କେନ୍ଦ୍ରୀୟ ସଂସ୍କୃତ ବିଶ୍ଵବିଦ୍ୟାଳୟରେ ଶ୍ରୀମଦ୍ଭଗବଦ୍ ଗୀତା ଆବୃତ୍ତି କାର୍ଯ୍ୟକ୍ରମ
କେନ୍ଦ୍ରୀୟ ସଂସ୍କୃତ ବିଶ୍ଵବିଦ୍ୟାଳୟ, ଶ୍ରୀ ସଦାଶିବ ପରିସରରେ ପ୍ରଜ୍ଞାନ ମିଶନ, ହରି ହରାନନ୍ଦ ଗୁରୁକୁଳମ୍, ପୁରୀ ପକ୍ଷରୁ ବ୍ଲକସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପୁରୀ ସଦରର ସମସ୍ତ ବିଦ୍ୟାଳୟ ,ମହାବିଦ୍ୟାଳୟ, ବିଶ୍ଵବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ହରିହରାନନ୍ଦ ଗୁରୁକୁଳମ୍ ର ସନ୍ୟାସୀମାନଙ୍କଦ୍ଵାରା ଓମ୍ କାର ଉଚ୍ଚାରଣ ପୂର୍ବକ ଏବଂ ଅତିଥିମାନଙ୍କଦ୍ୱାରା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା। ଏହି ମହନୀୟ କାର୍ଯ୍ୟକ୍ରମକୁ ପରିସରର ସହ ନିର୍ଦ୍ଦେଶକ ପ୍ରଫେସର ବିଜୟ ପାଲ କଚ୍ଛବାହ ଉଦ୍ଘାଟନକରି ସାମ୍ପ୍ରତିକ ସମାଜରେ ଶ୍ରୀମଦ୍ଭଗବଦ୍ ଗୀତାର ଆବଶ୍ୟକତା ଉପରେ ଆଲୋକପାତ କରିବା ସହିତ ଉତ୍ତମ ଚରିତ୍ର ଗଠନ କରି ଏକ ଆଦର୍ଶ ମନୁଷ୍ୟ , ସମାଜ ତଥା ରାଷ୍ଟ୍ର ଗଠନରେ ଶ୍ରୀମଦ୍ଭଗବଦ୍ ଗୀତା ଅଦ୍ୱିତୀୟ ଗ୍ରନ୍ଥ ବୋଲି ପ୍ରତିପାଦନ କରିଥିଲେ।ସମଗ୍ରବିଶ୍ୱ ଶ୍ରୀମଦ୍ଭଗବଦ୍ ଗୀତାର ମହତ୍ତ୍ଵକୁ ଜାଣିବାକୁ ଆରମ୍ଭ କରି ବିଦେଶରେ ଅଧିକାଂଶ ବିଦ୍ୟାଳୟ ବିଶ୍ଵବିଦ୍ୟାଳୟରେ ଏହାର ଅଧ୍ୟୟନ ଅଧ୍ୟାପନ କରାଯାଉଥିବାବେଳେ ଆମ ଭାରତବର୍ଷରେ ଏବଂ ଓଡ଼ିଶାରେ ଏହାର ମହତ୍ତ୍ୱକୁ ବୁଝାଇବା ପାଇଁ ପ୍ରଜ୍ଞାନ ମିଶନ ତରଫରୁ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଗୀତା ଅଧ୍ୟୟନ କରାଇବାର ପ୍ରୟାସ ସ୍ୱାଗତ ଯୋଗ୍ୟ ଅଟେ ବୋଲି ପ୍ରତିପାଦନ କରି ସାଂପ୍ରତିକ ସମାଜରେ ସମସ୍ତଙ୍କୁ ଶ୍ରୀମଦ୍ଭଗବଦ୍ ଗୀତାର ଅଧ୍ୟୟନ ଅତ୍ୟନ୍ତ ଆବଶ୍ୟକ ବୋଲି ମତପୋଷଣ କରିଥିଲେ ।ଏହି କାର୍ଯ୍ୟକ୍ରମରେ ଶ୍ରୀଜଗନ୍ନାଥ ବିଶ୍ଵବିଦ୍ୟାଳୟର ଅଧ୍ୟାପକ ଡ. ଲକ୍ଷ୍ମୀଧର ପଣ୍ଡା, ବେଦାନ୍ତ ବିଭାଗର ଅଧ୍ୟାପକ ଡ.