ପୂଣ୍ୟ ପଞ୍ଚୁଜ

ଶୀର୍ଷକ _ପୂଣ୍ୟ ପଞ୍ଚୁଜ


ରୀତାରାଣୀ ଦାଶ
ବାଲେଶ୍ୱର

କାର୍ତ୍ତିକ ମାସର ଶେଷ ପାଞ୍ଚଦିନ
ପୂଣ୍ୟ ପଞ୍ଚୁକ ପାଳନ
ତୁଳସୀ ମୂଳରେ ଦୀପ ଜଳିଉଠେ
ଭକ୍ତିରେ ଉଚ୍ଛନ୍ନ ମନ
ପଞ୍ଚକ ମହତ୍ତ୍ୱ ଅନେକ,
କାର୍ତ୍ତିକ ପୂର୍ଣ୍ଣମୀ ଅନୁପମ ସିନା
ଆଧ୍ୟାତ୍ମିକ ଶାନ୍ତି ସୁଖ |

ବାରମାସେ ଶ୍ରେଷ୍ଠ ପୂଣ୍ୟ ଯେ କାର୍ତ୍ତିକ
ଭୀଷ୍ମ ପଞ୍ଚକର ଖ୍ୟାତି
ମହାପୂଣ୍ୟ ଦିନ ସର୍ବଶ୍ରେଷ୍ଠ ପୁଣ
ସାତ୍ତିକ ଭୋଜନ ଵିଧି
ନିରାମିଷ ଯେ ସମ୍ପୂର୍ଣ୍ଣ,
ବଗ ବଗୁଲିଏଁ ଆମିଷ ବର୍ଜନେ
କରନ୍ତି ବ୍ରତ ବିଧାନ |

ବଡ ଏକାଦଶୀ ଦିନଠାରୁ ବ୍ରତ
ପଞ୍ଚୁକ ଯେ ପାଞ୍ଚ ଦିନ
ପ୍ରାତଃ ସ୍ନାନ ସାଥେ ଦେବ ଦରଶନ
ହବିଷ୍ୟ ଅନ୍ନ ଭୋଜନ
ତୁଳସୀ ଚଉରା ମୂଳ,
ସାନ୍ଧ୍ୟ ପରିକ୍ରମା ନାହିଁ ତା ଉପମା
ଆକାଶେ ଦୀପ ଉଜ୍ଜ୍ୱଳ |

ଭକତି ଭାବରେ ରାଇ ଦାମୋଦର
ପୂଜା ଅରଚନା କରି
ନିଷ୍ଠାରେ ଏ ବ୍ରତ ଚାରିଦିନ ସେ ତ
ଭଜି ରାଧାକୃଷ୍ଣ ହରି
ଜଗନ୍ନାଥ ଦର୍ଶନରେ,
ଏକାଦଶୀ ଦିନ ଲକ୍ଷ୍ମୀ ନାରାୟଣ
ବାଙ୍କ ଚୂଡ଼ା ଦ୍ୱାଦଶୀରେ |

ତ୍ରିବିକ୍ରମ ରୂପ ତ୍ରୟୋଦଶୀ ଦିନ
ଲକ୍ଷ୍ମୀ ନୃସିଂହ ବେଶର
ଚତୁର୍ଦ୍ଦଶୀ ଦିନ ଦର୍ଶନରେ ମୁକ୍ତି
ଶେଷେ ରାଜ ରାଜେଶ୍ୱର
ପରମ୍ପରା ଓ ସଂସ୍କୃତି,
ଆ କା ମା ବୈ ଗାଇ ଆନନ୍ଦ ଉଲ୍ଲାସେ
ବୋଇତ ବନ୍ଦାଣ ନୀତି |

ପଞ୍ଚ କୁପ୍ରବୃତ୍ତି ପରିତ୍ୟାଗ କରି
କପଟ କଟୁବଚନ
କାମନା ଓ କ୍ରୋଧ କରି ବଶୀଭୂତ
ସଭକ୍ତି ହରି ଜପନ
ପରିତୃପ୍ତି ନାରାୟଣ,
ପୂଣ୍ୟ କାର୍ତ୍ତିକରେ ପୂଣ୍ୟ ପଞ୍ଚୁକର
ହରି ନାମର ସ୍ମରଣ |

Leave a Reply

Your email address will not be published. Required fields are marked *