ବ୍ରହ୍ମପୁର ସିଟି ହସ୍ପିଟାଲରେ ନିଦାନ ଯୋଜନାର ଖୁଲମଖୋଲା ଉଲ୍ଲଂଘନ, ମାନବ ଅଧିକାର ସୁରକ୍ଷା ମଞ୍ଚ
ବ୍ରହ୍ମପୁର, ତା.୩୧.୧୦.୨୦୨୫ରିଖ ସରକାରି ଚିକିତ୍ସାଳୟରେ ସମସ୍ତ ପରୀକ୍ଷା ମାଗଣା ଉପଲବ୍ଧ ପାଇଁ ରାଜ୍ୟ ସରକାରଙ୍କ ନିଦାନ ଯୋଜନା ରହିଥିଲେ ବି ଖୋଲାଖୋଲି ବ୍ରହ୍ମପୁର ସିଟି ହସ୍ପିଟାଲରେ ଏହାର ଉଲ୍ଲଂଘନ ହେଉଅଛି l ଦିର୍ଘ ତିନିମାସରୁ ଅଲଟ୍ରାସାଉଣ୍ଡ ପରୀକ୍ଷା ବନ୍ଦ ରହିଛି, କେବଳ ଗର୍ଭବତୀ ମହିଳାଙ୍କୁ ବାଦ୍ ଦେଇ ଦୈନିକ ଶହ ଶହ ରୋଗୀଙ୍କୁ ଘରୋଇ ପରୀକ୍ଷା କେନ୍ଦ୍ରକୁ ଯିବା ପାଇଁ ବାଧ୍ୟ କରାଯାଉଛି, ରୋଗୀ ହଜାର ହଜାର ଟଙ୍କା ଖର୍ଚ୍ଚାନ୍ତର ଶିକାର ହେଉଛନ୍ତି l ନିଦାନ ଯୋଜନାକୁ ନିଜେ ରାଜ୍ୟ ସରକାର ଧ୍ଵଂସ କରୁଛନ୍ତି ବୋଲି ଆଜି ମାନବ ଅଧିକାର ସୁରକ୍ଷା ମଞ୍ଚ ପକ୍ଷରୁ ସିଟି ହସ୍ପିଟାଲ୍ ଓ ଜିଲ୍ଲା ମୂଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଦାବୀ ପତ୍ର ପ୍ରଦାନ କରାଯାଇଛି l ଫିଜିଓଥେରାପି ବିଭାଗ, ଭିନ୍ନକ୍ଷମ ପ୍ରମାଣ ପତ୍ର ପ୍ରଦାନ ବିଭାଗ ଓ ଆଲଟ୍ରIସାଉଣ୍ଡ ବିଭାଗରେ ଦେଖାଯାଉଥିବା ଜ୍ୱଳନ୍ତ ସମସ୍ୟା ଦିର୍ଘ ଦିନରୁ ରହିଅଛି l ସିଡ଼ିଏମ୍ଓ ଙ୍କ ଅଧିନସ୍ଥ ଫିଜିଓଥେରାପି ବିଭାଗରେ ଦୀର୍ଘ ଦିନରୁ କର୍ମଚାରୀଙ୍କ ମନୋମୁଖୀ କାରବାର ଯୋଗୁଁ ରୋଗୀ ପ୍ରକୃତ ନିୟମିତ ଥେରାପି ବା ଚିକିତ୍ସା ପାଉନାହାନ୍ତି l ଦାୟିତ୍ୱରେ ଥିବା ବିଭାଗୀୟ କର୍ମଚାରୀ ନିଜର ଘରୋଇ ଫିଜିଓଥେରାପି କେନ୍ଦ୍ର ଖୋଲିଥିବା ଯୋଗୁଁ ହସ୍ପିଟାଲରେ ପୁର୍ଣ୍ଣ ସମୟ ଉପସ୍ଥିତ ନ ରହିବା ଓ ଆସୁଥିବା ରୋଗୀଙ୍କୁ ନିଜ ଘରୋଇ କେନ୍ଦ୍ରକୁ ଆସିବାକୁ କହି ନିଜ କର୍ତ୍ତବ୍ୟରେ ଘୋର ଅବହେଳା କରୁଛନ୍ତି ଓ ହସ୍ପିଟାଲରେ ଅବ୍ୟବସ୍ଥା ସୃଷ୍ଟି କରୁଛନ୍ତି ବୋଲି ମଂଚ କର୍ମକର୍ତ୍ତା ମାନେ ଅଭିଯୋଗ କରିଛନ୍ତି l ଭିନ୍ନକ୍ଷମ ପ୍ରମାଣ ପତ୍ର ପ୍ରଦାନରେ ବହୁ ବିଳମ୍ବ ହେତୁ ପୀଡିତ/ପୀଡ଼ିତା ନାନା ପ୍ରକାର ହନ୍ତସନ୍ତ ହେଉଛନ୍ତି l