ରେଡ଼ିଓ ନମସ୍କାର ରେ ୨୪ ଘଣ୍ଟିଆ ବାତ୍ୟା ସୂଚନା ପ୍ରସାରଣ
କୋଣାର୍କ : ବାତ୍ୟା “ମନ୍ଥା”ସମୟରେ ଓଡ଼ିଶାର ପ୍ରଥମ ଗୋଷ୍ଠୀ ବେତାର କେନ୍ଦ୍ର ରେଡ଼ିଓ ନମସ୍କାର ୨୪ ଘଣ୍ଟିଆ ତା’ର ପ୍ରସାରଣ ଜାରି ରଖିଥିଲା। ବାତ୍ୟା ସମ୍ପର୍କିତ ସୂଚନା ( କୋଣାର୍କ,କାକଟପୁର , ଗୋପ , ଅସ୍ତରଙ୍ଗ ଓ ନିମାପଡ଼ା) ଅଞ୍ଚଳର ୭୦୦ ଗାଁରେ ୨ ଲକ୍ଷ ଲୋକଙ୍କ ପାଖରେ ପହଞ୍ଚାଇ ପାରିଥିଲା ଏବଂ ରେଡ଼ିଓ ର ପ୍ରାୟ ୧୫୦ ଶ୍ରୋତା ମଣ୍ଡଳୀ ବାତ୍ୟା ସମୟରେ ରେଡ଼ିଓ ସହ ଯୋଡି ହୋଇ ରହିଥିଲେ। ଅପପ୍ରଚାର , ସୋସିଆଲ ମିଡିଆରେ ମିଥ୍ୟା ସୂଚନା ରୁ ଦୂରେଇ ରହି ସାଧାରଣ ଲୋକ କିପରି ସଠିକ୍ ଓ ସରକାରୀ ଅନୁମୋଦିତ ସୂଚନା ପାଇବେ ସେଥି ପାଇଁ ରେଡ଼ିଓ ସ୍ବେଚ୍ଛାସେବୀ, ଶ୍ରୋତା ମଣ୍ଡଳୀମାନେ ବିଭିନ୍ନ ସ୍ଥାନରେ ଥିବା ବାତ୍ୟା ଅଶ୍ରୟସ୍ଥଳୀରେ ପହଞ୍ଚି ସ୍ଥାନୀୟ ପ୍ରସାରଣ (ନାରୋକାଷ୍ଟିଙ୍ଗ୍) ସହିତ ସାଧାରଣ ଲୋକଙ୍କ ଅସୁବିଧା ଓ ସମସ୍ୟା ସମ୍ପର୍କରେ ସୂଚନା ସିଧାସଳଖ ପ୍ରଶାସନ ନିକଟରେ ପହଁଞ୍ଚାଇବା ନେଇ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ | କୋଣାର୍କ ଚନ୍ଦ୍ରଭାଗା ନୋଳିଆ ବସ୍ତିରେ ଥିବା ମତ୍ସ୍ୟ ଜୀବି ଭାଇ ଓ ଭଉଣୀ ମାନଙ୍କ ପାଇଁ ତାଙ୍କ ନିଜ ଭାଷା ତେଲୁଗୁ ଓ ପର୍ଯ୍ୟଟକ ମାନଙ୍କ ପାଇଁ ହିନ୍ଦୀ ଭାଷାରେ ବାତ୍ୟା ସୂଚ଼ନା ପ୍ରସାରଣ ଜାରି ରଖିଥିଲା । ବାତ୍ୟା ସମୟରେ ଆଶ୍ରୟସ୍ଥଳୀ ଗୁଡ଼ିକରେ ସମସ୍ତ ପ୍ରକାର ସୁବିଧା ଉପଲବ୍ଧ ହେବା ପାଇଁ ରେଡ଼ିଓ ନମସ୍କାର ପୁରୀ ଜିଲ୍ଲା ପ୍ରଶାସନ ଏବଂ ବ୍ଲକ୍ ପ୍ରଶାସନ ସହିତ ଘନିଷ୍ଠ ଭାବରେ ସମନ୍ଵୟ ରକ୍ଷା କରି ନିୟମିତ ବ୍ୟବଧାନରେ ସମସ୍ତ ସରକାରୀ ସୂଚନା ଜନସାଧାରଣଙ୍କ ନିକଟରେ ପହଁଞ୍ଚାଇ ଥିଲା ବୋଲି ରେଡ଼ିଓ ନମସ୍କାର ର କାର୍ଯ୍ୟନିର୍ବାହୀ ଅଧିକାରୀ ରୋଜାଲିନ ପ୍ରଧାନ ନିଜ ମତ ପ୍ରକାଶ କରିଛନ୍ତି । କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଦ୍ଵାରା ଲିଡ୍ ରେଡ଼ିଓ ମାନ୍ୟତା ପାଇଥିବା ରେଡ଼ିଓ ନମସ୍କାର ନିଜସ୍ଵ ପ୍ରସାରଣ ସହ ରାଜ୍ୟ ତଥା ରାଜ୍ୟ ବାହାରର ରେଡ଼ିଓ ଗୁଡ଼ିକୁ ମଧ୍ୟ ମାର୍ଗଦର୍ଶନ ଦେଇ ଆସୁଛି ।
