି ବୋଲି ପ୍ରକାଶ କରିଛନ୍ତି । ତେବେ ତୁରନ୍ତ ଉକ୍ତ ଷ୍ଟ୍ରିଟ ଲାଇଟ୍ ମରାମତି କରିବାକୁ ଗଣିଆ ସମିତି ସଭ୍ୟ ଫକୀର ମୋହନ ଡାକୁଆ ଦାବି କରିଛନ୍ତି । ଗଣିଆ ରୁ ଜ୍ଞାନୀ ପ୍ରକାଶ ସେନାପତିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *