ବିନୟ ଭାବ ମଧୁର ସ୍ତବ
ବିନୟ ଭାବ ମଧୁର ସ୍ତବ
( ରାଗ — କାଳୀ )
🖊️କବିରତ୍ନ ନୂତନ କୁମାର ବେହେରା
ବିନୟ ଭାବ ମଧୁର ସ୍ତବ ଲାଗେ ସଭିଙ୍କୁ ଭଲ,
ସଂସାର ସାରା ତାର ଚେହେରା ମହକଭରା ଫୁଲ।
ହୃଦୟଟିଏ ପବିତ୍ର ଥାଏ ଜୀବନ ଯାକ ତାର,
ଭାବ ଭାବନା ଚିନ୍ତା କଳ୍ପନା ହୁଏ ତା’ ନିର୍ବିକାର।
ହସି ହସାଏ ଆନନ୍ଦ ଦିଏ ରଖେନା ଭେଦାଭେଦ,
ପରକୁ କରି ନିଜର ପରି ଦୂରାଏ ଅବସାଦ।
ତା’ ଅନୁଭବେ ଅନ୍ୟକୁ ଭାବେ ଆପଣା ଲୋକ ପରି,
ମନକୁ ଜିଣି ନିଅଇ କିଣି ବାନ୍ଧେ ସେନେହ ଡୋରି।
ଦୁଃଖରେ ଥାଏ ସୁଖରେ ଥାଏ ଯାଏନା କେବେ ଛାଡ଼ି,
ସାନ୍ତ୍ଵନା ଦିଏ ଶକ୍ତି ଯୋଗାଏ ରହେନା ମୁହଁ ମୋଡ଼ି।
ମୁହଁ ହରଷେ ଭାବ ପରଶେ ହସ ଖୁସି ବିତରି,
ସଂପର୍କ ଯୋଡ଼ି ରଖେ ସଜାଡ଼ି ହୃଦୟେ ତାର ଭରି।
ଚିନ୍ତି ମଙ୍ଗଳ ହୁଅଇ ମେଳ ବିପଦ କାଳେ ଆସି,
ରୂପେ ନିଜର ଗୁଣେ ଆଦର କରଇ ହସ ହସି।
ଆଖିରେ ରଖି ମୁହଁକୁ ଦେଖି ଶରଧା ଦିଏ ବୋଳି,
ନିରସ ମନେ ସରସ ଆଣେ ଜ୍ଞାନର ଦୀପ ଜାଳି।
କହଇ ସତ କରଇ ହିତ ଏ ମାଟିର ସେ ତାରା,
ନିର୍ମଳ ମନ ପବିତ୍ର ପ୍ରାଣ ଲାଗେ ତାର ନିଆରା।
ମୁହଁଟି ପରି ମନକୁ କରି ରଖିଇ ଶୁଦ୍ଧ ଭାବ,
ଦୂରାଏ କ୍ଳାନ୍ତି ମିଳଇ ଶାନ୍ତି ଘୁଞ୍ଚିଯାଏ ଅଭାବ।
ବିନୟ ଭାବ ମଧୁର ସ୍ତବ ସବୁରି ହୁଏ ପ୍ରିୟ,
ଭୁଲି ଶତ୍ରୁତା ରଖେ ବନ୍ଧୁତା ହୃଦୟ କରେ ଜୟ।
ସେଇ ମଣିଷ ରଖେ ବିଶ୍ଵାସ କରେନା କା’ର କ୍ଷତି,
କରି ସେ ପୁଣ୍ଯ ହୁଅଇ ଧନ୍ୟ ଅରଜେ ଯଶ ଖ୍ୟାତି।
ପ୍ରତିଷ୍ଠାତା ଓ ମୁଖ୍ୟ ସମ୍ପାଦକ
ନବସୃଜନ ଇ-ପତ୍ରିକା
କୋହି,ବାରିପଦା,ମୟୂରଭଞ୍ଜ।
