ଭିସି ମାଧ୍ୟମରେ ମାମଲାର ଶୁଣାଣି ଆରମ୍ଭ
ଭୁବନେଶ୍ୱର, ତା. ୨୭. ୧୦. ୨୫ ଓଡ଼ିଶା ମାନବାଧିକାର କମିଶନଙ୍କ କାର୍ଯ୍ୟାଧାରା ସହଜ ଓ ଲୋକାଭିମୁଖୀ କରିବା ଉଦ୍ଦେଶ୍ୟରେ କମିଶନ ଚଳିତ ମାସ ୨୭ ତାରିଖରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଶୁଣାଣି କରିବା ପାଇଁ ଘୋଷଣା ପୂର୍ବକ ପ୍ରକ୍ରିୟା ଆରମ୍ଭ କରିଥିଲେ l ଆଜି ଏହି କ୍ରମରେ ୩ ଗୋଟି କେଶର ଭିଡିଓ କନଫରେନ୍ସିଂ ମାଧ୍ୟମରେ ଶୁଣାଣି କରାଯାଇ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି l ମାନ୍ୟବର ଅଧ୍ୟକ୍ଷ ଶ୍ରୀ ଜଷ୍ଟିସ ଶତ୍ରୁଘ୍ନ ପୂଜାରୀଙ୍କ ଅଦାଲତରେ ମୋଟ ୮୮ଟି ମାମଲା ତାଲିକାଭୁକ୍ତ ହୋଇଥିଲା ବେଳେ ତନ୍ମଧ୍ୟରୁ ଢେଙ୍କାନାଳ ଜିଲ୍ଲାର ୨ଟି ମାମଲା ଭିଡିଓ କନଫରେନ୍ସ ମାଧ୍ୟମରେ ଶୁଣାଣି ହୋଇଥିଲା। ସାମାଜିକ କର୍ମୀ ଏବଂ ଅଧିବକ୍ତା — ଶ୍ରୀ ରାଜୀବ କୁମାର ପଟ୍ଟନାୟକ ଅଭିଯୋଗକାରୀ ଭାବେ ଆଜିର ଶୁଣାଣିରେ ଅଂଶଗ୍ରହଣ କରିଥିଲେ । ସେହିପରି ମାନ୍ୟବର ଅଧ୍ୟକ୍ଷ ଏବଂ ସଦସ୍ୟ ଶ୍ରୀ ଅସିମ ଅମିତାଭ ଦାଶଙ୍କ ଡିଭିଜନ ବେଞ୍ଚ – ୧ ରେ ତାଲିକାଭୁକ୍ତ ମୋଟ ୨ଟି ମାମଲାରୁ କଟକ ଜିଲ୍ଲାର ୧ଟି ମାମଲାର ଶୁଣାଣି ଆଭାସି ମାଧ୍ୟମରେ କରା ଯାଇଥିଲା l ଅଭିଯୋଗକାରିଣୀ ସୁଜାତାରାଣୀ ଦାସ ଏହି ଶୁଣାଣିରେ ଯୋଗ ଦେଇଥିଲେ । ଆଜିର ଏହି ଅଭାସି ଶୁଣାଣି କାର୍ଯ୍ୟକ୍ରମରେ ମାନ୍ୟବର ଅଧ୍ୟକ୍ଷ ସନ୍ତୋଷ ପ୍ରକାଶ କରିବା ସହ କହିଛନ୍ତି ଯେ ଦୁରଦୂରାନ୍ତରୁ ଆସୁଥିବା ଆବେଦନକାରୀ ଅବା ସେମାନଙ୍କ ଓକିଲ ଏଣିକି କମିଶନ ଅଫିସ ନ ଆସି ନିଜ ଘରେ ବସି ସେମାନଙ୍କ ମକଦ୍ଦମା ସଂକ୍ରାନ୍ତୀୟ ଶୁଣାଣି କରି ପାରିବେ l ଆଗାମୀ ଦିନରେ ଏହା ଆହୁରି ପରିବ୍ୟାପ୍ତ ହେବ ବୋଲି କମିଶନ ମତ ପ୍ରକାଶ କରିଛନ୍ତି l ସରୋଜ କୁମାର ଶତପଥୀ ସୂଚନା ଅଧିକାରୀ