ଗତବର୍ଷ ନଭେମ୍ବର ମାସରେ ଆବେଦନ କରିଥିବା ବ୍ୟକ୍ତି ବର୍ତ୍ତମାନ ପ୍ରମାଣ ପତ୍ର ପାଉଛନ୍ତି ଅର୍ଥାତ୍ ପ୍ରାୟ ଏଗାର ମାସ ବିଳମ୍ବରେ ଭିନ୍ନକ୍ଷମ ପ୍ରମାଣ ପତ୍ର ପ୍ରଦାନ କରାଯାଉଛି l ସୂଚନାଯୋଗ୍ୟ ଯେ, ପୂର୍ବ ସରକାର ସମୟରେ ମାତ୍ର ଏକ ସପ୍ତାହ ମଧ୍ୟରେ ପ୍ରମାଣ ପତ୍ର ଦିଆଯାଇପାରୁଥିଲା, କିନ୍ତୁ ବର୍ତ୍ତମାନ ଏ ଅବ୍ୟବସ୍ଥା କରି କାହିଁକି ଲୋକଙ୍କୁ ହଇରାଣ କରାଯାଉଛି ବୋଲି ମଞ୍ଚ ପ୍ରଶ୍ନ କରିଛି l ଭିନ୍ନକ୍ଷମ ପ୍ରମାଣ ପତ୍ର ପ୍ରଦାନ କ୍ଷେତ୍ରରେ ବରିଷ୍ଠ ନାଗରିକ ଏବଂ ମାତ୍ରାଧିକ ପ୍ରତିଶତ ପୀଡିତ ଥିବା ବ୍ୟକ୍ତିଙ୍କୁ ଅଗ୍ରାଧିକାର ଭିତ୍ତୀରେ ପ୍ରମାଣ ପତ୍ର ପ୍ରଦାନ କରାଯିବାକୁ ଦାବୀ ହୋଇଛି l ଆଜିର ବିକ୍ଷୋଭରେ ମାନବ ଅଧିକାର ସୁରକ୍ଷା ମଞ୍ଚର ସଭାପତି ଗଗନ ଚନ୍ଦ୍ର ମଲ୍ଲିକ, ସମ୍ପାଦକ ମନୋଜ ତରାଇ, ସମାଜସେଵୀ ସାଲ୍ଲl. କେଶବ ଲିଙ୍ଗମ, ଅଲ୍ ଇଣ୍ଡିଆ ଖେତ ମଜଦୂର କିଷlନ୍ ସଭାର ରାଜ୍ୟ ସମ୍ପାଦକ ନିରାକାର ନାୟକ, ଜିଲ୍ଲା ସଭାପତି ଆଇନଜୀବି ଅବନୀ ଗୟା, ଶିକ୍ଷକ ସଙ୍ଗଠନ ନେତା ଅଶୋକ ଦଳାଇ, ଆପ୍ ର ନେତା ଆଦିତ୍ୟ ରଥ, ସେବା ନିବୃତ୍ତ ଶିକ୍ଷକ କର୍ମଚାରୀ ସଂଘର ସମ୍ପାଦକ ଶ୍ୟାମ ସୁନ୍ଦର ଖାଡଙ୍ଗା, ସାମ୍ୱାଦିକ ଗୋପାଳ କୃଷ୍ଣ ରେଡ୍ଡୀ, ଅମିତ୍ କୁମାର ସାହୁ,ସମାଜସେବୀ କୁନି କୁମାରୀ ଦେବୀ,ସୁରେନ୍ଦ୍ର ନାଥ ପଣ୍ଡା, ହୃଷିକେଶ ପାତ୍ର, ବିଜୟ କୁମାର ପାଢ଼ୀ, ବି. ରାମ ବାବୁ, ନିହାର ରଂଜନ ପଣ୍ଡା, ଏମ. ଏସ. ମଲ୍ଲିକ, ମହମ୍ମଦ ଆସଲମ୍ , ଜୟକୃଷ୍ଣ ନାୟକ ପ୍ରମୁଖ ବିକ୍ଷୋଭରେ ଅଂଶ ଗ୍ରହଣ କରିଥିଲେ l ଏହାର ଏକ ଅବିକଳ ନକଲ ମାନ୍ୟବର ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ା. ମୁକେଶ ମହାଲିଙ୍ଗମ, ବ୍ରହ୍ମପୁର ସାଂସଦ ଡ଼.ପ୍ରଦୀପ କୁମାର ପାଣିଗ୍ରାହୀ,ବ୍ରହ୍ମପୁର ବିଧାୟକ କେ.ଅନିଲ କୁମାରଙ୍କ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିମନ୍ତେ ପ୍ରେରଣ କରାଯାଇଛି l
