ପଞ୍ଚ ପ୍ରାଣ

              ପଞ୍ଚ ପ୍ରାଣ
       ( ରାଗ — ରସକୁଲ୍ୟା )

  🖊️କବିରତ୍ନ ନୂତନ କୁମାର ବେହେରା

ଶରୀର ଭିତରେ’ ରହିଛି ପ୍ରାଣ’
            ପରମାତ୍ମା ବଶେ’ ଆତ୍ମାଟି ଜାଣ’
ଅହରହ ଚାଲେ’ ହୃଦ୍ ସ୍ପନ୍ଦନ’
       ଶ୍ଵାସକ୍ରିୟା ଦ୍ଵାରା’ ଦିଏ ଇନ୍ଧନ’ ସେ’,
ଯେତିକି ତାହାର’ ଆୟୁ’ ଯେ’
           ପ୍ରଶ୍ବାସ ନିଅଇ ନିଃଶ୍ବାସ ଛାଡ଼ଇ
ନାମ ତାର ପ୍ରାଣ’ ବାୟୁ’ ଯେ’/୧/

ପଞ୍ଚ ବାୟୁ :- ପ୍ରାଣ, ଅପାନ,ବ୍ୟାନ,
                ଉଦାନ,ସମାନ ନାମ କରଣ,
ଶରୀର ଧାରଣେ ରୁହଇ ଭବେ
     ଜୀବ ଘଟେ ଥାଏ ଅଦୃଶ୍ୟ ଭାବେ ସେ,
ରହେ କାଳର ଅଧିନେ ଯେ
            ବିଧିର ବିଧାନେ କପାଳ ଲିଖନେ
ଫେରି ଯାଏ ପୁଣି ଦିନେ ଯେ/୨/

ପଞ୍ଚ ପ୍ରାଣ କ୍ରିୟା’ଶୀଳ ସତତ
                ରହିଥାନ୍ତି ସର୍ବେ ପିଣ୍ଡ ସହିତ,
ରଖନ୍ତି ଜୀବନ ଜୀବ ଜଗତେ
       ଆତ ଯାତ କରି ଇଚ୍ଛାର ମତେ ସେ,
ରୁହନ୍ତି ଆତ୍ମା ଆୟତ୍ତେ ଯେ
        ସର୍ବଦା ସ୍ଵାଧୀନେ ପ୍ରାଣ ସଞ୍ଚାଳନେ
ମନ ଥାଏ ଅବିରତେ ଯେ/୩/

ଅନାହତ ଚକ୍ରେ ରୁହଇ ‘ ପ୍ରାଣ ‘
               ଓଁ’କାର ପ୍ରଣବ ତାର ସ୍ପନ୍ଦନ,
ମନେ ଭରି ଦିଏ ଭାବ ଭାବନା
      ଜାଗ୍ରତ ରଖଇ ଦେଇ ଚେତନା ସେ,
କରେ ରକତ ଚାଳନ ଯେ,
              ମିଳଇ ଶକତି କରିବାକୁ ଗତି
ଜୀବର ଏ ଜୀବନ ଯେ/୪/

ମୂଳାଧାର ଚକ୍ରେ ସ୍ଥିତ ‘ ଅପାନ ‘
         ଅଧୋବାୟୁ ରୂପେ କରେ ଗମନ,
ସୀମା ତାର ଥାଏ ଚାରି ଆଙ୍ଗୁଳି
     ରେଚନ କାର୍ଯ୍ୟର ପ୍ରଥମ ସ୍ଥଳୀ ସେ,
କରେ ମଳ ନିଷ୍କାସନ ଯେ
   ଦେହ ରଖେ ସଫା ମନ ହୁଏ ତୋଫା
ମୁଖ୍ୟ ତା’ ସେବା ଯତନ ଯେ/୫/

ପଞ୍ଚ ପ୍ରାଣ ବାୟୁ ମଧ୍ୟରେ ‘ ବ୍ୟାନ ‘
          ସମଗ୍ର ଶରୀରେ ତାର ଆସ୍ଥାନ,
ଇନ୍ଦ୍ରିୟମାନଙ୍କୁ କରି ସତେଜ
      ବଞ୍ଚାଇ ରଖଇ ହୋଇ ସହଜ ସେ,
କ୍ରିୟାଶୀଳ ରହେ ଅଙ୍ଗ ଯେ
         ହୋଇଣ ସବଳ କରଇ ମଙ୍ଗଳ
ଚହଟେ ଜୀବନ ରଙ୍ଗ ଯେ/୬/

ବିଶୁଦ୍ଧ ଚକ୍ରରେ ଥାଇ ‘ ଉଦାନ ‘
           ତହିଁରୁ ନାସାକୁ କରେ ଗମନ,
କଣ୍ଠ ଦେଶେ ରହେ ଚଳ ଚଞ୍ଚଳ
            ସର୍ବଦା ଉର୍ଦ୍ଧ୍ବ ଗମନଶୀଳ ସେ,
ନିଃଶ୍ବାସ ପ୍ରଶ୍ବାସ ନେଇ ଯେ
       ଜୀବନକୁ ରଖେ ହସ ଦିଏ ମୁଖେ
ଦୃଢ଼ ଆତ୍ମବଳ ଦେଇ ଯେ/୭/

ମଣିପୁର ଚକ୍ରେ ସ୍ଥିତ ‘ ସମାନ ‘
          ନାଡ଼ି ମଧ୍ୟେ ଚାଲି ଦିଏ ପ୍ରମାଣ,
ରହି ନାଭି ମୂଳେ ରଖେ ସମତା
    ପାଞ୍ଚ ପବନରେ ଆଣେ ଏକତା ସେ,
ସଞ୍ଚାର କରେ ଶକତି ଯେ
       ହୋଇଲେ ବିଷମ କରିଥାଏ ସମ
ତାର ବଳେ ରହେ ସ୍ଥିତି ଯେ/୮/

ଧ୍ୟାନେ ଧ୍ୟାୟି ମୁନି ଯୋଗୀ ସାଧକ
            ଏ ପାଞ୍ଚ ପ୍ରାଣକୁ କରଇ ଏକ,
ପରମାତ୍ମା ପାଶେ କରିଣ ସ୍ତୁତି
   ଶରୀରେ ମନରେ ଆଣଇ ଶାନ୍ତି ସେ,
ଆତ୍ମା ପ୍ରାଣର ରକ୍ଷକ ଯେ
       ବ୍ରହ୍ମ ନିରାକାର ଘଟ ତା’ ଆଧାର
ସାତ୍ତ୍ଵିକେ ହୁଏ ସାର୍ଥକ ଯେ/୯/

ପ୍ରତିଷ୍ଠାତା ଓ ମୁଖ୍ୟସମ୍ପାଦକ 
   ନବସୃଜନ ଇ-ପତ୍ରିକା 

     କୋହି,ବାରିପଦା,ମୟୂରଭଞ୍ଜ

Leave a Reply

Your email address will not be published. Required fields are marked *