ପୁରୀ କପିଳେଶ୍ଵର ପୁର ମଠ କଙ୍କୁଡ଼ା ଗ୍ରାମରେ ଭାଗବତ ସପ୍ତାହ ର ଶୁଭାରମ୍ଭ

ପୁରୀ ସହର ନିକଟ କପିଳେଶ୍ୱରପୁର ମହାପୁରୁଷ ଅତିବଡ଼ୀ ଜଗନ୍ନାଥ ଦାସଙ୍କ ଜନ୍ମସ୍ଥାନ। ସେହି ଗାଁକୁ ଯିବା ବାଟରେ ପଡ଼େ ଛୋଟିଆ ଗାଁ ଯାହା ମଠକାଙ୍କୁଡା ନାମରେ ଜଣାଶୁଣା। ଏହି ବାଟଦେଇ ମହାପୁରୁଷ ଅତିବଡ଼ୀ ଶ୍ରୀକ୍ଷେତ୍ରକୁ ଶ୍ରୀଜଗନ୍ନାଥ ମନ୍ଦିରକୁ ଯିବାଆସିବା କରୁଥିଲେ। ମଠକାଙ୍କୁଡା ପାଖରେ ଗୋଟିଏ ପୋଖରୀ ଅଛି। ମହାପୁରୁଷ ଅତିବଡ଼ୀ ଜଗନ୍ନାଥ ଦାସ ସେହି ପୋଖରୀରେ ପାଦ ଧୋଇବା ପାଇଁ ରହନ୍ତି ଏବଂ ପରେ ଯାତ୍ରା ଆରମ୍ଭ କରନ୍ତି। କାଳକ୍ରମେ ସେହି ପୋଖରୀ ଅତିବଡ଼ୀଙ୍କ ପାଇଁ ପ୍ରସିଦ୍ଧି ଲାଭ କରିଅଛି। ସେହି ମଠକାଙ୍କୁଡା ଗାଆଁର ଅଧିବାସୀ ଶ୍ରୀଶ୍ରୀ ରାଧା ଗୋବିନ୍ଦ ମନ୍ଦିର, ମା ଜାଗୁଳାଇ ମନ୍ଦିର ଏବଂ ମା ପଞ୍ଚମୁଖୀ ମନ୍ଦିର ନିର୍ମାଣ କରି ସେଠାରେ ବର୍ଷସାରା ଭାଗବତ ପାଠ କରି ସରଳ ଜୀବନ ଯାପନ କରିବାକୁ ମନସ୍ଥ କରି ଏକତ୍ର ଏକମନରେ ଚଳିଆସୁଛନ୍ତି।ପ୍ରତିବର୍ଷ ଏହି ଗାଆଁରେ କାର୍ତ୍ତିକ ମାସ ଗୋଷ୍ଠାଷ୍ଟମୀ ଠାରୁ ରାସ ପୂର୍ଣ୍ଣିମା ପର୍ଯ୍ୟନ୍ତ ଭାଗବତ ପାଠ, ପ୍ରବଚନ, ଭାଗବତ ଲୀଳା ଅଭିନୟ କାର୍ଯ୍ୟକ୍ରମ ସାତଦିନ ବ୍ୟାପି ବହୁ ଆଡମ୍ବର ସହକାରେ ପାଳନ କରିଥାଆନ୍ତି। ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ କପିଳେଶ୍ୱରପୁର ପ୍ରଥମ ଶ’ ଅତିବଡ଼ୀଙ୍କ ଜନ୍ମପୀଠରୁ ଜ୍ୟୋତି ଆନୟନ କରାଯାଏ। ଗୋଷ୍ଠାଷ୍ଟମୀ ଦିନ ଏହି ଜ୍ୟୋତି ଆନୟନ ପାଇଁ ବହୁ ଆଡମ୍ବର ସହକାରେ ଗାଁ ଲୋକଙ୍କ ସହିତ ଯାଇଥାନ୍ତି। ଜ୍ୟୋତି ଆସିବା ପରେ ଗାଁ ପରିକ୍ରମା କରିବା ପର ମନ୍ଦିରରେ ପୂଜାର୍ଚ୍ଚନା, ବନ୍ଦାପନା ସହିତ ସ୍ଥାପନା କରାଯାଏ ।

ପରେପରେ ସେହି ପୋଖରୀକୁ ଯାଇ କଳସ ବୁଡାଇ ବିଧି ମୁତାବକ ଶ୍ରୀଶ୍ରୀ ରାଧା ଗୋବିନ୍ଦ ମନ୍ଦିରକୁ ଆସନ୍ତି । ଏହି ଭକ୍ତି ଭାବପୂର୍ଣ୍ଣ ଦୃଶ୍ୟ ଅତି ଚମତ୍କାର। ଏହି ସପ୍ତାହ ବ୍ୟାପି କାର୍ଯ୍ୟକ୍ରମରେ ପ୍ରତିବର୍ଷ ପରି ଚଳିତବର୍ଷ ଓଡ଼ିଶା ସାହିତ୍ୟ ଏକାଡେ଼ମୀ ୩ ତାରିଖ ଦିନ ଗୋଟିଏ ଆଲୋଚନାଚକ୍ର କରିବା ସହିତ ଆଧ୍ୟାତ୍ମିକ ପତ୍ରିକା ‘ଦିବ୍ୟଦର୍ଶନ’ ପକ୍ଷରୁ ଏକ ମନୋଜ୍ଞ କବିତାପାଠ ଉତ୍ସବ ୧ ତାରିଖ ଦିବା ୨ ଘଟିକାରେ ହେବାର କାର୍ଯ୍ୟକ୍ରମ ରହିଛି। ଏହି ଗ୍ରାମର ବିଶେଷ ଆକର୍ଷଣ ଝିଅ ଜ୍ୱାଇଁ ନିମନ୍ତ୍ରଣ। ଗାଁ କୋଠ ତରଫରୁ ରୁକ୍ମିଣୀ ବିବାହ ଲୀଳା ଦିନ ଝିଅ ଜ୍ୱାଇଁ ମାନଙ୍କୁ ନିମନ୍ତ୍ରଣ କରାଯାଇ ଯଥାମାନ୍ୟ ପ୍ରଦାନ କରାଯାଏ । ଏହି ପରମ୍ପରା ଓଡ଼ିଶାରେ ଅନ୍ୟତ୍ର ଦେଖାଯାଏ ନାହିଁ।ଗ୍ରାମବାସୀଙ୍କ ପୂର୍ଣ୍ଣ ସହଯୋଗ, ଓଡ଼ିଶା ସାହିତ୍ୟ ଏକାଡେ଼ମୀ ଏବଂ ପୃଷ୍ଠପୋଷକ ଏହି କାର୍ଯ୍ୟକ୍ରମକୁ ସରସ ସୁନ୍ଦର କରିଥାଏ।

Leave a Reply

Your email address will not be published. Required fields are marked *