ରାଧାକାନ୍ତ ପଣ୍ଡା, ଡ. ଶ୍ରଦ୍ଧାଞ୍ଜଳି ମହାପାତ୍ର, ଶ୍ରୀସଦାଶିବ ପରିସରର ଅଧ୍ୟାପକ ଡ. ସୁଶାନ୍ତ କୁମାର ରାୟ, ଡ. ବିଦ୍ୟାଧର ହରିଚନ୍ଦନ, ଡ.ରମାକାନ୍ତ ସା, ଧର୍ମଶାସ୍ତ୍ର ବିଭାଗର ଅଧ୍ୟାପକ ଡ. ସିଦ୍ଧାର୍ଥ ଶଙ୍କର ଦାଶ, ସର୍ବଦର୍ଶନ ବିଭାଗର ଅଧ୍ୟାପକ ଡ. ଜ୍ୟୋତି ପ୍ରସାଦ ନନ୍ଦ, ବେଦାନ୍ତ ବିଭାଗର ଅଧ୍ୟାପକ ଡ. ବିଭୁଦତ୍ତ ମିଶ୍ର, ଜ୍ୟୋତିଷ ବିଭାଗର ଅଧ୍ୟାପକ ଡ. ନୀଳମାଧବ ମିଶ୍ର,ଗଦାଧର ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀ ଅପର୍ଣ୍ଣା ମହାପାତ୍ର, ବେଟ୍ରିକ୍ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଡ. ଶଶୀକାନ୍ତ ରଥ, ଆଲୋକ କୁମାର ସ୍ୱାଇଁ ପ୍ରଭୃତି ବିଚାରକ ଭାବେ ଯୋଗଦାନ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ପ୍ରଥମ, ଦ୍ବିତୀୟ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଛି। ଏହି ଛାତ୍ରଛାତ୍ରୀମାନେ ଜିଲ୍ଲାସ୍ତରକୁ ଯିବେ ସେଥିରେ କୃତକାର୍ଯ୍ୟ ହୋଇ ରାଜ୍ୟ ସ୍ତରରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ଏକ ବର୍ଷ ପର୍ଯ୍ୟନ୍ତ ପ୍ରଜ୍ଞାନ ମିଶନ ପକ୍ଷରୁ ଛାତ୍ରବୃତ୍ତି ପ୍ରଦାନ କରାଯିବ। ଏହି କାର୍ଯ୍ୟକ୍ରମ ଶ୍ରୀ ସଦାଶିବ ପରିସରର ବ୍ୟାକରଣ ବିଭାଗର ଅଧ୍ୟାପକ ଡ. ଅଜୟାନନ୍ଦ ସାହୁଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମକୁ ଶିକ୍ଷାଶାସ୍ତ୍ର ବିଭାଗର ଅଧ୍ୟାପକ ଡ. ମହେଶ କୁମାର ପାଣିଗ୍ରାହୀ ସଞ୍ଚାଳନ କରିବା ଥିଲେ। ପରିଶେଷରେ ପ୍ରଜ୍ଞାନ ମିଶନ ତରଫରୁ ପ୍ରଫେସର ସୁଜାତା ମିଶ୍ର ଆଗାମୀ ଗୀତା ପ୍ରତିଯୋଗିତା ବିଷୟରେ ସୂଚନା ପ୍ରଦାନକରି ସମସ୍ତକୁ ଗୀତା ପଠନ ପାଠନ କରିବା ନିମନ୍ତେ ପ୍ରେରିତ କରିବା ସହିତ ଉପସ୍ଥିତ ଥିବା ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ ଅଭିଭାବକମାନଙ୍କୁ କୃତଜ୍ଞତା ଜ୍ଞାପନ ପୂର୍ବକ ଧନ୍ୟବାଦ ଅର୍ପଣ କରି ଶାନ୍ତିମନ୍ତ୍ର ଦ୍ଵାରା କାର୍ଯ୍ୟକ୍ରମର ସମାପନ କରାଇଥିଲେ।
