କାର୍ତ୍ତିକ ଆସିଛି ଧରମ ଧରି
ଶୀର୍ଷକ କାର୍ତ୍ତିକ ଆସିଛି ଧରମ ଧରି
ରୀତାରାଣୀ ଦାଶ_
ବାଲେଶ୍ୱର
ଯୁଗ ମଧ୍ୟେ ସତ୍ୟ ଗ୍ରନ୍ଥ ମଧ୍ୟେ ବେଦ
ତୀର୍ଥ ଯେ ଶ୍ରୀକ୍ଷେତ୍ର ପୁରୀ
ତଟିନୀରେ ଶ୍ରେଷ୍ଠ ପାପ ନାଶିନୀ ମା
ଗଙ୍ଗା ମାତା ଖ୍ୟାତି ଧରି
ମାସ ମଧ୍ୟରେ କାର୍ତ୍ତିକ,
ତାହାର ମହିମା ପଠନେ ଶ୍ରବଣେ
ପବିତ୍ର ମନେ ପୁଲକ |
ହରି ଉପାସନା ଆଉ ଆରାଧନା
ପାଇଁ ସର୍ବଶ୍ରେଷ୍ଠ ମାସ
କାୟ, ମନ, ବାକ୍ୟ ଶୁଦ୍ଧ କରଣରେ
ଗୂଢ଼ ଏହାର ରହସ୍ୟ
ଦୀପାବଳୀର ପାଳନ
ମତ୍ସ୍ୟ ଅବତାର ପ୍ରଭୁ ବିଷ୍ଣୁଙ୍କର
କାର୍ତ୍ତିକେୟଙ୍କର ଜନ୍ମ |
ମାତା ବୃନ୍ଦାବତୀ ମହା ସତୀ ସ୍ୱାଧୀ
ପ୍ରକଟିତ ଏ ମାସରେ
ରାଧା କୃଷ୍ଣଙ୍କର ମହା ରାସ ଲୀଳା
ପାଳିତ ଶ୍ରେଷ୍ଠ ପର୍ବରେ
ରାଧା ଶ୍ରୀପାଦ ଦର୍ଶନ,
ରାଇ ଦାମୋଦର ପୂଜାର୍ଚ୍ଚନା ହୁଏ
ମହା କାର୍ତ୍ତିକରେ ଜାଣ |
ମହିମା ମଣ୍ଡିତ ପୂଣ୍ୟ ଏ କାର୍ତ୍ତିକ
ଧରମ ଧରି ଆସିଛି
ଆଧ୍ୟାତ୍ମିକ ଚିନ୍ତା ଅନ୍ତର ଆତ୍ମାରେ
ଜାଗ୍ରତ ସେ କରାଉଛି
ଜପ, ତପ, ଧ୍ୟାନ, ପୂଜା,
ଘଣ୍ଟା କରତାଳେ ହରେ କୃଷ୍ଣ ନାମେ
ପ୍ରକମ୍ପିତ ମା ବସୁଧା |
ଚଉରା ମୂଳରେ ନାନା ରଙ୍ଗର ମୂରୁଜ
ପଡୁଅଛି ହୋଳ ହୋଳି
ଭକ୍ତି ଆବେଗରେ ଏ ପୂଣ୍ୟ ମାସରେ
ହୋଇଛନ୍ତି ସବୁ ମେଳି
ଅଭିପ୍ରାୟ ଧର୍ମ ପ୍ରାପ୍ତି,
ପାଞ୍ଚ କୁପ୍ରବୃତ୍ତି ତ୍ୟାଗ ଭାବନାରେ
ପଞ୍ଚକ ବ୍ରତ କରନ୍ତି |
ହୃଦୟ ପବିତ୍ର କର୍ଣ୍ଣ ବି ପବିତ୍ର
ଶ୍ରବଣରେ ବ୍ରତ କଥା
ମନ ସଂଯମରେ ପଞ୍ଚ ଇନ୍ଦ୍ରିୟ ଯେ
କୃପା ବାରିଧି ମିଳନ୍ତା
କାର୍ତ୍ତିକ ପୂଣ୍ୟର ମାସ
ସତ ଚିନ୍ତନ ରେ ସତକର୍ମ କଲେ
ପ୍ରଭୁ ଅର୍ପିବେ ଆଶିଷ |
